ବର୍ଷା ପାଇଁ ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
ଭଦ୍ରକ : ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ଠାରୁ ସମଗ୍ର ଉପକୂଳ ଅଞ୍ଚଳ ସହ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ଫଳରେ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ବେଢ଼ାରେ ପାଣି ପଶିଛି। ମନ୍ଦିରରେ ପରିସରରେ ଥିବା ଶିବ ଲିଙ୍ଗର କିଛି ଅଂଶ ମଧ୍ୟ ପାଣିରେ ବୁଡ଼ିଯାଇଛି । ସେହିପରି ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ ଆଣ୍ଠୁଏ ଲେଖା ପାଣି ଜମି ରହିଥିବାର ଦେଖା ଯାଇଛି ।
ସୂଚନାନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ରେ ପରିଣତ ହେବ । ଯାହାର ପ୍ରଭାବରେ ଉପକୂଳିଆ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।