ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ
ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ ସ୍ବାମୀଜୀଙ୍କ ଅନୁଗତ୍ୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି।
ଦାରିଙ୍ଗବାଡି ଭାଜପା ମଣ୍ଡଳ ସଭାପତି ମିଟୁ ସାହୁଙ୍କ ସମେତ ଉପସଭାପତି ସୁବାଷ ସାହୁ,ସାଧାରଣ ସମ୍ପାଦକ ରୁଦ୍ର ମାଧବ ସାହୁ, ରଞ୍ଜନ ସାହୁ, ହରେନ ସାହୁ, ଜିଲା ଉପସଭାପତି ଅଜିତ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ଦିଲୀପ ସାହୁ, ସମେତ ଶତାଧିକ କର୍ମକର୍ତ୍ତା ଏଥିପାଇଁ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହିପରି ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସ୍ମୃତିରେ ଘୋଷଣା କରାଯାଇଥିବା ଏହି ନିଷ୍ପତିକୁ ହୃଦୟର ସହ ସ୍ବାଗତ କରିବା ସହ ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଓ ଏହା ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ଏମପି କହିଛନ୍ତି ଯେ, କନ୍ଧମାଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜନଜାତି ସମାଜର ଶିକ୍ଷା, ସେବା, ସଂସ୍କୃତି ଓ ସାମାଜିକ ଜାଗରଣ କ୍ଷେତ୍ରରେ ସ୍ବାମୀଜୀଙ୍କ ଅତୁଳନୀୟ ଅବଦାନକୁ ଏହା ଏକ ଉଚିତ ସମ୍ମାନ ମିଳିଥିବା ସେ କହିଛନ୍ତି ସେହିପରି ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ ଓ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା (CMSA) ପାଣ୍ଠିରୁ ୧୩ କୋଟି ମଞ୍ଜୁର କରାଯିବା ପାଇଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅର୍ଥରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ଆଶ୍ରମର ଐତିହ୍ୟ ସଂରକ୍ଷଣ, ମେଗା ରିଭର ଲିଫ୍ଟ ଜଳଯୋଗାଣ ପ୍ରକଳ୍ପ, ଶ୍ରେଣୀଗୃହ ଓ ହଷ୍ଟେଲର ନବୀକରଣ ସହ ବିଭିନ୍ନ ମୌଳିକ ସୁବିଧାର ବିକାଶ କରାଯିବ।
ସେ ଆହୁରି କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅମର ଐତିହ୍ୟକୁ ସଂରକ୍ଷିତ କରିବ ନୁହେଁ, ବରଂ କନ୍ଧମାଳର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। କନ୍ଧମାଳ ଲୋକସଭା କ୍ଷେତ୍ରର ସମସ୍ତ ଜନସାଧାରଣଙ୍କ ପକ୍ଷରୁ ଏମପି ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇବା ସହ ଏହି ଐତିହାସିକ ନିଷ୍ପତ୍ତି କନ୍ଧମାଳର ବିକାଶ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।