ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା
ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଲୁଟ୍କାଣ୍ଡ ଘଟିଥିବା ବେଳେ ସମ୍ପୂର୍ଣ୍ଣ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ସୂଚନା ଅନୁଯାୟୀ, ସେହି ସମୟରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଜଣେ ଗ୍ରାହକଙ୍କ ଗାଡ଼ିରେ ପେଟ୍ରୋଲ ଭରୁଥିଲେ। ଏହି ସମୟରେ ନମ୍ବର ପ୍ଲେଟ୍ ନଥିବା ଏକ ବୁଲେଟ୍ ମୋଟରସାଇକେଲରେ ଦୁଇଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବାବେଳେ ଅନ୍ୟଜଣ କାଉଣ୍ଟରରୁ ନଗଦ ଟଙ୍କା ନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ।
ଘଟଣା ପରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଲୁଟେରାମାନଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଆରମ୍ଭ କରିଛି।
ଲୁଟ୍ ହୋଇଥିବା ଟଙ୍କାର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଦୁର୍ବୃତ୍ତମାନଙ୍କ ସନ୍ଧାନ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
The post ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା appeared first on Dharitri Odia News.