ଆଜିଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ ରାଷ୍ଟ୍ରପତି । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।
ସୂଚନାନୁସାରେ, ସୋମବାର ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ କାରକେଡ୍ ଲୋକଭବନ ଅଭିମୁଖେ ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା ୧୦ ମିନିଟ୍ରୁ ୨ଟା ୪୫ ମିନିଟ୍ ଯାଏ ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ ଏଜି ଛକ ଦେଇ ଲୋକଭବନ ଛକ ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ ୪ଟାରେ ଲୋକଭବନରୁ ବାହାରି କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ । ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ରିଯାପନ କରିବେ ।
କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ ମୁତୟନ ରହିବେ । ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ୧୫୦ ଜଣ ପୁଲିସ ଅଫିସର ତଦାରଖ କରିବେ । ଜଣେ ଲେଖାଏଁ ଏସ୍ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ ।
କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯାତ୍ରା କରିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ଗୋଳବନ୍ଧ ଠାରେ ଆର୍ମି ଏୟାର ଡିଫେନସ କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ଗଞ୍ଜାମ ଗସ୍ତ ବେଳେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।
ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିବେ । ତିନିଦିନିଆ ଗସ୍ତ ବେଳେ ଏହା ସବୁଠାରୁ ବିଶେଷ ଆକର୍ଷଣ । ବର୍ଷା ଋତୁର ଅନିଶ୍ଚିତ ପାଣିପାଗ ଓ ସଡ଼କ ଯାତାୟାତର ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଏଥର ରେଳଯାତ୍ରାକୁ ପ୍ରାଥମିକତା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା ଏକ ସାଧାରଣ ଯାତ୍ରା ନୁହେଁ । ଏହା ସହ ଜଡ଼ିତ ରହିଥାଏ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ରାଷ୍ଟ୍ରପତି ସଚିବାଳୟ, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ, ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ, ଜିଆରପି ଏବଂ ପୂର୍ବତଟ ରେଳବାଇ ମିଳିତ ଭାବେ ପ୍ରତ୍ୟେକ ପଦକ୍ଷେପର ଯୋଜନା ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମଗ୍ର ରେଳପଥରେ ସୁରକ୍ଷା କଡ଼ାକଡ଼ି କରାଯିବ । ରେଲୱେ ଟ୍ରାକରେ ନିରନ୍ତର ପାଟ୍ରୋଲିଂ, ଆଣ୍ଟି-ସାବୋଟାଜ୍ ଯାଞ୍ଚ, ପ୍ରତ୍ୟେକ ଲେବଲ୍ କ୍ରସିଂରେ କର୍ମଚାରୀ ମୁତୟନ, ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ନିୟନ୍ତ୍ରଣ, ପ୍ଲାଟଫର୍ମରେ କେବଳ ଅନୁମୋଦିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ ସହ ପ୍ରବେଶ ଭଳି ବ୍ୟବସ୍ଥା ରହିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।