ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

Jun 25, 2026 - 22:38
ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବ ପକ୍ଷରୁ ସହରରେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।

ଏହି ବାର୍ଷିକ ଉତ୍ସବ ସଭାରେ ଭଞ୍ଜନଗର ରୋଟାରୀ କ୍ଲବର ସଭାପତି ରଞ୍ଜିତ କୁମାର ବାରିକ୍ ଅଧ୍ୟକ୍ଷତା କରି କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଚଳିତ ବର୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟ ନେଇ କ୍ଲବ ପକ୍ଷରୁ ୩୫ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ଏହା ସହିତ ସଡ଼କ ସୁରକ୍ଷା ସଚେତନତା, ନିଶା ନିବାରଣ ଅଭିଯାନ, ରକ୍ତଦାନ ଶିବିର ଏବଂ ବନ ମହୋତ୍ସବ ସପ୍ତାହ ଭଳି ଅନେକ ଜନହିତକର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରାଯାଇଛି ବୋଲି ବାରିକ୍ ସୂଚନା ଦେଇଥିଲେ।

ଏହି ସମାରୋହରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସମାଜସେବା କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ପ୍ରଥମ ମହିଳା ମଧୁସ୍ମିତା ତ୍ରିପାଠୀ, ଜୋନାଲ ଚେୟାରମ୍ୟାନ ପ୍ରଦୀପ କୁମାର ପାଣିଗ୍ରାହୀ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଏବଂ କ୍ଲବର ପ୍ରଥମ ମହିଳା ସୁନିତା ରାଣୀ ବାରିକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ମିଶ୍ର, ୨୦୨୬-୨୭ ବର୍ଷର ଆସିଷ୍ଟାଣ୍ଟ ଗଭର୍ଣ୍ଣର ସି.ଏଚ୍. ମୋହନ ସୁବୁଦ୍ଧି, ରଞ୍ଜିତ କୁମାର ପାଢ଼ୀ, ଶୂଳପାଣି ସତପଥୀ, କବି ଅରୁଣାଚଳ ପତି, ଶଙ୍କର ଆଚାର୍ଯ୍ୟ, ସୁମିତ୍ରା ପଣ୍ଡା, ସନ୍ତୋଷ କୁମାର ଜେନା, ଜଗବନ୍ଧୁ ଜେନା, ପ୍ରଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ଏବଂ ପଞ୍ଚାନନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବାର୍ଷିକ ଉତ୍ସବ ଅବସରରେ କ୍ଲବର ଆଗାମୀ ବର୍ଷ (୨୦୨୬-୨୭) ପାଇଁ ନୂତନ କର୍ମକର୍ତ୍ତା ଚୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ନିର୍ବାଚିତ ନୂତନ ସଭାପତି ସଞ୍ଜୀବ କୁମାର ଚୌଧୁରୀ ଏବଂ ସମ୍ପାଦକ ସୁଶାନ୍ତ କୁମାର ବେହେରା, ଉପ ସଭାପତି ଶ୍ରୀନିବାସ ସୁବୁଦ୍ଧି, କୋଷାଧକ୍ଷ ଦିଲ୍ଲୀପ କୁମାର ରାଜୁ, ଯୁଗ୍ମ ସମ୍ପାଦକ ସୁମନ କୁମାର ପୃଷ୍ଟି ପ୍ରମୁଖ ଆସନ୍ତା ଜୁଲାଇ ୧ ତାରିଖରେ ଆନୁଷ୍ଠାନିକ ଭାବେ ନିଜ ନିଜର ପଦବୀ ଓ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily