ଚଳନ୍ତା ଟ୍ରେନ୍ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍ସିବିରେ ଭର୍ତ୍ତି
କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍ରୁ ଜଣେ ଯୁବକ ସିଧା ନଦୀବାଲିକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତେବେ ପାଣି ପରିବର୍ତ୍ତେ ନଦୀବାଲିରେ ପଡ଼ିଥିବାରୁ ଏକ ବଡ଼ ଦୁର୍ଯୋଗରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଭିନବ ବିଡ଼ାନାସୀ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। କାଠଯୋଡ଼ି ପାସେଞ୍ଜର ହଲଟ୍ ଏବଂ ଗୋପାଳପୁର-ବାଲିକୁଦା ପାସେଞ୍ଜର ହଲଟ୍ ମଧ୍ୟବର୍ତ୍ତୀ କାଠଯୋଡ଼ି ନଦୀ ବ୍ରିଜ୍ ଉପର ଦେଇ ଟ୍ରେନ୍ଟି ଯାଉଥିବା ବେଳେ ଯୁବକ ଜଣକ ହଠାତ୍ ତଳକୁ ଖସି ପଡ଼ିଥିଲେ।
ଯୁବକଙ୍କ ନିକଟରୁ ଉଦ୍ଧାର ହୋଇଥିବା ଏକ ବ୍ୟାଗ୍ରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ଆହତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଚଣ୍ଡିଗଁାର ଅଭିମନ୍ୟୁ ମହାକୁଡ଼ଙ୍କ ପୁଅ ମୁକ୍ତିକାନ୍ତ ମହାକୁଡ଼ (୨୩)। ସେ ବାରଙ୍ଗ ଷ୍ଟେଶନରୁ ଟ୍ରେନ୍ରେ ଚଢ଼ି ଭଦ୍ରକ ଅଭିମୁଖେ ଯାଉଥିଲେ ବୋଲି ତାଙ୍କ ପାଖରୁ ମିଳିଥିବା ରେଳ ଟିକେଟ୍ରୁ ସ୍ପଷ୍ଟ ଜଣାପଡ଼ିଛି।
କଟକ ଆରପିଏଫ୍ (RPF) ଟିମ୍ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀକୁ ପୂର୍ଣ୍ଣ ସହାୟତା କରିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ କଟକ ଆରପିଏଫ୍ ପକ୍ଷରୁ ଭଦ୍ରକ ଆର୍ପିଏଫ୍କୁ ଅବଗତ କରାଯାଇଛି, ଯେପରି ସେମାନେ ଆହତ ଯୁବକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ଅପରପକ୍ଷରେ, ବର୍ତ୍ତମାନ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ମୁକ୍ତିକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।