ବାଣୀବିହାର ନିକଟରେ ଅଘଟଣ, ଡ୍ରେନରେ ଭାସିଯାଇ ଯୁବକ ନିଖୋଜ
ଭୁବନେଶ୍ବର, ୭।୪ : ବର୍ଷା ହେଲେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ କାଳ ଆସୁଛି। ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ମୁକୁଳା ଡ୍ରେନ କଥା ନକହିବା ଭଲ । ପ୍ରତିବର୍ଷ ବର୍ଷାଦିନରେ ଗୋଟିଏ ଗୋଟିଏ ଅଘଟଣ ପରେ ବି ବିଏମସିର ଚେତା ପଶୁନି। ଆମ ଅବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର ଆଜି ପୁଣିଥରେ ସାମ୍ନାକୁ ଆସିଛି । ରାଜଧାନୀର ଛାତି କୁହାଯାଉଥିବା ବାଣୀବିହାର ଛକରେ ଅଘଟଣ ଘଟିଛି। ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ଏକ ଡ୍ରେନ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ପ୍ରବଳ ପାଣି ସ୍ରୋତରେ ଭାସି ଯାଇ ନିଖୋଜ ହୋଇଛି। ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ଘଟଗାଁ ଅଞ୍ଚଳର ଅନିଲ। ସେ ପଥରବନ୍ଧ ବସ୍ତିରେ ରହୁଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଡ୍ରେନରେ ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଅଭିଯାନ ଜୋରଦାର ଭାବେ ଚାଲିଛି। ଏପରିକି ଉଦ୍ଧାର କାର୍ଯ୍ୟରେ ଜେସିବି ଲଗାଯାଇଛି। ତେବେ ଯୁବକ ଜଣକ କିପରି ଡ୍ରେନ ଭିତରକୁ ଗଲେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଏହି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।
ଆହୁରି ପଢନ୍ତୁ : ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଆନ୍ଦୋଳନରତ ଡାକ୍ତର