ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

Jul 04, 2026 - 13:56

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଧାୟକଙ୍କ ନାଁ ଓ ପରିଚୟର ଅପବ୍ୟବହାର କରି ବିଭିନ୍ନ ବ୍ୟକ୍ତିଙ୍କୁ ମେସେଜ୍ ପଠାଯାଉଥିବାବେଳେ, ସେ ଅସୁବିଧାରେ ଥିବା ଦର୍ଶାଇ ତୁରନ୍ତ ଟଙ୍କା ପଠାଇବାକୁ ଅନୁରୋଧ କରାଯାଉଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ଅଶୋକ ଦାସ ଏହାକୁ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ତାଙ୍କ ନାଁରେ ଆସୁଥିବା କୌଣସି ମେସେଜ୍ କିମ୍ବା ଟଙ୍କା ପଠାଇବା ଅନୁରୋଧକୁ ବିଶ୍ୱାସ ନ କରିବାକୁ ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

ବିଧାୟକ କହିଛନ୍ତି ଯେ, ସେ କେବେ ବି ବ୍ୟକ୍ତିଗତ ଭାବେ ହ୍ୱାଟ୍ସଆପ୍ ମାଧ୍ୟମରେ କାହାଠାରୁ ଟଙ୍କା ମାଗନ୍ତି ନାହିଁ। ତେଣୁ ଏଭଳି ମେସେଜ୍ ପାଇଲେ କେହି ମଧ୍ୟ ଟଙ୍କା ପଠାଇବେ ନାହିଁ ଏବଂ ତୁରନ୍ତ ନିକଟସ୍ଥ ପୋଲିସ କିମ୍ବା ସାଇବର ଥାନାକୁ ଜଣାଇବେ।

ସାଇବର ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ସୃଷ୍ଟି କରି ଠକେଇ ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

The post ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା appeared first on Dharitri Odia News.