ବିପଦରେ ଦେଶର ପରମାଣୁ ସୁରକ୍ଷା, ଭାରତର ସବୁଠୁ ବଡ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟର ଡାଟା ଲିକ୍…
ନୂଆଦିଲ୍ଲୀ: ତାମିଲନାଡୁରେ ଥିବା ଦେଶର ସର୍ବବୃହତ କୁଡାନକୁଲମ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ସହିତ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ୱାର୍ଲ୍ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର ଗୋଷ୍ଠୀ ପାୱାର ପ୍ଲାଣ୍ଟ ବିଷୟରେ ସୂଚନା ପୋଷ୍ଟ କରିଛନ୍ତି, ଯେଉଁଥିରେ ପ୍ଲାଣ୍ଟର କିଛି ଅଂଶର ବ୍ଲୁପ୍ରିଣ୍ଟ, ଯୋଗାଣକାରୀ ସୂଚନା, ବୈଠକ ଏବଂ ଯାଞ୍ଚ ରେକର୍ଡ, ଉପକରଣ ସମୀକ୍ଷା ଏବଂ ବୀମା ପଲିସି ବିବରଣୀ ସମେତ ପ୍ରାୟ ୧୯ ହଜାର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରହିଛି। ୱାର୍ଲ୍ଡ ଲିକ୍ସ ହ୍ୟାକର ଗୋଷ୍ଠୀ ଦାବି କରିଛି ଯେ ଏହି ଡକ୍ୟୁମେଣ୍ଟ ଗୁଡ଼ିକ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର, ଯିଏ ପ୍ଲାଣ୍ଟରେ ଠିକାଦାର ଭାବରେ କାମ କରୁଛି ।
ରିଲାଏନ୍ସ ଗ୍ରୁପ ସରକାରଙ୍କୁ ସୂଚନା ଦେଇଛି…
ତାମିଲନାଡୁର କୁଡାନକୁଲମ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ହେଉଛି ଭାରତର ସାତଟି ପରମାଣୁ କେନ୍ଦ୍ର ମଧ୍ୟରୁ ସର୍ବବୃହତ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ରିପୋର୍ଟ କରିଛି ଯେ, ଏହାର ତଥ୍ୟ ଆଂଶିକ ଭାବରେ ଏପଟ ସେପଟ ହୋଇଛି। କମ୍ପାନୀ କହିଛି ଯେ, ଡାଟା ତୃତୀୟ-ପକ୍ଷ ଡାଟା ସେଣ୍ଟର ସେବା ପ୍ରଦାନକାରୀ ୟୋଟାର ସର୍ଭରରେ ହୋଷ୍ଟ କରାଯାଇଥିଲା। ରିଲାଏନ୍ସ ଭାରତ ସରକାରଙ୍କୁ ଘଟଣା ବିଷୟରେ ସୂଚନା ଦେଇଛି, ଯଦିଓ କମ୍ପାନୀ ଚୋରି ହୋଇଥିବା ତଥ୍ୟର ପ୍ରକାର ପ୍ରକାଶ କରିନାହିଁ।
ନ୍ୟୁକ୍ଲିୟର ଥ୍ରେଟ୍ ଇନିସିଏଟିଭ୍ର ବରିଷ୍ଠ ନିର୍ଦ୍ଦେଶକ ନିକୋଲାସ୍ ରୋଥ୍ କହିଛନ୍ତି ଯେ ତଥ୍ୟ ଲିକ୍ ହେବା ଦ୍ୱାରା ପ୍ଲାଣ୍ଟ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇପାରେ। ଏପରି ଘଟଣା କମ୍ପାନୀ ଗୁଡ଼ିକର ଏହି ବିପଦର ମୁକାବିଲା କରିବାର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି ।
୧୯,୦୦୦ ଲିକ୍ ହୋଇଥିବା ଫାଇଲ୍ ସବୁଠାରୁ ସମ୍ବେଦନଶୀଳ…
ରଏଟର୍ସ ୨୦୧୬ ଏବଂ ୨୦୨୫ ମସିହାର ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଗୁଡ଼ିକୁ ଯାଞ୍ଚ କରିଥିବା ଦାବି କରିଛି। ତଥାପି, ଖବର ସଂସ୍ଥା ଏହି ଫାଇଲ ଗୁଡ଼ିକର ସତ୍ୟତାକୁ ନିଶ୍ଚିତ କରିନାହିଁ। ୱାର୍ଲ୍ଡ ଲିକ୍ସ ୱେବସାଇଟରେ ଉପଲବ୍ଧ ମୋଟ ୮୫୮,୦୦୦ ରିଲାଏନ୍ସ ଫାଇଲ୍ ମଧ୍ୟରୁ ୧୯,୦୦୦ ଫାଇଲ୍ ସବୁଠାରୁ ସମ୍ବେଦନଶୀଳ ଏବଂ ଗୁପ୍ତ ମନେହୁଏ।
ରିଲାଏନ୍ସ ଗ୍ରୁପ୍ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟକ୍ଚରକୁ ୨୦୧୮ ମସିହାରେ କୁଡାନକୁଲମ୍ ପ୍ଲାଣ୍ଟର ୟୁନିଟ୍ ୩ ଏବଂ ୪ ର ଡିଜାଇନ୍ ଏବଂ ନିର୍ମାଣ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା। ଉଭୟ ୟୁନିଟ୍ ବର୍ତ୍ତମାନ ନିର୍ମାଣାଧୀନ ଅଛି ଏବଂ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ଷମ ହେବା ପରେ, ଏହା ମୋଟ ୨୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବ।
ୱାର୍ଲ୍ଡ ଲିକ୍ସ ଗ୍ରୁପ୍ କିଏ ?
ଏହି ହ୍ୟାକର ଗ୍ରୁପ୍ର ପ୍ରାଥମିକ ଲକ୍ଷ୍ୟ ହେଉଛି କର୍ପୋରେଟ୍ ତଥ୍ୟ ଚୋରି କରିବା ଏବଂ ଟଙ୍କା ଆଦାୟ କରିବା। ଯଦି ଟଙ୍କା ପୈଠ କରାଯାଏ ନାହିଁ, ତେବେ ଏହା ଡାର୍କ ୱେବ୍ରେ ତଥ୍ୟକୁ ସାର୍ବଜନୀନ କରିଥାଏ। ପୂର୍ବରୁ, ଏହି ଗ୍ରୁପ୍ ନାଇକ୍ ଏବଂ ଭାରତର ଟାଟା ଗ୍ରୁପ୍କୁ ଟାର୍ଗେଟ କରିଥିଲା। ଜୁନ୍ରେ, ଏହି ଗ୍ରୁପ୍ ଟାଟା ଗ୍ରୁପ୍ର ତଥ୍ୟ ଲିକ୍ କରିଥିଲା, ଯେଉଁଥିରେ ଆପଲ୍ ଏବଂ ଟେସଲା ଭଳି ପ୍ରମୁଖ ବ୍ରାଣ୍ଡ୍ର ଗୋପନୀୟ ଉପାଦାନ ଡିଜାଇନ୍ ଅନ୍ତର୍ଭୁକ୍ତ ଥିଲା। ସେହି ସମୟରେ, ହ୍ୟାକର ମାନେ ୧୫ ଲକ୍ଷ ଡଲାର ଦାବି କରିଥିଲେ। ଯେତେବେଳେ କମ୍ପାନୀ ମନା କରିଦେଲା, ତଥ୍ୟ ଲିକ୍ ହୋଇଗଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।