02 JULY 2026

Welcome!

Unlock your personalized experience.
Sign Up

HumanTrafficking: ହାଇଦ୍ରାବାଦରେ ଯୁବତୀ ବିକ୍ରି ମାମଲା : ଗଜପତିର ୭ ଆଦିବାସୀ ଝିଅ ଉଦ୍ଧାର,୨ ଦଲାଲକୁ ବାନ୍ଧିଲା ପୁଲିସ

Jul 02, 2026 - 11:39
HumanTrafficking: ହାଇଦ୍ରାବାଦରେ ଯୁବତୀ ବିକ୍ରି ମାମଲା : ଗଜପତିର ୭ ଆଦିବାସୀ ଝିଅ ଉଦ୍ଧାର,୨ ଦଲାଲକୁ ବାନ୍ଧିଲା ପୁଲିସ

ମୋହନା,୦୨/୦୭: ଗଜପତିର ୭ ଆଦିବାସୀ ଝିଅଙ୍କୁ  ହାଇଦ୍ରାବାଦରେ ବିକ୍ରି କରାଯାଇଛି ।  ୭ ଝିଅଙ୍କୁ ୭୦ ହଜାର ଟଙ୍କା ଡିଲ୍‌  ହୋଇଥିଲା । ଗଜପତି ଜିଲ୍ଲା ଅଡ଼ବା ପୁଲିସ ଚଢ଼ଉ କରି ହାଇଦ୍ରାବାଦର  ଗୋଟିଏ ସ୍ଥାନରୁ ସମସ୍ତ ଝିଅଙ୍କୁ  ଉଦ୍ଧାର କରାଯାଇଛି । ବୁଧବାର ଅଡ଼ବା  ଥାନାରେ ଅନୁଷ୍ଠିତ ସାମ୍ବାଦିକ  ସମ୍ମିଳନୀରେ ରା.ଉଦୟଗିରି  ଏସ୍‌ଡିପିଓ ରାକେଶ ସାହୁ ସୂଚନା  ଦେଇଛନ୍ତି । ଏହି ଘଟଣାରେ ୨  ଦଲାଲ ହାଇଦ୍ରାବାଦର ସରିତା  ଜୈନ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା  ଗୁମକୁଡି ଗାଁର ଈଶ୍ୱର କୁସିଲିଆଙ୍କୁ ଗିରଫ  କରାଯାଇ କୋର୍ଟ ଚାଲାଣ କରାଯାଇଥିବା  ଏସ୍‌ଡିପିଓ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୧  ତାରିଖ ଦିନ ଡାଳିମ୍ବପୁର ଗାଁର ରିମ୍ପି ମଣ୍ଡଳ  ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ  ତାଙ୍କ ଭଉଣୀ କୁଆଡେ ଚାଲିଯାଇଛି । ଏହାପରେ  ଗତ ୨୪ ତାରିଖରେ ନିରୁଦ୍ଧିଷ୍ଟ ଥିବା ତାଙ୍କ ଭଉଣୀ  ପରିବାର ଲୋକଙ୍କୁ ଫୋନ କରି କହିଥିଲେ ଯେ  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳର ଈଶ୍ୱର  ଚାକିରି ଦେବା ନାଁରେ ତାଙ୍କୁ ଓ  ତାଙ୍କର ଜଣେ ସାଙ୍ଗକୁ ହାଇଦ୍ରାବାଦ   ନେଇଯାଇଛନ୍ତି । ସେଠାରେ ଗୋଟିଏ  ଘରେ ରଖି ସେମାନଙ୍କୁ ଶାରୀରିକ,  ମାନସିକ ନିର୍ଯାତନା ଦେଉଛନ୍ତି ।  

ଅଧିକ ପଢ଼ନ୍ତୁ :-  Jan Seva Kendra Fraud: ଜନସେବା କେନ୍ଦ୍ର ମାଲିକଙ୍କ ଦ୍ବାରା ବଡ଼ ଜାଲିଆତି; ମୃତ ଶ୍ରମିକଙ୍କ ଟଙ୍କା ହଡ଼ପ କରି ଚମ୍ପଟ

ଏନେଇ ପୁଲିସ ତଦନ୍ତ କରିବା ସହ  ମହିଳା ସବ୍‌ଇନ୍ସପେକ୍ଟର ନଳିନୀ  କଅଁରଙ୍କ ନେତୃତ୍ୱରେ ପୁଲିସ  ଟିମ ହାଇଦ୍ରାବାଦ ଯାଇଥିଲେ । ସେଠାରେ ହାଇଦ୍ରାବାଦ ପୁଲିସ  ସହାୟତାରେ ସରିତା ଜୈନଙ୍କ ଘରେ  ଚଢ଼ଉ କରିଥିଲେ । ତାଙ୍କ ଘରୁ ୭  ଆଦିବାସୀ ଝିଅଙ୍କୁ ଉଦ୍ଧାର କରିଥିଲା  ପୁଲିସ । ସେମାନଙ୍କ ମଧ୍ୟରେ ୬ ନାବାଳିକା  ଅଛନ୍ତି । ତଦନ୍ତରୁ ଜଣା ପଡିଥିଲା ଯେ ଦଲାଲ  ଈଶ୍ୱର ସେମାନଙ୍କୁ ନେଇ ୭୦ ହଜାର ଟଙ୍କାରେ ସରିତାଙ୍କ ପାଖରେ ବିକ୍ରି କରିଦେଇଥିଲେ ।  ସେଠାରେ ଝିଅ ମାନଙ୍କୁ ବିଭିନ୍ନ କାମ କରିବା  ଆଳରେ ନିର୍ଯାତନା ଦିଆଯାଉଥିଲା ବୋଲି ଏସ୍‌ଡିପିଓ କହିଛନ୍ତି । ଏହି ସାମ୍ବାଦିକ  ସମ୍ମିଳନୀରେ ଅଡବା ଥାନା ଅଧିକାରୀ ସନ୍ତୋଷ  ବିଷୋୟୀ ଉପସ୍ଥିତ ଥିଲେ ।