ବାଣିଜ୍ୟିକ ଏଲପିଜି ଉପରୁ କଟକଣା ହଟିଲା

ନୂଆଦିଲ୍ଲୀ : ଶିଳ୍ପ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କୁ ବଡ଼ ଆଶ୍ବସ୍ତି । ଏଲପିଜି ଯୋଗାଣ କ୍ଷେତ୍ରରେ କଟକଣା ହଟାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟରେ ଉନ୍ନତି ଆସିବା ପରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଉପରେ ସମସ୍ତ କଟକଣା ତୁରନ୍ତ ପ୍ରତ୍ୟାହାର କରାଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପରିସ୍ଥିତି ସମୀକ୍ଷା କରି ଣିଜ୍ୟିକ ଏଲପିଜି ସିଲିଣ୍ଡର ବିକ୍ରୟ ଉପରେ କଟକଣାକୁ କୋହଳ କରିବା ପାଇଁ ରାଜ୍ୟଗୁଡ଼ିକୁ ନିଷ୍ପତ୍ତି ନେଇଛି।
ଏହାବ୍ୟତୀତ, ସଙ୍କଟ ଆରମ୍ଭରେ ସ୍ଥଗିତ ରଖାଯାଇଥିବା ବହୁଳ ଏଲ୍ପିଜି ଯୋଗାଣକୁ ସଙ୍କଟ-ପୂର୍ବ ବ୍ୟବହାର ସ୍ତରର ୫୦% ପର୍ଯ୍ୟନ୍ତ କୋହଳ କରାଯାଇଛି, ଯାହା ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକମାନଙ୍କୁ ଆଖିଦୃଶିଆ ଆଶ୍ୱସ୍ତି ପ୍ରଦାନ କରିଛି। ଏଲ୍ପିଜି ଯୋଗାଣ ସ୍ଥିତିରେ ସାମ୍ପ୍ରତିକ ସୁଧାର ପରେ ଏହି ନିଷ୍ପତି ନିଆଯାଇଛି ।
ଏହି ସମ୍ବନ୍ଧରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ସଂଶୋଧିତ ଯୋଗାଣ ବ୍ୟବସ୍ଥାର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁସାରେ, ସଙ୍କଟ ସମୟରେ, ଘରୋଇ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ସି-୩, ସି-୪ ଷ୍ଟ୍ରିମ୍ଗୁଡ଼ିକୁ ପେଟ୍ରୋକେମିକାଲ୍ ଏବଂ ଅନ୍ୟାନ୍ୟ ଡାଉନ୍ଷ୍ଟ୍ରିମ୍ ବ୍ୟବହାରରୁ ଅଲଗା କରି କେବଳ ଏଲ୍ପିଜି ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ଆଦେଶ ଦିଆଯାଇଥିଲା।
ଉନ୍ନତ ସ୍ୱଦେଶୀ ଏଲ୍ପିଜି ଉତ୍ପାଦନ ଏବଂ ଆମଦାନୀ ହେବାକୁ ଥିବା ଏଲ୍ପିଜି କାର୍ଗୋର ଆନୁମାନିକ ଉପଲବ୍ଧତାକୁ ଦୃଷ୍ଟିରେ ରଖି, ସରକାର ଏଲ୍ପିଜି ପୁଲ୍କୁ ସି-୩, ସି-୪ ଷ୍ଟ୍ରିମ୍ର ବ୍ୟବହାର ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
ଏଥି ସହିତ, ସରକାର ଖୁବ ଶୀଘ୍ର ପିଏନ୍ଜି ସଂଯୋଗୀକରଣର ପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ଯେଉଁ ବାଣିଜ୍ୟିକ ହିତାଧିକାରୀମାନେ ପିଏନ୍ଜି କନେକ୍ସନ ନେଇସାରିଛନ୍ତି ସେମାନଙ୍କୁ ଆଉ ଏଲପିଜି ମିଳିବ ନାହିଁ । ସେହିପରି ଅନ୍ୟ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ହିତାଧିକାରୀ ମାନେ ପିଏନଜି କନେକ୍ସନ ପାଇଁ ସ୍ଥାନୀୟ ସିଟି ଗ୍ୟାସ୍ ବିତରଣ (ସିଜିଡି) ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ପର୍ଯ୍ୟାୟକ୍ରମେ ପିଏନଜିକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।