ବୈଭବ ଓ ଅଭିଷେକ ଶର୍ମା ଇଣ୍ଡିଆର ଲଙ୍ଗ ଟର୍ମ ଓପନର ହୋଇ ପାରିବେ ନାହିଁ … ଏମିତି ବିବୃତ୍ତି କାହିଁକି ଦେଲେ ମହମ୍ମଦ କୈଫ୍ ?
ନୂଆଦିଲ୍ଲୀ – ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସଞ୍ଜୁ ସାମସନଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିଛି। ସେ ୧୫ ବର୍ଷ ୯୯ ଦିନର ବୟସରେ ଡେବ୍ୟୁ କରି ଇତିହାସ ରଚିଛନ୍ତି। ବୈଭବଙ୍କ ସ୍ଥାନରେ ସଞ୍ଜୁଙ୍କୁ ଖେଳାଇବାର ନିଷ୍ପତ୍ତି ଟିମ୍ ମ୍ୟାନେଜମେଣ୍ଟ ପାଇଁ ସେତେ ସହଜ ନଥିଲା। କାରଣ ସଞ୍ଜୁ ସେହି ବ୍ୟାଟ୍ସମ୍ୟାନ, ଯିଏ ତିନୋଟି ଐତିହାସିତ ଇନିଂସ ଖେଳି ଭାରତକୁ ଟି-୨୦ ବିଶ୍ୱକପ୍ ୨୦୨୬ର ଟାଇଟଲ ଜିତାଇ ଥିଲେ। ସଞ୍ଜୁଙ୍କୁ ଡ୍ରପ୍ କରାଯିବା ଓ ବୈଭବଙ୍କୁ ଖେଳା ଯିବା ପରେ କ୍ରିକେଟ ପଣ୍ଡିତ ଓ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ଦୁଇ ପ୍ରକାରର ପ୍ରତିକ୍ରିୟା ଆସୁଛି। ଗୋଟେପଟେ ଲୋକେ ବୈଭବଙ୍କୁ ଖେଳାଇବାରେ ଖୁସି ଥିବେ ବେଳେ ,ଆଉ ଗୋଟେ ପଟେ ଲୋକେ ସଞ୍ଜୁଙ୍କ ଡ୍ରପ୍ ହେବା ଉଚିତ୍ କାର୍ଯ୍ୟ ନୁହେଁ କହୁଛନ୍ତି। ଏହି କ୍ରମରେ ଏବେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ନିଜର ମତ ରଖିଛନ୍ତି।
ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ମିଳିଥିବା ପରାଜୟ ପରେ ମହମ୍ମଦ କୈଫ୍ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଭାରତୀୟ ଟିମର ତ୍ରୁଟି ଓ ଭୁଲ ଗୁଡ଼ିକୁ ଦର୍ଶାଇ ଥିଲେ। ସେ ଭାରତୀୟ ଟି-୨୦ ସେଟଅପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳାଇବାକୁ ସ୍ୱାଗତ ନିଶ୍ଚୟ କରିଛନ୍ତି ,କିନ୍ତୁ ସଞ୍ଜୁଙ୍କ ସ୍ଥାନରେ ନୁହେଁ। ମହମ୍ମଦ କୈଫ୍ ନିଜ ଶୋ ରେ କହିଥିଲେ , ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଭାରତର ଲଙ୍ଗ ଟର୍ମ ଓପନର ହୋଇ ପାରିବେ ନାହିଁ। ଆପଣଙ୍କୁ ସଞ୍ଜୁଙ୍କୁ ପ୍ଲେଇଂ ଇଲେଭେନରେ ଆଣିବାକୁ ହିଁ ପଡ଼ିବ। ସେ ଏହା ପଛର କାରଣ ଲେଫ୍ଟ-ରାଇଟ୍ କମ୍ୱିନେସନକୁ ଦର୍ଶାଇ ଥିଲେ ଏବଂ ମନେପକାଇ ଥିଲେ ବିଶ୍ୱକପରେ ଯେବେ ସଞ୍ଜୁଙ୍କୁ ଟିମରେ ରଖାଯାଇ ନଥିଲା ଏବଂ ଇଶାନ କିଶନ –ଅଭିଷେକ ଶର୍ମା ଟିମରେ ଓପନିଂ କରୁଥିଲେ , ସେହି ସମୟରେ ଭାରତୀୟ ଓପନର ଯୋଡ଼ି ବଡ଼ ପାର୍ଟନରସିପ୍ କରି ପାରୁ ନଥିଲେ। ଏହା ପଛର କାରଣ ଅଫ୍ ସ୍ପିନ ବିପକ୍ଷରେ ଖେଳି ନପାରିବା ଥିଲା। କୈଫ୍ କହିଛନ୍ତି ଯଦି ବୈଭବ ଓ ଅଭିଷେକଙ୍କ ଯୋଡ଼ିକୁ ଆଗକୁ ଲଙ୍ଗ ଟର୍ମ ପାଇଁ ଦେଖିବାର ଅଛି ତ ଏହା ଠିକ୍ ହେବ ନାହିଁ, କାରଣ ଉଭୟ ବାମ ହାତର ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଫ୍ ସ୍ପିନ ବିପଦର ଘଣ୍ଟି ସାବ୍ୟସ୍ତ ହୋଇପାରେ।
ମହମ୍ମଦ କୈଫ୍ କହିଛନ୍ତି – ଭାରତୀୟ କ୍ରିକେଟ୍ ଟିମ୍ ଏଠାରେ ମଧ୍ୟ ଭୁଲ୍ କରୁଛି। ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଭାରତର ଟି-୨୦ ସେଟଅପର ଲଙ୍ଗ୍ ଟର୍ମ ଓପନର ହୋଇ ପାରିବେ ନାହିଁ। ଦୁଇ ବାମହାତୀ ଭାରତର ଓପନିଂ କରିପାରିବେ ନାହିଁ। ଟପ୍-୭ରେ ୬ ଜଣ ବାମହାତୀ ଅଛନ୍ତି ,ଏଥିପାଇଁ ସଞ୍ଜୁଙ୍କୁ ଖେଳାଇବା ହିଁ ଉଚିତ୍।
ଏହାସହ ମଧ୍ୟ ପଢନ୍ତୁ : Apple Economyରେ ହାହାକାର, ବିପଦରେ ୫୦୦୦ କୋଟିର ବ୍ୟବସାୟ... କିଏ ସାଜିଛି ଖଳନାୟକ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।