ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଏମିତି କହିଦେଲେ ନବୀନ, ସବୁଠି ଚାଲିଛି ଚର୍ଚ୍ଚା
ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ପ୍ରତ୍ୟେକ ବିକଶିତ ରାଷ୍ଟ୍ର ପାଇଁ ଉନ୍ନତ ଶିକ୍ଷା ବ୍ୟବସ୍ଥା ହିଁ ଜରୁରୀ। ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ଏକ ସ୍ବଚ୍ଛ, ବିଶ୍ୱସନୀୟ ପରୀକ୍ଷା ପ୍ରକ୍ରିୟା ଉପରେ ଏହା ନିର୍ଭର କରେ। ଭାରତ ମଧ୍ୟ ତା’ର ଶିକ୍ଷା ବ୍ୟବସ୍ଥା ଯୋଗୁ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ କରିବାରେ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଏବଂ ଉଦ୍ଭାବକଙ୍କ ଭୂମିକା ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ଏବେ ଛାତ୍ରୀଛାତ୍ରଙ୍କ ବିଶ୍ୱାସ ତୁଟୁଛି ବୋଲି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ରବିବାର ନବୀନ କହିଛନ୍ତି, ଭାରତରେ କୋଟି କୋଟି ପିଲାଙ୍କ ପାଇଁ ଶିକ୍ଷା ଏକ ଉଜ୍ଜ୍ୱଳ ଭବିଷ୍ୟତର ଏକମାତ୍ର ପଥ। କିନ୍ତୁ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଛାତ୍ରୀଛାତ୍ରଙ୍କ ବିଶ୍ୱାସ କମିଯାଉଛି। ଏହା କେବଳ ଗୋଟିଏ ପରୀକ୍ଷାରେ ବିଫଳ ହେବାର ପ୍ରସଙ୍ଗ ନୁହେଁ, ବରଂ ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଭିତ୍ତି ଉପରେ ଆସ୍ଥାକୁ ଦୁର୍ବଳ କରିଦେଇଛି। ଏହା ମେଧାବୀଙ୍କୁ ଏକ ବାର୍ତ୍ତା ଦେଉଛି, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ଏହା ସେମାନଙ୍କର ଦାରିଦ୍ର୍ୟରୁ ବାହାରିବାର ଏକମାତ୍ର ସୁଯୋଗକୁ ମଧ୍ୟ ଛଡ଼ାଇ ନେଉଛି। ଯେଉଁ ଦେଶ ନିଜର ପରୀକ୍ଷା ପ୍ରଣାଳୀର ସତ୍ୟନିଷ୍ଠ ସହିତ ବୁଝାମଣା କରେ, ସେ ନିଜର ଭବିଷ୍ୟତ ସହିତ ମଧ୍ୟ ବୁଝାମଣା କରେ। ଦେଶର କୋଟି କୋଟି ଛାତ୍ରୀଛାତ୍ରଙ୍କ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉଠାଯିବା ଉଚିତ। ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଏହା ଉପରେ ଗଭୀର ଆଲୋଚନା ହେବାର ଆବଶ୍ୟକତା ରହିଛି, ଯଦ୍ଦ୍ବାରା ଏଭଳି ସଂସ୍କାର ଆସିିବା ଦରକାର; ଯାହା ଯୋଗୁ ପ୍ରଶ୍ନପତ୍ର ଲିକ୍, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଏବଂ ବ୍ୟବସ୍ଥାଗତ ବିଫଳତାର ପୁନରାବୃତ୍ତି ଆଉ କେବେ ନ ହେବ। ଏହି ବିଶ୍ୱାସଭଙ୍ଗ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।
ସେ କହିଛନ୍ତି, ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ସରକାରଙ୍କୁ ଅନୁରୋଧ କରୁଛି, ଗତ କିଛିଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଛାତ୍ରୀଛାତ୍ରଙ୍କ ସହ ଏକ ଅର୍ଥପୂର୍ଣ୍ଣ ଆଲୋଚନା ଆରମ୍ଭ କରନ୍ତୁ। ସେମାନଙ୍କୁ ନିଜ ମତ ରଖିବା ପାଇଁ ଏକ ମଞ୍ଚ ଦିଆଯାଉ। ଏକ ସୁସ୍ଥ ଲୋକତନ୍ତ୍ର ନୀରବତା ନୁହେଁ, ବରଂ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ିପାରିବ। ଯେତେବେଳେ ଏହି ଆଲୋଚନା ଦେଶର ଯୁବପିଢ଼ି ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଦେଶର ଯୁବପିଢ଼ି ଆମଠାରୁ ନେତୃତ୍ୱର ଆଶା ରଖିଛନ୍ତି। ଆମେ ସେମାନଙ୍କର ସେହି ବିଶ୍ୱାସକୁ ଭାଙ୍ଗିପାରିବୁ ନାହିଁ।
ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଯୁବପିଢ଼ିଙ୍କ ସହ ସରକାରଙ୍କ ସକାରାତ୍ମକ ଓ ଖୋଲାମନର ଆଲୋଚନା ହେଉଛି ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଇଥିବା ନେତୃତ୍ୱ ଉପରେ ପୁଣିଥରେ ବିଶ୍ୱାସ ଫେରାଇ ଆଣିବ। ବିଜେଡି ଦେଶର ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ସହ ସଦାସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇ ରହିଛି ବୋଲି ନବୀନ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।