Silent Village : ଭାରତର ସାଇଲେଣ୍ଟ ଭିଲେଜ୍, ଏହି ଗାଁର ପ୍ରାୟ ଲୋକ ମୁକ ନହେଲେ ବଧିର
ଭୁବନେଶ୍ଵର, ୩୦/୦୬ : ଭାରତର ସାଇଲେଣ୍ଟ ଭିଲେଜ୍। ଏହି ଗାଁର ପ୍ରାୟ ଲୋକ ମୁକ ନହେଲେ ବଧିର। ସେମାନେ କଥା କହି ପାରନ୍ତିନି କି ଶୁଣିପାରନ୍ତିନି। କେବଳ ପରସ୍ପରର ଠାର ବୁଝି ଭାବ ବିନିମୟ କରନ୍ତି। ତେବେ ଜାଣିଛନ୍ତି କି କେଉଁଠି ଅବସ୍ଥିତ ଏହି ଶାନ୍ତ ସୁନ୍ଦର ଗାଁ... କାହିଁକି ଏଠାରେ ଜନ୍ମ ହେଉଛନ୍ତି ମୁକ ବଧିର ? କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ ?
ଭାରତର ସ୍ଵର୍ଗ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା। ବରଫାବୃତ୍ତ ପାହାଡ଼ ମଧ୍ୟରେ ଅବସ୍ଥିତ ଏକ ଶାନ୍ତ ସୁନ୍ଦର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଗାଁର ନାମ ହେଉଛି ଧଦକଈ। ଏହା ଜାମ୍ମୁ ଠାରୁ ପ୍ରାୟ ୨୬୦ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ମୁଖ୍ୟତଃ ଗୁଜ୍ଜର ମୁସଲିମ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଗ୍ରାମର ମୋଟ ଜନସଂଖ୍ୟା ୨୦୦୦ ପାଖାପାଖି ହେବ। ହେଲେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ରୁ ଅଧିକ ଲୋକ ମୁକ ଏବଂ ବଧିର। ଧଦକଈରେ ବସବାସ କରୁଥିବା ୧୦୫ ପରିବାର ମଧ୍ୟରୁ ୫୫ରୁ ଅଧିକ ପରିବାରରେ ଜଣେ ଲେଖାଏଁ ସଦସ୍ୟ କହିପାରନ୍ତିନି କି ଶୁଣିପାରନ୍ତିନି। ଏମିତି ବି ପରିବାର ଅଛି, ଯେଉଁଠି ୭ ଜଣ ପିଲାଙ୍କ ମଧ୍ୟରୁ ୬ ଜଣ ମୁକ କିମ୍ଵା ବଧିର ହୋଇ ଜନ୍ମ ହୋଇଛନ୍ତି।
ଧଦକଈରେ ୧୯୦୧ ମସିହାରେ ପ୍ରଥମ ଥର ପାଇଁ ମୁକ ଏବଂ ବଧିର ଶିଶୁ ଜନ୍ମ ହୋଇଥିଲା। ଧୀରେ ଧୀରେ ଏହି ସଂଖ୍ୟା ବଢିବାକୁ ଲାଗିଲା। ୧୯୯୦ ବେଳକୁ ଏମାନଙ୍କ ସଂଖ୍ୟା ୪୩ରେ ପହଞ୍ଚିଗଲା। ୨୦୦୭ ସୁଦ୍ଧା ମୁକ ବଧିରଙ୍କ ସଂଖ୍ୟା ୭୯ରେ ପହଞ୍ଚିଗଲା। ଏବେ ଗାଁର ପ୍ରାୟ ୯୦ରୁ ଅଧିକ ଲୋକ ଏଭଳି ସ୍ଥିତିରେ ଜୀବନ ବିତାଉଛନ୍ତି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ଗ୍ରାମବାସୀ ଏହାକୁ ଭଗବାନଙ୍କ ଅଭିଶାପ ମାନି ରହି ଆସୁଛନ୍ତି। ହେଲେ ଏହା ପଛର ବୈଜ୍ଞାନିକ କାରଣ ସମ୍ପୂର୍ଣ୍ଣ ଭିନ୍ନ। ମେଡିକାଲ ସାଇନ୍ସରେ ଏହାକୁ ଜେନେଟିକ୍ କ୍ଲଷ୍ଟର ବା ଫାଉଣ୍ଡର୍ସ ଇଫେକ୍ଟ କୁହାଯାଏ।
ବୈଜ୍ଞାନିକଙ୍କ ଅନୁଯାୟୀ, ଏଣ୍ଡୋଗେମି ଯୋଗୁଁ ଗ୍ରାମରେ ଏଭଳି ଶିଶୁ ଜନ୍ମ ହେଉଛନ୍ତି। ଯେତେବେଳେ ଏକ ଛୋଟ ସମ୍ପ୍ରଦାୟର ଲୋକ ନିଜ ନିଜ ଭିତରେ ବିବାହ କରନ୍ତି, ସେତେବେଳେ ସେମାନଙ୍କ ଶରୀରରେ ଥିବା ଅକ୍ଷମତା ଆଉ ଏକ ପୀଢିକୁ ସ୍ଥାନାନ୍ତର ହୁଏ। ଏହି ଜନଜାତିର ଓଟୋଫେରଲିନ ନାମକ ଜିନଗତ ତ୍ରୁଟି ଥିବା ରକ୍ତ ନମୁନାରୁ ଜଣାପଡ଼ିଛି। ଏହି ଜିନ୍ ଆମ କାନର ଭିତର ଦେଇ ମସ୍ତିଷ୍କ ଯାଏଁ ସିଗନାଲ୍ ପଠାଏ। ତେବେ ଏହି ସମସ୍ୟାର ଗୋଟିଏ ମାତ୍ର ସମାଧାନ ରହିଛି। ଏହି ସମ୍ପ୍ରଦାୟର ଲୋକ ବାହାର ସମ୍ପ୍ରଦାୟର ଲୋକଙ୍କୁ ବିବାହ କଲେ ଯାଇ ଧଦକଈରେ ସୁସ୍ଥ ଛୁଆ ଜନ୍ମ ହେବେ। ନଚେତ୍ କଲର କୋଡେଡ୍ କାର୍ଡସ୍ କରିପାରିବେ। ଅର୍ଥାତ୍ ବିବାହ ପୂର୍ବରୁ ପାର୍ଟନରର ଜେନେଟିକ୍ ରିସ୍କକୁ ମାପିପାରିବେ। ଏହାଦ୍ଵାରା ଆଗାମୀ ପୀଢିକୁ ଏହି ମୁକ ବଧିର ଚକ୍ରବ୍ୟୁହରୁ ରକ୍ଷା କରିହେବ।
ତେବେ ଗାଁର ଅଧିକାଂଶ ଲୋକ ମୁକ ବଧିର ହୋଇଥିବାରୁ ଭାରତୀୟ ସେନା ଏବଂ କିଛି ସଂସ୍ଥା ଦ୍ଵାରା ସେମାନଙ୍କୁ ସାଇନ୍ ଲାଙ୍ଗୁଏଜ୍ ଶିକ୍ଷା ଦିଆଯାଉଛି। ଏହାଦ୍ଵାରା ସେମାନେ ପରସ୍ପରର ଠାର ବୁଝି ମନର ଭାବକୁ ଆଦାନ ପ୍ରଦାନ କରିପାରୁଛନ୍ତି।
ଆହୁରି ପଢନ୍ତୁ- ୟୁଟ୍ୟୁବ୍ ଭରସାରେ ‘ଡାକ୍ତର’ ହେଲେ ସ୍ୱାମୀ , ଭିଡିଓ ଦେଖି କରୁଥିଲେ ପତ୍ନୀଙ୍କ ଡେଲିଭରୀ