ରାମ ମନ୍ଦିରରେ ଚାକିରି ପାଇଁ କୋଟି କୋଟିର ଲାଞ୍ଚ କାରବାର ! ପୁଲିସ ସ୍କାନରରେ ୧୨୫ ଜଣ କର୍ମଚାରୀ, ଟ୍ରଷ୍ଟ ସଦସ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା
ଅଯୋଧ୍ୟା, ୨।୭: ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ଯାଞ୍ଚ ଚାଲିଥିବା ବେଳେ ଏବେ ଆଉ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି, ଯାହାର ତଦନ୍ତ ଏବେ ପୁଲିସ କରୁଛି । ବିଭିନ୍ନ ଦସ୍ତାବିଜ୍, ଆର୍ଥିକ କାରବାର ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପୁଲିସ ଖୋଳତାଡ଼ ଜାରି ରଖିଛି । ଗିରଫ ଅଭିଯୁକ୍ତ ଅବିନାଶ ଶୁକ୍ଲାକୁ ଜେରା କରିବା ସମୟରେ ତଦନ୍ତକାରୀ ସଂସ୍ଥାକୁ କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି, ଯାହା ସାରା ମାମଲାର ମୋଡ଼ ବଦଳାଇ ଦେଇଛି । ଜେରା ବେଳେ ଟ୍ରଷ୍ଟର ଜଣେ ସଦସ୍ୟଙ୍କ ନାଁ ବାରମ୍ବାର ସାମ୍ନାକୁ ଆସୁଥିବାରୁ, ଏବେ ଉକ୍ତ ସଦସ୍ୟଙ୍କ ଭୂମିକାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି । ମନ୍ଦିର ନିଯୁକ୍ତିରେ କୌଣସି ପ୍ରକାରର ଆର୍ଥିକ ଅନିୟମିତତା ହୋଇଛି କି ନାହିଁ, ତାହାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ।
୧୨୫ ନିଯୁକ୍ତି ଉପରେ ତଦନ୍ତକାରୀ ସଂସ୍ଥାର ନଜର:
ସୂତ୍ର ଅନୁସାରେ, ରାମ ମନ୍ଦିର ପ୍ରତିଷ୍ଠାନର ବିଭିନ୍ନ ପଦବୀରେ ପ୍ରାୟ ୧୨୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅଭିଯୋଗ ହୋଇଛି ଯେ, ଏମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀ ଚାକିରି ପାଇବା ପାଇଁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି । ଏହି ଅଭିଯୋଗରେ କେତେ ସତ୍ୟତା ରହିଛି, ପୁଲିସ ଏବେ ତାର ଯାଞ୍ଚ କରୁଛି । ଏହା କେବଳ କିଛି ସୀମିତ ମାମଲା ନା ଏହା ପଛରେ କୌଣସି ବଡ଼ ନିଯୁକ୍ତି ରାକେଟ୍ କାମ କରୁଛି, ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଅନେକ କର୍ମଚାରୀଙ୍କ ନିଯୁକ୍ତି ପତ୍ର, ଆନୁଷ୍ଠାନିକ ସେବା ଚୁକ୍ତି କିମ୍ବା ଚାକିରି ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ୍ ତୁରନ୍ତ ମିଳିପାରି ନାହିଁ । ସେଥିପାଇଁ ଏବେ ପ୍ରତ୍ୟେକ ନିଯୁକ୍ତିର ଅଲଗା ଅଲଗା ଭାବେ ଯାଞ୍ଚ କରାଯାଉଛି । ଏହି ସବୁ ନିଯୁକ୍ତି କେଉଁ ପ୍ରକ୍ରିୟାରେ ହେଲା, କାହା ନିର୍ଦ୍ଦେଶରେ ହେଲା ଏବଂ ଏହାର ଅସଲି କାଗଜପତ୍ର କେଉଁଠି ଅଛି, ଏନେଇ ପୁଲିସ ଯାଞ୍ଚ ଚଳାଇଛି ।
ଏହା ବି ପଢ଼ନ୍ତୁ.... Amarnath Yatra 2026: ଆରମ୍ଭ ହେଲା ଅମରନାଥ ଯାତ୍ରା; ୫୭ ଦିନ ଧରି ଚାଲିବ, ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ବାହାରିଲା ପ୍ରଥମ ଦଳ
ତଦନ୍ତକାରୀ ସଂସ୍ଥାର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ, ଏହି ନିଯୁକ୍ତିଗୁଡ଼ିକୁ କେଉଁ ସ୍ତରରୁ ମଞ୍ଜୁରୀ ମିଳିଥିଲା ? ଯେଉଁ ଟ୍ରଷ୍ଟ ସଦସ୍ୟଙ୍କ ନାଁ ସାମ୍ନାକୁ ଆସିଛି, ତାଙ୍କୁ ପୁଲିସ ଖୁବଶୀଘ୍ର ଜେରା କରିବାକୁ ପ୍ରସ୍ତୁତି ଚଳାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହା ବିରୋଧରେ ଆନୁଷ୍ଠାନିକ ଭାବେ ଅଭିଯୋଗ ସ୍ପଷ୍ଟ ହୋଇନାହିଁ । ମନ୍ଦିରରେ ନିଯୁକ୍ତି ସମସ୍ତ କର୍ମଚାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସେବା ରେକର୍ଡ ଏବଂ ଭର୍ତ୍ତି ସମୟର ପରିସ୍ଥିତିର ଯାଞ୍ଚ କରାଯାଉଛି । ଆର୍ଥିକ କାରବାରର ଯାଞ୍ଚ ପାଇଁ ଏହି ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ନଜର ରଖାଯାଇଛି । ନିଯୁକ୍ତି ପୂର୍ବରୁ କିମ୍ବା ପରେ କୌଣସି ବଡ଼ ଧରଣର ସନ୍ଦେହଜନକ ଆର୍ଥିକ କାରବାର ହୋଇଛି କି ନାହିଁ, ତାହା ଯାଞ୍ଚ କରାଯିବ । ଏହା ସହିତ ସନ୍ଦେହ ଘେରରେ ଥିବା ଟ୍ରଷ୍ଟ ସଦସ୍ୟଙ୍କ ସମ୍ପତ୍ତିର ମଧ୍ୟ ହିସାବ ନିଆଯାଉଛି ଯେ, ଟ୍ରଷ୍ଟରେ ସାମିଲ ହେବା ପରେ ତାଙ୍କ ସମ୍ପତ୍ତିରେ କୌଣସି ଅସ୍ୱାଭାବିକ ବୃଦ୍ଧି ହୋଇଛି କି ନାହିଁ ।
ଦାନ ଚୋରି ମାମଲାର ଅଭିଯୁକ୍ତଙ୍କ ସହ କନେକ୍ସନ !
ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାରେ ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଥିବା ଅନୁକଳ୍ପ ମିଶ୍ର ଏବଂ ଲବକୁଶ ମିଶ୍ରଙ୍କୁ ମଧ୍ୟ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ସାମିଲ କରାଯାଇଛି । ପୁଲିସ ଜାଣିବାକୁ ଚେଷ୍ଟା କରୁଛି ଯେ, ଏହି ଦୁଇଜଣଙ୍କର ଚାକିରି କରାଇବାରେ କୌଣସି ଭୂମିକା ଥିଲା କି ନାହିଁ କିମ୍ବା ଟ୍ରଷ୍ଟ ସଦସ୍ୟଙ୍କ ସହ ଏମାନଙ୍କର କୌଣସି ପାରିବାରିକ ସମ୍ପର୍କ ରହିଛି କି ନାହିଁ । ଏହି ସମଗ୍ର ନିଯୁକ୍ତି ଦୁର୍ନୀତିର ଯାଞ୍ଚ ପ୍ରକ୍ରିୟା ବିଶେଷ ତଦନ୍ତକାରୀ ଦଳ (ଏସଆଇଟି) ର ବିସ୍ତୃତ ରିପୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ ଯାଉଛି । ତେବେ ତଦନ୍ତ ଶେଷ ହେବା ପରେ ହିଁ ଅସଲ ସତ ସାମ୍ନାକୁ ଆସିବ ।