ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ପ୍ରକୋପ

Jul 02, 2026 - 21:49

କାବୁଲ: ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ଭୂମିକମ୍ପ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସେତେବେଳେ ଲୋକେ ଗଭୀର ନିଦରେ ଶୋଇଥିଲେ। ଭୂମିକମ୍ପ ଯୋଗୁ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏବଂ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ,ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା। ଭାରତୀୟ ସମୟ ପ୍ରାୟ ରାତି ୧୧:୨୭ ରେ ଭୂମିକମ୍ପ ଘଟିଥିବା ରେକର୍ଡ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପୂର୍ବ ଆଫଗାନିସ୍ତାନର ଜୁର୍ମ ଅଞ୍ଚଳ ନିକଟରେ ଥିଲା। ବୈଜ୍ଞାନିକଙ୍କ ଅନୁସାରେ, ଭୂମିକମ୍ପ ଭୂମି ତଳେ ବହୁତ ଗଭୀରତାରେ ହୋଇଥିଲା। ଭୂମିକମ୍ପ ଭୃପୃଷ୍ଠରୁ ୧୭୩ କିଲୋମିଟରରୁ ୨୧୬.୭ କିଲୋମିଟର ଗଭୀରତା ମଧ୍ୟରେ ସୃଷ୍ଟି ହୋଇଥିବା ଆକଳନ କରାଯାଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ଭୂମିକମ୍ପ ଅଧିକ ଗଭୀରତାରେ ସୃଷ୍ଟି ହୋବା ଯୋଗୁଁ କମ୍ପନ ତୁଳନାତ୍ମକ ଭାବରେ କମ୍ ଥିଲା। ଫଳରେ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇ ଦେଇଥିଲା। ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନିର ରିପୋର୍ଟ ହୋଇନାହିଁ।
ଏହା ପୂର୍ବରୁ ଶନିବାର, ଜୁନ୍ ୨୭ ତାରିଖରେ, ଉତ୍ତର-ପୂର୍ବ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ବାଦାଖଶାନ ପ୍ରଦେଶ ଥିଲା। ଏହି ଭୂମିକମ୍ପ ପାକିସ୍ତାନ ଏବଂ ଉତ୍ତର ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ସୂଚନାଯୋଗ୍ୟ,ଆଫଗାନିସ୍ତାନକୁ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଭୂବିଜ୍ଞାନୀମାନଙ୍କ ମତରେ, ଏହି ଦେଶ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ର ଧକ୍କା ଜୋନ୍‌ରେ ଅବସ୍ଥିତ । ଏହା ବ୍ୟତୀତ, ହେରାତ୍ ଭଳି ଅଞ୍ଚଳ ଦେଇ ପ୍ରମୁଖ ଫଲ୍ଟ ଲାଇନ ଯାଇଛି। ହିନ୍ଦୁକୁଶ ପର୍ବତମାଳା ଏହି ଅଞ୍ଚଳକୁ ଆହୁରି ଦୁର୍ବଳ କରିଥାଏ। ଫଳରେ ଦେଶରେ ଅଧିକାଂଶ ସମୟରେ ଭୂମିକମ୍ପ ସୃଷ୍ଟି ହୋଇଥାଏ।