୨୫ ଦିନର ଅନସନ ପରେ ସୋନମଙ୍କ ସହ ସରକାରଙ୍କର ୧୦ ମିନିଟ୍‌ ବୈଠକ

Jul 22, 2026 - 14:25
୨୫ ଦିନର ଅନସନ ପରେ ସୋନମଙ୍କ ସହ ସରକାରଙ୍କର ୧୦ ମିନିଟ୍‌ ବୈଠକ

ନୂଆଦିଲ୍ଲୀ: ଦୀର୍ଘ ୨୫ ଦିନର ଅନସନ ସମୟରେ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ମିଳିବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗତକାଲି ସନ୍ଧ୍ୟାରେ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୨୧ ଜୁଲାଇ ସନ୍ଧ୍ୟା ୬:୪୫ରେ, ଦେଶର ରାଜଧାନୀରେ ଦୁଇଟି ପୃଥକ ପ୍ରତିବାଦ ଚାଲିଥିବା ବେଳେ ସାଇରନ୍ ବିନା ଏକ ଆମ୍ବୁଲାନ୍ସରେ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ନିଆଯାଇଥିଲା। ସେହି ସମୟରେ ଏକପଟେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିରୋଧୀ ଦଳର ପ୍ରତିବାଦ ଓ ଅନ୍ୟପଟେ ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଥିଲା। ଜୁଲାଇ ୧୮ରେ, ତାଙ୍କର ଆମରଣ ଅନସନର ୨୧ତମ ଦିନରେ, ଦିଲ୍ଲୀ ପୁଲିସ ୱାଙ୍ଗଚୁକଙ୍କୁ କକ୍‌ରୋଚ ଜନତା ପାର୍ଟିର ପ୍ରତିବାଦ ସ୍ଥଳରୁ ଉଠାଇ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ତାଙ୍କ ପସନ୍ଦର ହସ୍ପିଟାଲକୁ ନିଆଯାଇଥିଲା। ତେବେ ଦୀର୍ଘ ୨୫ ଦିନ ପରେ ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲ ଆଇସିୟୁରେ ୱାଙ୍ଗଚୁକଙ୍କୁ ଭେଟିଥିଲେ। ଅନସନର ୨୫ତମ ଦିନରେ ମଧ୍ୟ ସେ ଡାକ୍ତରୀ ନଜରରେ ରହିଥିଲେ ଏବଂ ଅନସନ ଜାରି ରଖିବାରେ ଦୃଢ଼ ରହିଥିଲେ।
ଉଲ୍ଲେଖଯୋଗ୍ୟ ସଫଦରଜଙ୍ଗରୁ ମେଦାନ୍ତା ପର୍ଯ୍ୟନ୍ତ ପ୍ରାୟ ୨୪ କିଲୋମିଟର ରାସ୍ତା ସାଧାରଣତଃ ପ୍ରାୟ ଏକ ଘଣ୍ଟାରେ ଅତିକ୍ରମ କରାଯାଏ। କିନ୍ତୁ ସହରରେ ରାସ୍ତା ଅବରୋଧ ଓ ଭାରି ଯାତାୟାତ ଯୋଗୁଁ ଗତକାଲି ଏହି ଯାତ୍ରାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ମେଦାନ୍ତରେ ପହଞ୍ଚିବା ପରେ ଡାକ୍ତରମାନେ କହିଥିଲେ ଯେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ତାଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ଅଛି। ରାତି ପ୍ରାୟ ୧୧:୩୦ରେ, ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ମେଦାନ୍ତା ହସ୍ପିଟାଲର ଆଇସିୟୁ-୮ରେ ପହଞ୍ଚି ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିଥିଲେ। ବୈଠକ ସମୟରେ ଡାକ୍ତରମାନଙ୍କୁ ବାହାରକୁ ଯିବାକୁ କୁହାଯାଇଥିଲା। ପ୍ରାୟ ୧୦ ମିନିଟର ଏହି ବୈଠକରେ କ'ଣ ଆଲୋଚନା ହୋଇଥିଲା, ତାହା ସାର୍ବଜନୀନ କରାଯାଇନାହିଁ। ବୈଠକ ପରେ ଉଭୟ ମନ୍ତ୍ରୀ ସେଠାରୁ ଚାଲିଯାଇଥିଲେ। ଡାକ୍ତରମାନଙ୍କ ଏକ ବିଶେଷଜ୍ଞ ଦଳ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ନୂଆ ରକ୍ତ ପରୀକ୍ଷା କରାଯାଇଛି ଏବଂ ଏହାର ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଉଛି। ରିପୋର୍ଟ ସନ୍ତୋଷଜନକ ହେଲେ ବୁଧବାର ସନ୍ଧ୍ୟା ସୁଦ୍ଧା ତାଙ୍କୁ ଏକ ସାଧାରଣ ବେସରକାରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇପାରେ।
ଡାକ୍ତରମାନେ ବିଶେଷ କରି ତାଙ୍କ ପୋଟାସିୟମ୍ ଓ ସୋଡିୟମ୍ ସ୍ତର ଉପରେ ନଜର ରଖିଛନ୍ତି, କାରଣ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ୨୫ ଦିନ ଧରି ଖାଦ୍ୟ ନ ଖାଇବା ପରେ, ଶରୀର ପ୍ରଥମେ ସଞ୍ଚିତ ଶର୍କରା ବ୍ୟବହାର କରେ, ପରେ ଚର୍ବିକୁ ଶକ୍ତିରେ ପରିଣତ କରିବା ଆରମ୍ଭ କରେ। ମସ୍ତିଷ୍କକୁ ଗ୍ଲୁକୋଜର ଆବଶ୍ୟକତା ଥିବାରୁ ଶରୀର ମାଂସପେଶୀର ପ୍ରୋଟିନ୍ ଭାଙ୍ଗି ଗ୍ଲୁକୋଜ ତିଆରି କରେ। ଏହି କାରଣରୁ ଦୀର୍ଘ ସମୟର ଅନସନରେ ଓଜନ କମିବା ସହ ମାଂସପେଶୀ ମଧ୍ୟ କ୍ଷୟ ହୋଇଥାଏ। ଏହା ସହିତ ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ମଧ୍ୟ ବିଗିଡ଼ିଯାଇପାରେ। ସୋଡିୟମ୍ ଓ ପୋଟାସିୟମ୍ ହୃଦୟ ଏବଂ ସ୍ନାୟୁର ସଠିକ୍ କାର୍ଯ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ। ବିଶେଷକରି ପୋଟାସିୟମ୍ ହଠାତ୍ କମିଗଲେ ହୃଦୟର ସ୍ପନ୍ଦନ ଅନିୟମିତ ହୋଇପାରେ। ଦୀର୍ଘ ଅନସନ ପରେ ପୁଣି ଖାଦ୍ୟ ଆରମ୍ଭ କରିବା ବେଳେ ମଧ୍ୟ ଡାକ୍ତରମାନେ ସତର୍କ ରହିଛନ୍ତି, କାରଣ ହଠାତ୍ ଖାଦ୍ୟ ଦେଲେ ରିଫିଡିଂ ସିଣ୍ଡ୍ରୋମ୍ ହେବାର ଆଶଙ୍କା ଥାଏ, ଯାହା ହୃଦୟ ଉପରେ ଅତିରିକ୍ତ ଚାପ ପକାଇପାରେ। ବର୍ତ୍ତମାନ ସୁଦ୍ଧା ୱାଙ୍ଗଚୁକ ମେଦାନ୍ତା ହସ୍ପିଟାଲରେ ଡାକ୍ତରୀ ନଜରରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଥିବା ବେଳେ ସେ ଅନସନ ଜାରି ରଖିବାକୁ ଦୃଢ଼ ସଂକଳ୍ପବଦ୍ଧ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।