06 JULY 2026

Welcome!

Unlock your personalized experience.
Sign Up

New Train : ପୁରୀ-କୋରାପୁଟ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

Jul 06, 2026 - 19:42
New  Train : ପୁରୀ-କୋରାପୁଟ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ଭୁବନେଶ୍ୱର, ୬ ।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏବେ ଏକ ଟ୍ରାନ୍ସଫର୍ମେସନର ଯୁଗ ଆସିଛି। ସଡକ ଠାରୁ ଆରମ୍ଭ କରି ରେଳ, ବିମାନସେବା ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ରେଳ ଷ୍ଟେସନଠାରେ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି। ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଟ୍ରେନ ସପ୍ତାହକୁ ତିନି ଦିନ ଚାଲିବ । ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଯୋଡି ସମସ୍ତଙ୍କ ପାଇଁ ଏକ ସୁଖଦ ଯାତ୍ରାର ଅନୁଭବ ଆଣିବ। ବର୍ତ୍ତମାନ ରାଜ୍ୟର ସବୁ ଜିଲ୍ଲାରେ ରେଳ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି। ଓଡିଶାରେ ବର୍ତ୍ତମାନ ୯୭ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡିଶାର ୫୯ ରେଳ ଷ୍ଟେସନକୁ ‘ଅମୃତ ଭାରତ’ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିରେ ୧୮୪ କୋଟି ଟଙ୍କା ଖର୍ଚ୍ଚରେ ପୁରୀ ଷ୍ଟେସନର କାମ ମଧ୍ୟ ଚାଲୁ ରହିଛି। ପୁରୀର ସାଂସ୍କୃତିକ ଓ ଆଧ୍ୟତ୍ମିକ ବୈଭବକୁ ଦୃଷ୍ଟିରେ ରଖି ଏହାର ଡିଜାଇନ କରାଯାଇଛି। ଆସନ୍ତା ବର୍ଷ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଉପକୂଳ ଓଡିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସହ ଯୋଡିବା ପାଇଁ ବହୁ ଦିନରୁ ଜନସାଧାରଣଙ୍କ ଦାବୀ ରହିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ଚିଠି ଦ୍ୱାରା ଅନୁରୋଧ କରିଥିଲେ । ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ ଓଡିଶାର ଅନେକ ଜିଲ୍ଲାକୁ ପୁରୀ ସହ ଯୋଡିବ। ଦୁଇ ବର୍ଷ ତଳେ ଆମେ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ୫ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରିବୁ । ଦୁଇ ବର୍ଷରେ ୯୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଜାତୀୟ ରାଜପଥ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳଜୀଙ୍କ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା ପରି ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡିବା ପାଇଁ ମୋଦୀଜୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ କେନ୍ଦ୍ର ରେଳମନ୍ତ୍ରୀ ପୁରୀ-କୋରାପୁଟ ଟ୍ରେନ ପରି ଉତ୍ତର ଓଡିଶା ପାଇଁ ଏକ ଟ୍ରେନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ ଯେ ଉପତ୍ୟକାରୁ ଉପକୂଳକୁ ଯୋଡିବ ଏହି ନୂତନ ଟ୍ରେନ। ୫ ବର୍ଷରେ ରେଳ ବିକାଶ ପାଇଁ ଯେଉଁ କଥା ଦେଇଥିଲେ ଆଜି ଦୁଇ ବର୍ଷରେ ତାହା ପୂରଣ ହେବାକୁ ଯାଉଛି । ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଥିଲେ ଯେ, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ସମସ୍ତ ସୁବିଧା କରାଯାଉଛି। ରଥଯାତ୍ରା ଅବସରରେ ୩୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସେ କହିଥିଲେ।

ଏହି ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।