କୁମ୍ଭୀର ସହ ଯିଏ ମିଶିବ, ତାକୁ ହାଣିବୁ...ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

Jul 04, 2026 - 14:08
କୁମ୍ଭୀର ସହ ଯିଏ ମିଶିବ, ତାକୁ ହାଣିବୁ...ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ଭୁବନେଶ୍ୱର ୦୪/୦୭: କୁମ୍ଭୀର ସହ ଯିଏ ମିଶିବ । ତାକୁ ଗୋଡ଼ାଇ ଗୋଡ଼ାଇ ହାଣିବୁ । ଜୀବନରୁ ମାରିଦେବୁ । ଏଭଳି କିଛି ଢ଼ଙ୍ଗରେ ଧମକାଇଲେ । ଆଉ ଯିଏ ସାମ୍ନାରେ ପଡିଲା, ତାକୁ ଖଣ୍ଡାରେ ଚୋଟ ମାରି ଚାଲିଲେ । ଅଟୋରିକ୍ସା, କାର, ବାଇକ୍ ସହ ଦୋକାନ ଭଙ୍ଗାରୁଜା କରି ଆତଙ୍କ ଖେଳାଇଲେ । ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ପ୍ରେମବ୍ୟାପାରକୁ ନେଇ ଗୁରୁବାରଠୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଶୁକ୍ରବାର ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିଶୋଧ ନେବାକୁ ବୁଦ୍ଧ ବିହାର ଆବାସରେ ପୁଣି ତୁମୁଳକାଣ୍ଡ ଭିଆଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି, ବୁଦ୍ଧ ବିହାର ଆଲର୍ଟିସ୍ ଆସୋସିଏସନ ସମ୍ପାଦକ ଗୌରାଙ୍ଗ ଚରଣ ଦାସଙ୍କ ବଡ଼ ପୁଅ ଶୁଭମ୍ ସ୍ୱରାଜ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣାରେ ୧୪ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପୁଲିୗ ଏବେ ଘଟଣାର ଆକ୍ସନ ନେଇ ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଗିରଫ କରିଛି । ବାକି କୁମ୍ଭୀର ଏବଂ ତାର ଦୁଇ ସହଯୋଗୀ ଫେରାର ଅଛନ୍ତି। ରାତି ପ୍ରାୟ ସାଢ଼େ ୮ଟା । ବୁଦ୍ଧବିହାର ଆବାସକୁ ପଶିଆସିଲା ୫-୬ଟି ବାଇକ୍ ଓ ସ୍କୁଟି । ମୁଖାପିନ୍ଧା ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଧରିଥିଲେ । କୁମ୍ଭୀର କୁଆଡ଼େ ଗଲା ବୋଲି ଜୋର୍ରେ ଚିଲ୍ଲାଇଲେ । ସେତେବେଳକୁ ଶୁଭମ୍ ଓ ଅନ୍ୟମାନେ ଏକ ଦୋକାନରେ ଖଟି କରୁଥିଲେ । ଅପରଗୋଷ୍ଠୀର ମାରଣାସ୍ତ୍ରରେ ସଜ୍ଜିତ ଏତେ ସଂଖ୍ୟକ ଯୁବକଙ୍କୁ ଦେଖି ସଭିଏଁ ଯିଏ ଯୁଆଡ଼େ ପାରିଲା, ଧାଇଁବାକୁ ଲାଗିଲେ । ଶୁଭମ୍ ଦୌଡି  ଯିବା ବେଳେ ତଳେ ପଡି଼ଗଲେ । ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଝାମ୍ପି ପଡି଼ଲେ । ସେହିପରି ସନ୍ଧ୍ୟାରେ ଇଶାନେଶ୍ୱର ବସ୍ତିରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି । ମୁଖାପିନ୍ଧା ଯୁବକମାନେ ଉକ୍ତ ବସ୍ତିର ଚନ୍ଦନ ନାୟକଙ୍କୁ ଗୋଡ଼ାଇ ହାଣିଛନ୍ତି । ଶୁଭମ୍, ଚନ୍ଦନ ଓ ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଦ୍ଧବିହାର ଗୋଷ୍ଠୀ ସଂଘର୍ଷ ସହ ଚନ୍ଦନଙ୍କୁ ଆକ୍ରମଣର କିଛି ସାମଞ୍ଜସ୍ୟ ଅଛି କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । ଅଧିକ ପଢ଼ନ୍ତୁ :- Film Awards controversy: ଓଡ଼ିଆ ସିନେମା, ପୁରସ୍କାର ଓ ବିବାଦ... ସବୁ ଅଭିଯୋଗ ସୋସିଆଲ୍ ମିଡିଆରେ; ମୁଖ୍ୟମନ୍ତ୍ରୀଙ୍କ ଖୋଲା ଆହ୍ୱାନ, ଯାହା ସମସ୍ୟା ଅଛି ଜଣାନ୍ତୁ ଗୁରୁବାର ଅପରାହ୍ଣରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବୁଦ୍ଧବିହାର ରାସ୍ତାରେ ଦୁଇ ଗୋଷ୍ଠୀର ୨୦ରୁ ଅଧିକ ଯୁବକ ମୁହାଁମୁହିଁ ହୋଇଖିଲେ । ରାସ୍ତାରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ । କୌଣସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇନଥିଲା । ପୁଲିସ ଗତକାଲି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଆପୋଷ ବୁଝାମଣା କରିଥିଲା । କିନ୍ତୁ ଆକ୍ରମଣ ପରେ ପୁଲିସ ତତ୍ପର ହୋଇଉଠିଛି । ଆକ୍ରମଣ ବେଳର ସିସିକ୍ୟାମେରା ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । କୁମ୍ଭୀର କିଏ? ତାକୁ କାହିଁକି ଟାର୍ଗେଟ କରାଯାଉଛି? ସେନେଇ ପୁଲିସ ତନାଘନା ଚଳାଇଛି ।