ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି

Jun 29, 2026 - 23:27

ମାଲକାନଗିରି: ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ସୂଚନା ଦେଇ କହିଛନ୍ତି ଯେ, ଗତ ୨୦୨୧ରେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲାର ମାଦାସୁ ଜନ ପାଉଲ ଓରଫ ଜଗଦୀଶ ପାଉଲ ଏବଂ ଇନ୍ତୁରି ଅରୁଣା ଓରଫ ଅର୍ଚ୍ଚନା ନାମକ ମହିଳା ନିଜକୁ ସ୍ବାମୀ ସ୍ତ୍ରୀ ବୋଲି କହି ମାଲାକନଗିରି ସଦର ମହକୁମାର ରକହିଲ ଲର୍ଜରେ କିଛିଦିନ ରହିଥିଲେ। ସେଠାରୁ ସେମାନେ ମାଲାକନଗିରି ସହରର ପ୍ରସାଦ ଜୁଏଲାରୀ ଦୋକାନ ମାଲିକ ସୁବାଷ ରାଜାରାମ ପାଟିଲଙ୍କ ସହ ପରିଚୟ ବଢାଇବା ସହ ତାଙ୍କ ଘରେ ଭଡାରେ ରହିବେ ବୋଲି କହିଥିଲେ। ଏପରିକି ସେମାନେ ମାଲକାନଗିରିରେ ଚାକିରି ନିମନ୍ତେ ଆସିଥିବା ପ୍ରକାଶ କରିଥିଲେ। ଫଳରେ ସୁବାଷ ପାଟିଲ ତାଙ୍କ ଘର ନିକଟରେ ଥିବା ଏକ ଘରକୁ ଭଡାରେ ଦେଇଥିଲେ। ସେହି ଦିନଠାରୁ ସୁବାସ ପାଟିଲଙ୍କ ଗତିବିଧି ଉପରେ ଦମ୍ପତି ନଜର ରଖିଥିଲେ। ସୁବାଷ କେଉଁ ସମୟରେ ଦୋକାନକୁ ଯାଉଥିଲେ, ସେଠାରୁ ଫେରିବା ସମୟରେ ସୁନା ଗହଣା ଧରି ଆସିବା, ପୁଣି ଦୋକାନକୁ ନେବା ସବୁ ନଜର ରଖିଥିଲେ।

ଉକ୍ତ ଘରେ ୩ମାସ ଭଡ଼ା ରହିବା ପରେ ୨୦୨୧ ମାର୍ଚ୍ଚ ୨ ତାରିଖରେ ଜଗଦୀଶଙ୍କୁ ଚାକିରି ମିଳିଲା ବୋଲି କହି ସାହିର ସମସ୍ତଙ୍କୁ ମିଠା ବାଣ୍ଟିଥିଲେ। ତେବେ ଏହା ସେମାନଙ୍କର ଏକ ଚାଲ ହୋଇଥିବା ବେଳେ ଉକ୍ତ ମିଠାରେ ପୂର୍ବରୁ ନିଶା ଔଷଧ ମିଶ୍ରିତ କରି ସାହିବାସିନ୍ଦାଙ୍କୁ ଦେଇଥିଲେ। ମିଠା ଖାଇବା ପରେ ସାହିର ସମସ୍ତେ
ଅଚେତ ହୋଇପଡିଥିବା ବେଳେ ସୁବାଷ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ମିଠା ଖାଇ ଅଚେତ ହୋଇପଡିଥିଲେ। ପରେ ଅଭିଯୁକ୍ତ ଦମ୍ପତି ଏକ ଲୁହା କଟର ମେଶିନରେ ସୁବାଷଙ୍କ ଘର ଝରକାକୁ କାଟି ଘରୁ ସୁନାଗହଣା
ଚୋରି କରି ନେଇଥିଲେ। ଏ ସମ୍ବନ୍ଧରେ ସୁବାଷ ପରବର୍ତ୍ତୀ ଦିନ ସକାଳେ ସୁନା ଗହଣା ଚୋରି ହୋଇଥିବା ଜାଣି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ୭୦୦ ଗ୍ରାମ ସୁନା ଚୋରି ହୋଇଥିବା
ଅଭିଯୋଗରେ ଦର୍ଶାଇ ଥିଲେ। ଅଭିଯୋଗକୁ ଭର୍ତ୍ତି କରି ମାଲକାନଗିରି ପୋଲିସ ତଦନ୍ତ ଜାରି ରଖିଥିଲା। ବେଳେ ଏହି ଦମ୍ପତି ତାମିଲନାଡୁର କନ୍ୟାକୁମାରୀଠାରେ ଥିବା ଏକ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ସେଠାରୁ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରିଥିଲା।

ପୋଲିସ ତାଙ୍କ ନିକଟରୁ ୨ଟି ପିସ୍ତଲ, ୯ଟି ଅଫୁଟା ଗୁଳି, ୨୦୦ ଗ୍ରାମ ତରଳାଇଥିବା ସୁନା ଖଣ୍ଡ, ଗୋଟିଏ ଲ୍ୟାପ୍‌ଟପ୍‌, ୨ଟି ସୁନା ଓଜନ କରିବା ମେଶିନ, ଗୋଟିଏ ମୋଟର ସାଇକେଲ ଜବତ କରିଛି। ପୋଲିସ ସେମାନଙ୍କୁ
ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି କହିଛନ୍ତି। ସମ୍ମିଳନୀରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ, ଏସ୍‌ଡିପିଓ ରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।