ବାଲ୍ୟକାଳ ବାହୁଡ଼ି ନ ଆସୁ

Jul 20, 2026 - 08:44
ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ- ”ମୋ ସକଳ ଧନ ସମ୍ପତ୍ତି, ପ୍ରତିଷ୍ଠା ପ୍ରତିପତ୍ତି, ଯାହା କିଛି ମୋ ପାଖରେ ଅଛି, ସବୁ ନେଇଯାଅ। ବଦଳରେ ମୋତେ ମୋ ବାଲ୍ୟକାଳ ଫେରାଇଦିଅ ପ୍ରଭୋ!“ ମାତ୍ର ସଚରାଚର ଏ ସଂସାରରେ ଏମିତି ଏକ ପ୍ରାର୍ଥନା କେବେ ବି ପୂରଣ ହୁଏନା। ବାଲ୍ୟକାଳ କେବେ ବାହୁଡ଼ି ଆସେନା। କେବଳ ଯାହା ଫେରିଆସେ ବାଲ୍ୟକାଳର ସେଇ ସୁକୁମାର ସ୍ମୃତି, ଯାହା ଦେହରେ ଧକ୍କା ଖାଇ ଏକ ଅନିର୍ବଚନୀୟ ଆବେଗରେ ଜଡ଼ସଡ଼ ହୋଇ ମଣିଷ ପୁଣି ଥରେ ପିଲାଟିଏ ପାଲଟିଯିବା ପାଇଁ ବିକଳ ହୋଇଉଠେ। ଆଃ! କି ମନୋରମ ସେଇ ସବୁ ପିଲାଦିନ! ଭବିଷ୍ୟତ ପାଇଁ ଚିନ୍ତା ନାହିଁ କି ଅତୀତ ପାଇଁ ଅନୁତାପ ନାହିଁ। ବାସ୍‌, କେବଳ ଦୁଃଖଶୋକହୀନ ଶୈଶବର ଫୁଲଶଯ୍ୟାରେ ଶୋଇ ଶୋଇ ଜୀବନ ସୌରଭରେ ସୁରଭିତ ହେଉଥିବା ବର୍ତ୍ତମାନ ହିଁ ସବୁକିଛି!
ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ- ଜୀବନର ଏହି ତିନୋଟି ଅବସ୍ଥାକୁ ଶୟନ ପରିମାପକରେ ତଉଲି ଜଣେ ଦାର୍ଶନିକ ଏକଦା ଚମତ୍କାର ବ୍ୟାଖ୍ୟା କରିଥିଲେ। ଶୈଶବରେ ଶୋଇବା ପାଇଁ ପ୍ରଚୁର ସମୟ ଥାଏ, ଅଥଚ ଯିଏ ଶୋଇବ, ସେଇ ଶିଶୁଟିର ଶୋଇବାକୁ ସାମାନ୍ୟ ସ୍ପୃହା ନ ଥାଏ। ପିଠି ଥାପୁଡ଼ାଇ ମାଆ ଯେତେ ନାନାବାୟା ଗୀତ ଗାଇଲେ ମଧ୍ୟ ଆଖିକୁ ନିଦ ଆସୁ ନ ଥାଏ। ଯୌବନରେ ଯାବତୀୟ କର୍ମକ୍ଳାନ୍ତି ଯୋଗୁ ଶୋଇବା ପାଇଁ ମନରେ ପ୍ରବଳ ଇଚ୍ଛା ଜାଗେ, ମାତ୍ର ବହୁବିଧ ଜଞ୍ଜାଳରେ ଭାରାକ୍ରାନ୍ତ ଆଖି ଯୋଡ଼ିକ ମୁଦି ଆସିଲେ ବି ଶୋଇବା ପାଇଁ ସମୟ ନ ଥାଏ। ବାର୍ଦ୍ଧକ୍ୟ କିନ୍ତୁ ଏକ ଅଭିଶପ୍ତ ଅବସର। ଏଠି ଶୋଇବା ପାଇଁ ମନରେ ଇଚ୍ଛା ଥାଏ, ହାତରେ ସମୟ ଥାଏ, କିନ୍ତୁ ଆଖିରେ ନିଦ ନ ଥାଏ। ସୁତରାଂ, ଆଉ ଥରେ ବାଲ୍ୟକାଳକୁ ଫେରିଯାଇ ଶିଶୁଟିଏ ହୋଇଯିବା ପାଇଁ କିଏ ବା ନ ଚାହିଁବେ!
ମାତ୍ର ସାମ୍ପ୍ରତିକ ସମୟରେ ଅତି ପ୍ରତ୍ୟୁଷରୁ କାନ୍ଧରେ ସ୍କୁଲବ୍ୟାଗ୍‌ ଗଳାଇ ସ୍କୁଲକୁ ଧାଉଁଥିବା ଟିକି ଟିକି ଶିଶୁମାନଙ୍କ ବିକଳ ଅବସ୍ଥା ଯେଉଁମାନେ ପ୍ରତ୍ୟକ୍ଷ କରିଛନ୍ତି, ସେମାନେ କେବେ ବି ଶିଶୁଟିଏ ହୋଇଯିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ ନାହିଁ। କେବେ ଚାହିଁବେ ନାହିଁ ଫେରିଯିବାକୁ ସେମିତି ଏକ ଅବସ୍ଥାକୁ, ଯେଉଁଠି ଶିଶୁଟିଏ ଥିବ; ଅଥଚ ଶୈଶବ ନ ଥିବ! କୋମଳତାହୀନ ଫୁଲଟିଏ ପରି ଶୈଶବବିହୀନ ଶିଶୁଟିଏ ହେବାକୁ ବଡ଼ମାନେ ବିମୁଖ ହେବେ ନିଶ୍ଚୟ। ସୁତରାଂ, ଯେଉଁଠି କେଉଁ ଅପଦେବତାଙ୍କ ଅଶୁଭ ଦୃଷ୍ଟିରେ ପଡ଼ି ଏବେକାର ଶୈଶବ ଶାପଗ୍ରସ୍ତ ହୋଇଯାଇଛି, ଫୁଲ ପରି କୋମଳ ହେବା ପରିବର୍ତ୍ତେ ଶୈଶବ ପାଲଟିଯାଇଛି ପଥରଠୁଁ ଆହୁରି କଠିନ, ସେଠି କିଏ କାହିଁକି ଚାହାନ୍ତା ଯେ ଆଉ ଥରେ ବାଲ୍ୟକାଳକୁ ବାହୁଡ଼ିଯିବାକୁ!
ନବ୍ୟ ଆଧୁନିକତାର ଆହ୍ବାନ ମଧ୍ୟରେ ସାମ୍ପ୍ରତିକ ଶିଶୁଶିକ୍ଷା ଜୈବିକ ବିବର୍ତ୍ତନର ସକଳ ସୋପାନକୁ ପ୍ରତିହତ କରି ବଡ଼ ହେବାର ଯଥେଷ୍ଟ ପୂର୍ବରୁ ଶିଶୁମାନଙ୍କୁ ବଡ଼ କରିଦେଉଛି। ସେମାନଙ୍କ ଅଲକ୍ଷ୍ୟରେ ସେମାନଙ୍କଠୁଁ ଅପହୃତ ହୋଇଯାଉଛି ସେମାନଙ୍କ କମନୀୟ ଶୈଶବ। ବିଡ଼ମ୍ବନାର ବିଷୟ ଯେ, ଅପହର୍ତ୍ତାମାନେ ଆଉ କେହି ନୁହନ୍ତି, ଖୋଦ୍‌ ସେମାନଙ୍କ ମାତାପିତା। ନିଜ ପିଲାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବାର ପ୍ରଚେଷ୍ଟା ମଧ୍ୟରେ ସେମାନେ ପାଲଟି ଯାଉଛନ୍ତି ଶୈଶବର ନିଷ୍ଠୁର ଘାତକ! ପ୍ରତିଯୋଗିତାର ପାଗଳପଣ ସେମାନଙ୍କୁ ଏମିତି ଆବୋରି ବସୁଛି ଯେ, ନିଜ ସନ୍ତାନର ମୁଣ୍ଡ ଉପରେ ପାଠପଢ଼ାର ବୋଝ ଲଦିଦେଇ ସେମାନେ ସନ୍ତୁଷ୍ଟ ରହୁନାହାନ୍ତି, ଏଥିସହିତ ଡ୍ରଇଂ କ୍ଲାସ, ମ୍ୟୁଜିକ କ୍ଲାସ, ଯୋଗ କ୍ଲାସ, କରାଟେ କ୍ଲାସ ଓ ବେଦିକ ଗଣିତ କ୍ଲାସ ଭଳି ଅତିରିକ୍ତ ଯୋଗ୍ୟତା ନିର୍ମାଣର ଅଧିକ ବୋଝ ଲଦି ସେମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି। ପିଲାମାନଙ୍କୁ ଦୌଡ଼ାଇ ନେଉଛନ୍ତି ଏକ ଅନିଶ୍ଚିତ ଲକ୍ଷ୍ୟ ଆଡ଼କୁ। ସେମିତି ଏକ ଲକ୍ଷ୍ୟ, ଯାହା ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର, ପିଲାମାନଙ୍କର ସାମାନ୍ୟ ଅଧିକାର ନ ଥାଏ ତହିଁରେ।
ଶୈଶବର ଧୂଳିଖେଳ, ବର୍ଷାପାଣିରେ କାଗଜଡଙ୍ଗା ଭସାଇବାର ମୁଗ୍ଧ ଅନୁଭବ, ଭାଇ ଭଉଣୀଙ୍କ ସହ ମିଛ ଯୁଦ୍ଧ ଲଢ଼ି ଜିତିଯିବାର ଗୌରବବୋଧ ଓ ସର୍ବୋପରି ପାହାନ୍ତା ପହରରେ ମାଆର ଉଷୁମ କୋଳରେ ଶୋଇ ରହି ନିଜକୁ ସୁରକ୍ଷିତ ସମ୍ରାଟ୍‌ ମଣିବାର ନିଆରାପଣ- ଏସବୁ ସେକାଳ ପଖାଳ ହୋଇଗଲାଣି ଏବେ। କାଉ ରାବିବା ପୂର୍ବରୁ ଆଲାର୍ମ ଘଣ୍ଟାର ଗର୍ଜନରେ ଶିଶୁଟିଏ ବିଛଣା ଛାଡ଼ୁଛି; ନିଦ ମଳ ମଳ ଆଖିରେ ନିତ୍ୟକର୍ମ ସାରି କାନ୍ଧରେ ସ୍କୁଲବ୍ୟାଗ ଝୁଲାଇ ଘରୁ ଗୋଡ଼ କାଡ଼ୁଛି। ବୟସ ଚାରି କି ପାଞ୍ଚ, ଅଥଚ ଚବିଶ ବର୍ଷ ବୟସର ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ୁଛି ତାକୁ। ସ୍କୁଲରୁ ଫେରିଲେ ବି ତ୍ରାହି ନାହିଁ। ସ୍କୁଲର ଟାସ୍କ ସହ ଟ୍ୟୁଶନ ଟାକ୍ସ ଶେଷ କରିବାକୁ ପଡ଼ିବ। ପୁଣି ପ୍ରସ୍ତୁତ ହେବାକୁ ପଡ଼ିବ ଡ୍ରଇଂ କ୍ଲାସ ପାଇଁ; କେଉଁଠି ସଙ୍ଗୀତ କ୍ଲାସ ତ କେଉଁଠି କରାଟେ କ୍ଲାସ ପାଇଁ। ଚାପଗ୍ରସ୍ତ ଶୈଶବର ଏ ଅକୁହା ବେଦନା କିଏ ହେଲେ ବୁଝନ୍ତେ ତ!
କିଏ ବା ବୁଝିବେ! ଅନ୍ୟମାନଙ୍କ ପରି ସେମାନଙ୍କର ମଧ୍ୟ ଏକ ସଙ୍ଗଠନ ଆସନ୍ତା ସିନା, ଯାହା ତଳେ ସମସ୍ତ ଶିଶୁ ଏକଜୁଟ ହୁଅନ୍ତେ ଓ ସେମାନଙ୍କ ଉପରେ ହେଉଥିବା ଅବିଚାର ବିରୋଧରେ ପ୍ରତିବାଦ କରି କହନ୍ତେ- ”ଆମକୁ ଶିଶୁଭାବେ ବଞ୍ଚତ୍ବାକୁ ଦିଆଯାଉ। ଭବିଷ୍ୟତ ଗଢ଼ିବାକୁ; ଡାକ୍ତର, ଇଞ୍ଜିନିୟର, ଚିତ୍ରକର ବା ପହିଲିମାନ ହୋଇ ବଡ଼ ବୋଲାଇବାକୁ ଆଗକୁ ଲମ୍ବା ରାସ୍ତା ପଡ଼ିଛି। ସେଇ ରାସ୍ତାରେ ଆମ ହାତ ଝିଙ୍କି ଦୌଡ଼ାଇ ନିଆ ନ ଯାଉ। ଆମକୁ ଆମ ବେଗରେ ଚାଲିବାକୁ ଦିଆଯାଉ।“
ମାତ୍ର କିଏ କହିବ ଏତେ କଥା? କାହାକୁ ବା କହିବ? ଯେଉଁମାନେ ଜନ୍ମ ଦେଇଛନ୍ତି, ପିଲାଙ୍କ ଦୁଃଖରେ ଯେଉଁମାନେ ଦୁଃଖୀ ହେବା କଥା, ସେମାନେ ତ ମିଥ୍ୟା ମୋହ ଭଳି ଏକ ବିଚିତ୍ର ବ୍ୟାଧିରେ ଆକ୍ରାନ୍ତ! ନିଜ ସନ୍ତାନର ଭବିଷ୍ୟତକୁ ନେଇ ସେମାନେ ଏମିତି ପାଗଳ ଯେ ତା’ ଉଜୁଡ଼ା ଶୈଶବକୁ ନେଇ ଚିନ୍ତା କରିବାକୁ ସେମାନେ ଏକ ‘ବେକଓ୍ବାର୍ଡ କନସେପ୍ଟ’ ବୋଲି ବିଚାର କରନ୍ତି। ପାଠପଢ଼ା ଛାଡ଼ି ଶିଶୁ ସୁଲଭ ଖେଳକୁଦରେ ମାତିବାକୁ ସେମାନେ ଏକ ଉଜ୍ଜ୍ୱଳ ଭବିଷ୍ୟତର ତଣ୍ଟି ଚିପି ହତ୍ୟା କରିବା ବୋଲି ମନେକରନ୍ତି। ବାସ୍‌, ନିଜ ପୁଅ ବା ଝିଅ ତା’ କ୍ଲାସରେ କେତେ ଉପରେ ଅଛି ଓ କେତେ ଜଣ ତା’ ତଳେ ଅଛନ୍ତି, ଏହା ତଉଲିବାରେ ସେମାନଙ୍କର ଏକ ଅପୂର୍ବ ଆମତ୍ତୃପ୍ତି, ଏକ ଅଭିନବ ସାର୍ଥକତା!
ଏମିତି ସାର୍ଥକତା ନେଇ ସେଦିନ ଜଣେ ପିତା ଅତ୍ୟନ୍ତ ଗର୍ବର ସହ ଗପୁଥିଲେ- ”ପିଲାଦିନେ ମୁଁ ଯେତେବେଳେ ମୋ ପୁଅ ବୟସର ଥିଲି, ସେତେବେଳେ ସାତଟା ପୂର୍ବରୁ କେବେ ବିଛଣା ଛାଡ଼ୁନଥିଲି। ଅଥଚ ଏବେ କେବଳ ତା’ରି ପାଇଁ ହିଁ ମୋତେ ପାଞ୍ଚଟାରେ ଉଠିବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ମୋର ସମସ୍ତ ଶିକ୍ଷା ଶେଷ ହେବା ଯାଏ ମୋ ବାପା ସେତେବେଳେ ଯେତେ ଖର୍ଚ୍ଚ କରିଥିଲେ, ମୋ ପୁଅର ବର୍ଷକର ଶିକ୍ଷାଖର୍ଚ୍ଚ ତାହାଠୁ ଅଧିକ।“ ଏମିତି କହି କାହାକୁ ଗୌରବ ଦେବାକୁ ଚାହୁଁଥିଲେ କେଜାଣି ସେଇ ପିତା ଜଣକ! ନିଜ ସଂଭ୍ରାନ୍ତ ପିତୃତ୍ୱକୁ ନା ନିଜ ପୁଅର ପୀଡ଼ିତ ଶୈଶବକୁ! ପଛରେ ଛାଡ଼ି ଆସିଥିବା ନିଜ ବିସ୍ମୃତ ଅତୀତକୁ ନା ଆଗକୁ ବଢ଼ୁଥିବା ନିଜ ପୁଅର ଅଦୃଷ୍ଟ ଭବିଷ୍ୟତକୁ?
ପିତାର ଅତୀତ ହେଉ କି ପୁଅର ଭବିଷ୍ୟତ, ସମୟ ସ୍ରୋତରେ ଶୈଶବ ଅଣଲେଉଟା। ବ୍ୟକ୍ତିତ୍ୱ ଗଠନର ପ୍ରଥମ ଇଟାଖଣ୍ଡ ଭାବେ ଅଧୁନା ବ୍ୟବହୃତ ବାଲ୍ୟକାଳ ଯେତେ ମୁଣ୍ଡପିଟି କାନ୍ଦିଲେ ବି କେବେ ଆଉ ବାହୁଡ଼ି ଆସେନା। ସୁତରାଂ, ଆଧୁନିକତାର ଆହ୍ବାନରେ ଆମ ସଂସ୍କାର ଓ ସଂସ୍କୃତି ଚରମ ସଙ୍କଟର ସମ୍ମୁଖୀନ ହେଉଥିଲା ବେଳେ ପିଲାଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତଟିଏ ଗଢ଼ିବାର ନାମ ନେଇ ଶୈଶବକୁ ଆଉ ନିର୍ମମ ଭାବେ ହତ୍ୟା କରା ନ ଯାଉ। ଶିଶୁଟିକୁ ଶିଶୁ ହେବାକୁ ନ ଦେଇ ଶିକ୍ଷିତ କରିବାକୁ ତରବର ହେଲେ ସେ ଭବିଷ୍ୟତରେ ଶିକ୍ଷିତର ସନନ୍ଦ ପତ୍ର ଲାଭ କରିବ ସିନା, ବହୁତ କିଛି ହରାଇ ବସିବ, ଯାହା ଯେତେ ଖୋଜିଲେ ଜୀବନକାଳ ମଧ୍ୟରେ ଆଉ କେବେ ବି ଉପଲବ୍ଧ ହେବନାହିଁ। ଏମିତି ବି ହୋଇପାରେ, ମାତାପିତାଙ୍କ ସ୍ବପ୍ନ ଚରିତାର୍ଥ କରି ସେ ବଡ଼ ମଣିଷର ପରିଚୟ ଅର୍ଜନ କରିବ ସିନା ଭଲ ପୁଅଟିଏ ହୋଇ ରହିବ ନାହିଁ।

ଅଧ୍ୟାପକ ନିରଞ୍ଜନ ପାଢ଼ୀ
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।