ରଣବୀରଙ୍କୁ ପ୍ରଶଂସା
ଟିଭି ସିରିଏଲ୍ 'ମହାଭାରତ'ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ନୀତିଶ ଭାରଦ୍ୱାଜ, ନିତେଶ ତିୱାରୀଙ୍କ ଚଳଚ୍ଚିତ୍ର 'ରାମାୟଣ'ର ଟ୍ରେଲରକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଫିଲ୍ମର ଭିଜୁଆଲ୍ ଇଫେକ୍ଟସ , ସଙ୍ଗୀତ ଏବଂ କଳାକାରମାନଙ୍କ ଦମଦାର ଅଭିନୟର ସେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ଏହି ଫିଲ୍ମ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ଓସ୍କାର ପୁରସ୍କାର ପାଇବାର ସମ୍ପୂର୍ଣ୍ଣ ଯୋଗ୍ୟ । ଏଥିସହିତ ସେ ସତ୍ୟଜିତ୍ ରାୟ ଓ ଶେଖର କପୁରଙ୍କ ପରେ ନିତେଶ ତିୱାରୀଙ୍କୁ ଭାରତୀୟ ସିନେମାର ପରବର୍ତ୍ତୀ ବଡ଼ ଉପହାର ବୋଲି ଅଭିହିତ କରିଛନ୍ତି । ଅନ୍ୟପଟେ ଅଭିନେତା ରଣବୀର କପୁରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ ନୀତିଶ ଲେଖିଛନ୍ତି, " ଜଣେ ଅଭିନେତା ଭାବେ ମୁଁ ଆପଣଙ୍କୁ ପସନ୍ଦ କରେ, କିନ୍ତୁ ଏବେ ଭାରତର ସଂସ୍କୃତି, ଐତିହ୍ୟ ଓ ମୂଲ୍ୟବୋଧକୁ ଆଗକୁ ନେବା ଆପଣଙ୍କର ସାମାଜିକ ଦାୟିତ୍ୱ । ତେଣୁ ଯେତେ ବଡ଼ ଅଫର ମିଳିଲେ ବି 'ଆନିମଲ୍' ଭଳି ଫିଲ୍ମ ଆଉ କରନ୍ତୁ ନାହିଁ ।" ଏହାସହ ସାଇ ପଲ୍ଲବୀଙ୍କୁ ଦର୍ଶକ ସୀତା ରୂପେ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ନିତେଶ ତିୱାରୀଙ୍କ ଏହି ଗ୍ରାଣ୍ଡ୍ ସିନେମାକୁ ସମ୍ମାନ ଜଣାଇ ସେ ଏହାକୁ ଅନ୍ତତଃ ୫ ଥର ଦେଖିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ରହ୍ମ ମୁହୂର୍ତ୍ତରେ 'ରାମାୟଣ'ର ଟ୍ରେଲର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମଲୟାଲମ୍ ଭଳି ଅନେକ ଭାଷାରେ ମୁକ୍ତିଲାଭ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।