ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଭୋଗ ଲାଗୁଛି ଅନ୍ନପ୍ରସାଦ, ଥରେ ଅନ୍ନ ଭୋଗ ବନ୍ଦ ହେଲେ ୧୨ ବର୍ଷ ମନା
ପୁରୀ,୦୨/୦୭: ବଡ଼ଦେଉଳରେ ଥରେ ଠାକୁରଙ୍କ ଅନ୍ନ ଭୋଗ ବନ୍ଦ ହେଲେ ୧୨ ବର୍ଷ ପାଇଁ ଆଉ ଭୋଗ ଲାଗିବ ନାହିଁ ବୋଲି କହିଛନ୍ତି ମହାପ୍ରଭୁଙ୍କ ବରିଷ୍ଠ ସୁଆର ସେବକ ବଳଭଦ୍ର ମହାପାତ୍ର । ଏଣୁ ଅଣସର ସମୟରେ ମଧ୍ୟ ସବୁଦିନ ଭଳି ଠାକୁରଙ୍କ ପୂଜାର୍ଚ୍ଚନା ତଥା ବିଭିନ୍ନ ଧୂପ ଅନୁଷ୍ଠିତ ହୋଇଥାଏ । ବିଧି ମୁତାବକ ଅନ୍ୟ ଦିନରେ ଯାହା ଭୋଗ ଲାଗେ ଅଣସର ସମୟରେ ମଧ୍ୟ ସେହି ସବୁ ପିଠା ଓ ଅନ୍ନବ୍ୟଞ୍ଜନ ଭୋଗ ଲାଗୁଛି ।
ଅଧିକ ପଢ଼ନ୍ତୁ :- Rath Khala Update: ନନ୍ଦିଘୋଷ ରଥରେ ଲାଗିଲା ଋଷି ପଟା, ସିଂହାସନ ପଟା ବାଡ଼ିଆ କାର୍ଯ୍ୟ ଶେଷ
ମହାପ୍ରଭୁ ଅସୁସ୍ଥ ଥିବାରେ ଶ୍ରୀମନ୍ଦିରରେ ପଟିଦିଅଁ ତଥା ବିଜେ ପ୍ରତିମାଙ୍କୁ ଏହି ଭୋଗ ଲାଗି କରାଯାଉଛି । ତେବେ ଅନ୍ୟଦିନ ତୁଳନାରେ ଅଣସର ସମୟରେ ଭୋଗର ପରିମାଣ ପ୍ରାୟ ଅଧା ଠାରୁ କମ୍ । ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ଘରେ ସ୍ୱତନ୍ତ୍ର ଉପଚାରରେ ରହିଥିବା ସ୍ଥଳେ ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ ସମେତ ଅନ୍ୟ ବିଜେ ପ୍ରତିମା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଯଥାରୀତି ମଙ୍ଗଳାଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ ସହ ମଧ୍ୟାହ୍ନଧୂପ ଓ ସନ୍ଧ୍ୟାଧୂପ ଆଦି ନୀତି ଅନୁଷ୍ଠିତ ହେଉଛି । ଠାକୁରଙ୍କୁ ଅନ୍ନପ୍ରସାଦ, ଡାଲି, ଡାଲେମା, ବେସର, ମହୁର ଆଦି ଭୋଗ ଲାଗୁଛି । ଜଗମୋହନ ଓ ଭୋଗମଣ୍ଡପରେ ଭୋଗ ବଢ଼ାହୋଇ ପାଳିଆ ପୂଜାପଣ୍ଡା ସାଆନ୍ତଙ୍କ ଦ୍ୱାରା ଯଥାବିଧି ପୂଜା ଅନୁଷ୍ଠିତ ହେଉଛି । ସକାଳଧୂପରେ ପଟିଦିଅଁଙ୍କୁ ଖେଚେଡି ଭୋଗ ଲାଗୁଛି । ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଆଦିରେ ଯଥାବିଧି ଅନ୍ନବ୍ୟଞ୍ଜନ ଆଦି ଭୋଗ ହେଉଛି । ଅଣସର ଘରେ ସେବା ସରିଲାପରେ ପୁନର୍ବାର ପଟିଦିଅଁଙ୍କୁ ପୂଜା କରାଯାଉଛି ।
ସୁଆର ସେବକ ଶ୍ରୀ ମହାପାତ୍ର କୁହନ୍ତି ଏହି ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍ ଥିବାରେ କମ୍ ପରିମାଣର ଭୋଗ ରନ୍ଧାହୁଏ । ଅନ୍ୟ ଦିନରେ ୬୦ରୁ ୭୦ କୁଇଣ୍ଟାଲ ଭଳି ଚାଉଳ ରନ୍ଧା ହେଉଥିଲେ ଅଣସର ସମୟରେ ଏହା ୩୦ କୁଇଣ୍ଟାଲ ହୋଇଯାଏ । ବରାଦି ଭୋଗ ମଧ୍ୟ କମ୍ ଥାଏ । ଅଣସରରେ ପ୍ରାୟ ଅଧା ଭଳି ସୁଆର ଶ୍ରୀମନ୍ଦିରରେ ଭୋଗ ରାନ୍ଧିବାକୁ ଯାଇ ନଥାନ୍ତି । ଆମର ଅନେକ ସେବକ ଭାଇ ଛୁଟି ଦିନ ଭଳି କିଏ କୁଆଡ଼େ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପୂଜା କରାଯାଉଛି । ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମା ବିଜେ ହୋଇ ପୂଜା ପାଉଛନ୍ତି । ଦର୍ଶନାର୍ଥୀ ପଟିଦିଅଁଙ୍କୁ ମୁଣ୍ଡିଆ ମାରି ମହାପ୍ରସାଦ ସେବା କରୁଛନ୍ତି ।