ରଜ ରିଲିଜ

Jun 15, 2026 - 17:18
ରଜ ରିଲିଜ

 

ଓଡ଼ିଶାର ସବୁଠାରୁ ବଡ଼ ସାଂସ୍କୃତିକ  ତଥା ଗଣପର୍ବ 'ରଜ' ଅବସରରେ ଓଲିଉଡ୍ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାସମର ଦେଖିବାକୁ ମିଳୁଛି । ପ୍ରତିବର୍ଷ ଭଳି ଚଳିତ ୨୦୨୬ ମସିହାର ରଜ ବଜାରକୁ ସରଗରମ କରିବା ପାଇଁ ଓଡ଼ିଆ ସିନେମା ଜଗତର ବଡ଼ ବଡ଼ ପ୍ରଯୋଜନା ସଂସ୍ଥା ଓ ସୁପରଷ୍ଟାରମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଚଳିତ ରଜ ଋତୁରେ ଭିନ୍ନ ଭିନ୍ନ ସ୍ୱାଦର ଚାରି-ଚାରିଟି ମେଗା ଓଡ଼ିଆ ଚଳଚ୍ଚିତ୍ର ଏକାସଙ୍ଗେ ଜୁନ୍ ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହା ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ସସପେନ୍ସ ଥ୍ରୀଲରଠାରୁ ଆରମ୍ଭ କରି ରୋମାଣ୍ଟିକ୍ ଡ୍ରାମା ଏବଂ ଐତିହାସିକ କାହାଣୀ ପର୍ଯ୍ୟନ୍ତ, ଏହି ବର୍ଷର ରଜକୁ ବେଶ ମନୋରଞ୍ଜନକର କରିବ ।

ଛକି ଶୁନ

ରଜ ୨୦୨୬ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଚଳଚ୍ଚିତ୍ର 'ଛକି ଶୁନ'। ମାନସ ପାଢ଼ିଆରୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବଙ୍କ ସହ ସମ୍ଭାବନା ମହାନ୍ତି, ସୁକୁମାର ଟୁଡୁ ଏବଂ ଅଭିଷେକ ପଣ୍ଡା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ଜଟିଳ ହତ୍ୟାକାଣ୍ଡର ରହସ୍ୟାବୃତ ତଦନ୍ତ ଉପରେ ଆଧାରିତ । ନିକଟରେ ମୁକ୍ତିଲାଭ କରିଥିବା ଏହାର ଟ୍ରେଲର୍ ଓ ଟିଜର୍ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି, ଯେଉଁଥିରେ ଅନୁଭବ ଜଣେ ତଦନ୍ତକାରୀ ଅଫିସର ଭାବେ ରହସ୍ୟର ପର୍ଦ୍ଦାଫାଶ କରୁଥିବା ଦେଖିବାକୁ ମିଳୁଛି । ବହୁ ଦିନ ପରେ ଅନୁଭବଙ୍କୁ ଏଭଳି ଏକ ଦମଦାର୍ ଏବଂ ଗମ୍ଭୀର ରୋଲ୍ରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଚାହିଁ ରହିଛନ୍ତି ।

ଶିକାର

'ମୁନ୍ ଟିଭି ମୁଭିଜ୍' ବ୍ୟାନରରେ ନିର୍ମିତ 'ଶିକାର' ଚଳଚ୍ଚିତ୍ର ମାଧ୍ୟମରେ ଆକ୍ସନ ଷ୍ଟାର୍ ଅମ୍ଳାନ ଦାସ ଏକ ଜବରଦସ୍ତ କ୍ରାଇମ୍ ଥ୍ରୀଲର ସହ ପରଦାକୁ ଫେରୁଛନ୍ତି । ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ହାଇ-ଭୋଲଟେଜ୍ ସିନେମାରେ ଅମ୍ଳାନଙ୍କ ସହ ଲିଡ୍ ରୋଲ୍ରେ ନଜର ଆସିବେ ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଚଳଚ୍ଚିତ୍ରର କାହାଣୀରେ ଆକ୍ସନ, ସସପେନ୍ସ ଏବଂ ମନଛୁଆଁ ଇମୋସନର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିବ । ଏଲିନା ଏଥିରେ ଜଣେ ଆଇନଜୀବୀ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଅମ୍ଳାନଙ୍କ ଚରିତ୍ର ସହ ଜଡ଼ିତ ଏକ ବଡ଼ ଅପରାଧିକ ମାମଲାର ରହସ୍ୟ ଖୋଜୁଛନ୍ତି । ଦମଦାର୍ ଗୁଳିବିନିମୟ ଏବଂ କୋର୍ଟରୁମ୍ ଡ୍ରାମା ଥିବା ଏହି ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ଦି ମିଲେଟ୍ ଡାଏରୀ

'ଇନଫାଇସନ୍ ଏଣ୍ଟରଟେନମେଣ୍ଟ' ପ୍ରଯୋଜିତ 'ଦି ମିଲେଟ୍ ଡାଏରୀ' ଚଳିତ ରଜ ବଜାରକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ଓ ସାଂସ୍କୃତିକ ଅନୁଭୂତି ପ୍ରଦାନ କରିବ । ଏହି ବ୍ୟତିକ୍ରମଧର୍ମୀ ସିନେମାରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିଷେକ ପଣ୍ଡା ଏବଂ ଶିବାନୀ ସଙ୍ଗୀତା ମୁଖ୍ୟ ଭୂମିକାରେ ନଜର ଆସିବେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ଜନଜାତି ସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ରଟି ଗତିଶୀଳ । ଅତୀତର ସେହି ସମୟର ପୃଷ୍ଠଭୂମି ଉପରେ ଏହା ଆଧାରିତ ଯେତେବେଳେ ମାଣ୍ଡିଆ (ମିଲେଟ୍) ମାନବ ସଭ୍ୟତାର ବଞ୍ଚିବା ଓ ବିକାଶର ମୁଖ୍ୟ ଆଧାର ଥିଲା । ଇତିହାସ, ସଂସ୍କୃତି ଏବଂ ଏକ ନିଆରା ପ୍ରେମ କାହାଣୀର ଫ୍ୟୁଜନ ହୋଇଥିବାରୁ ଏହା ପାରିବାରିକ ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ପସନ୍ଦ ସାଜିବ ।

 

ଡାଏରୀ

 ଓଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ଏବଂ 'ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ' ବ୍ୟାନରରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର 'ଡାଏରୀ' । ଏଥିରେ ଆକ୍ସନ ହିରୋ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ନିଜର ଚିରାଚରିତ ଷ୍ଟାଇଲ୍ ବଦଳାଇ ସମ୍ପୂର୍ଣ୍ଣ ଭିନ୍ନ ଏବଂ ରୋମାଣ୍ଟିକ୍ ଅବତାରରେ ନଜର ଆସୁଥିବା ବେଳେ ତାଙ୍କ ସହ ଅଛନ୍ତି ଜାସମିନ୍ ରଥ ଓ ପ୍ରଜ୍ଞା ମିଶ୍ର ।  ଅର୍ଦ୍ଧେନ୍ଦୁଙ୍କୁ ଏଥର ଦର୍ଶକେ ଜଣେ ଭାବପ୍ରବଣ ଓ ପ୍ରେମୀ ଯୁବକ ଭୂମିକାରେ ଦେଖିବାକୁ ପାଇବେ । ପ୍ରେମ, ହୃଦୟଭଙ୍ଗା ଆବେଗ ଏବଂ ଅନେକ ଲୁକ୍କାୟିତ ରହସ୍ୟକୁ ନେଇ 'ଡାଏରୀ'ର ପ୍ରତିଟି ପୃଷ୍ଠା ଖୋଲିବ, ଯାହା ହଲକୁ ଆସୁଥିବା ରୋମାଣ୍ଟିକ୍ ସିନେପ୍ରେମୀଙ୍କୁ ଭାବବିହ୍ୱଳ କରିଦେବବୋଲି ମେକର୍ସ ଆଶା ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।