ବର୍ଷା ନ ହେବା ଯାଏଁ ମହାନଦୀରେ ନାହିଁ ବନ୍ୟା ଆଶଙ୍କା - ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତିରେ ବ୍ୟାପକ ସୁଧାର ଆସିଛି । ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିଲେ ମଧ୍ୟ ମହାନଦୀର ଜଳସ୍ତର ନିୟନ୍ତ୍ରଣରେ ରହିଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଶ୍ରୀ ରାଉତ କହିଛନ୍ତି ଯେ, ଦୁଇ ଦିନ ତଳେ ବନ୍ୟା ସ୍ଥିତି ଶୀର୍ଷରେ ଥିଲା। କିନ୍ତୁ ହୀରାକୁଦ ଡ୍ୟାମରେ ଜଳର ସଠିକ୍ ପରିଚାଳନା ଯୋଗୁଁ ତଳମୁଣ୍ଡରେ ଏକ ବଡ଼ ଧରଣର ବନ୍ୟାକୁ ଏଡ଼ାଇ ଦିଆଯାଇପାରିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ରହିଥିବାବେଳେ ଉପରମୁଣ୍ଡରୁ ଜଳପ୍ରବାହ କମିଛି । ପୂର୍ବରୁ ଡ୍ୟାମର ୨୨ଟି ଗେଟ୍ ଖୋଲା ରହିଥିଲା ବେଳେ ଆଜି ୫ଟି ଗେଟ ବନ୍ଦ କରାଯାଇଛି । ଅଗଷ୍ଟ ୩ ତାରିଖ ସୁଦ୍ଧା ଜଳଭଣ୍ଡାରର ସ୍ତର ପ୍ରାୟ ୬୧୮ ଫୁଟକୁ ଖସିଆସିବ ବୋଲି ଅନୁମାନ କରାଯାଉଛି ।
ସେହିପରି ମୁଣ୍ଡଳୀରେ ଏବେ କୌଣସି ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଶ୍ରୀ ଦିଲ୍ଲୀପ ରାଉତ । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିପାରେ । ନୂଆ କରି ପ୍ରବଳ ବର୍ଷା ନହେଲେ ମହାନଦୀ ଅବବାହିକାରେ ଆଉ ବନ୍ୟା ଆଶଙ୍କା ନାହିଁ । ଛତିଶଗଡ଼ର କଲମା ବ୍ୟାରେଜ୍ର ଗେଟ୍ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାକୁ ଜଳପ୍ରବାହ କମୁଛି । ଭବିଷ୍ୟତର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆଗାମୀ ତିନି ଦିନ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇ ଖାଲି କରାଯିବ । ଅନ୍ୟପକ୍ଷରେ ବୈତରଣୀ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।