ଭୂସ୍ଖଳନ, ବନ୍ୟା ଓ ଜଳବନ୍ଦୀ ଯୋଗୁଁ ବିଭିନ୍ନ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ୍ ୨୭ରେ ଦିଲ୍ଲୀରେ ପହଞ୍ଚି ଥାଏ। ଏଥର ସାମାନ୍ୟ ବିଳମ୍ବରେ ଗୁରୁବାର ସକାଳେ ପହଞ୍ଚି ଥିଲା। ଫଳରେ ବର୍ଷା ଯୋଗୁ ଜାତୀୟ ରାଜଧାନୀରେ ଲୋକମାନେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ପାଇଥିଲେ। ତେବେ ମୌସୁମୀ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଆଣିଛି। ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ବୁଧବାର ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ, ବନ୍ୟା ଓ ଜଳବନ୍ଦୀ ଯୋଗୁଁ ବିଭିନ୍ନ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଗାମୀ ଦିନରେ ଦକ୍ଷିଣ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି।
ହିମାଚଳ ପ୍ରଦେଶରେ ସିମଲା, ମନାଲି ଓ ଧର୍ମଶାଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ବର୍ଷାଜନିତ କାରଣରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଅଟ ନିକଟରେ ଏକ ପଥର ଖସିବା ଫଳରେ ସୋଲାନ ଜିଲ୍ଲାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ଅନୁଯାୟୀ, କାଙ୍ଗ୍ରା ଜିଲ୍ଲାରୁ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି, ଯେଉଁଥିରେ ବିଦ୍ୟୁତ୍ ଆଘାତ ଓ ଉଚ୍ଚ ସ୍ଥାନରୁ ଖସି ପଡ଼ିବାରୁ ଜଣେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ହିମାଚଳ ପ୍ରଦେଶରେ ପହଞ୍ଚିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବୁଧବାର ସୁଦ୍ଧା ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଛି। ଅନ୍ୟପକ୍ଷରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ବୁଧବାର ପ୍ରତ୍ୟୁଷରେ ନାଗୋରୀ ଅଞ୍ଚଳରେ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଘର ଭାଙ୍ଗିଯିବାରୁ ଦୁଇ ଜଣ ଝିଅଙ୍କ ସମେତ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି। ରାତିସାରା ପ୍ରବଳ ବର୍ଷା ଯୋଗୁଁ ଘରଟି ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ପ୍ରଭାବିତ ଅରୁଣାଚଳ ପ୍ରଦେଶରେ ରିଲିଫ୍ ଓ ପୁନର୍ବାସ ପ୍ରୟାସ ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଘର, ରାସ୍ତା, ସେତୁ ଓ ସର୍ବସାଧାରଣ ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଥିଲା। ରାଜ୍ୟରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ଓ ଦୁଇଜଣ ନିଖୋଜ ଅଛନ୍ତି। ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶପଥ ଓ ସ୍ଥଳ ପଥରେ ସର୍ଭେ କରିଛନ୍ତି।