ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

Jul 07, 2026 - 10:17
ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ କଥିତ ଅଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଗଣମାଧ୍ୟମ ଏହି ଭାଇରାଲ ଅଡିଓର ସତ୍ୟତା ନିଶ୍ଚିତ କରୁନାହିଁ। ଅନ୍ୟପଟେ ଏହି ମାମଲାରେ ବିଧାୟିକା ମୈଥିଲୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ ରହିଥିବାରୁ ସମ୍ପର୍କ ହୋଇପାରିନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଡିଓ ଅନୁଯାୟୀ, ମୈଥିଲୀ ନିଜ ନିର୍ବାଚନ ମଣ୍ଡଳୀର ଗୌତମ ଝା ନାମକ ଜଣେ ଯୁବକଙ୍କୁ ଫୋନରେ ଧମକ ଦେଇଛନ୍ତି। ଗୌତମ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ଏହି ଘଟଣା ବିଷୟରେ ଜଣାଇବା ସହ ବିଧାୟିକାଙ୍କ ସହ ହୋଇଥିବା କଥାବାର୍ତ୍ତାର ଅଡିଓ ମଧ୍ୟ ଶୁଣାଇଛନ୍ତି। ଗୌତମଙ୍କ କହିବା ଅନୁଯାୟୀ, ବିଧାୟିକା ମୈଥିଲୀ ତାଙ୍କୁ ପାଗଳ, ମୂର୍ଖ ବୋଲି କହିଛନ୍ତି। ଏପରିକି ସେ କହିଛନ୍ତି, “ତୁମେ ଅଲୀନଗରରେ ରହିବା ଯୋଗ୍ୟ ନୁହଁ, ତୁମେ ନିଜ ଅଞ୍ଚଳ ପାଇଁ ଏକ କଳଙ୍କ। ଯଦି ଏଣିକି ଏଭଳି କାମ କଲ ଏବଂ ଜନତାଙ୍କ ଭାବନା ସହ ଖେଳିଲ, ତେବେ ମୁଁ ଯାହା କରିବି ତ କରିବି, ଭଗବାନ ମଧ୍ୟ ତୁମକୁ କ୍ଷମା କରିବେ ନାହିଁ।”

ଗୌତମ ଝା ଅଲୀନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନଦିୟାମି ଗାଁର ବାସିନ୍ଦା ଅଟନ୍ତି। ସେ ନିଜେ ଏହି ଭାଇରାଲ ଅଡିଓ ସତ ବୋଲି ସ୍ପଷ୍ଟ କରିଛନ୍ତି। ଗୌତମ କହିଛନ୍ତି ଯେ, ଜୁଲାଇ ୪ ତାରିଖ ରାତି ପ୍ରାୟ ୧୧ଟାରେ ବିଧାୟିକାଙ୍କ ଫୋନ ଆସିଥିଲା। ସେ ଏତେ ରାଗି ଯାଇଥିଲେ ଯେ କିଛି ବି ଶୁଣିବା କିମ୍ବା ବୁଝିବା ସ୍ଥିତିରେ ନଥିଲେ। ଫୋନ ଉଠାଇବା ମାତ୍ରେ ସେ ପାଟ ଉଚ୍ଛ କରିବାରୁ ଗୌତମ ତାଙ୍କର ଏହି ଆଚରଣକୁ ରେକର୍ଡ କରିନେଇଥିଲେ। ଗୌତମଙ୍କ ଦାବି ଅନୁଯାୟୀ ସେ ବିଧାୟିକାଙ୍କୁ କିଛି ଖରାପ କହିନଥିଲେ କିମ୍ବା କୌଣସି ଅଭଦ୍ରାମି କରିନଥିଲେ, ତଥାପି ସେ କାହିଁକି ଏଭଳି ଚିହିଁକି ଉଠିଲେ ଏବଂ ଏତେ କଥା ଶୁଣାଇଲେ, ତାର କାରଣ କେବଳ ବିଧାୟିକା ହିଁ କହିପାରିବେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।