ବରଣୀ ପୂର୍ବରୁ ଶେଷଯାତ୍ରା, ଏହି କାରଣରୁ ବାହାଘର ଦିନ ଝୁଲି ପଡ଼ିଲେ ଲୋକପାଇଲଟ୍

Jul 03, 2026 - 21:31
ବରଣୀ ପୂର୍ବରୁ ଶେଷଯାତ୍ରା, ଏହି କାରଣରୁ ବାହାଘର ଦିନ ଝୁଲି ପଡ଼ିଲେ ଲୋକପାଇଲଟ୍
ନୂଆଦିଲ୍ଲୀ: ସଞ୍ଜରେ ବାହାରିଥାନ୍ତା ବରଯାତ୍ରୀ । ଦିଆ ସରିଥିଲା ବଇଣା । ଘରେ ସମସ୍ତେ ଖୁସି ମନାଉଥିଲେ । ପୁଅ ବାହାହେବ ଘରକୁ ବୋହୂ ଆସିବ । ହେଲେ ଏ ଖୁସିରେ ଯେମିତି ଲାଗିଗଲା କାହାର ନଜର । ନିମିଷକ ମଧ୍ୟରେ ସୁଖର ସଂସାରରେ ଖେଳିଗଲା ଶୋକର ଛାୟା । ଆଉ ବାହାଘର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ବରଣୀ ହେବା ପୂର୍ବରୁ ଶେଷ ଯାତ୍ରା ଆରମ୍ଭ ହୋଇଗଲା । ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ଜଣକ ହେଲେ ଅମିତ । ଅମିତ ଭାରତୀୟ ରେଳବାଇରେ କାମ କରନ୍ତି । ସେ ଜଣେ ଲୋକପାଇଲଟ୍ । ପଞ୍ଜାବର ଲୁଧିଆନାରେ ତାଙ୍କର ପୋଷ୍ଟିଂ ହୋଇଛି । ଶୁକ୍ରବାର ତାଙ୍କର ବିବାହ ଉତ୍ସବ ରହିଥିଲା । ଗୁରୁବାର ରାତିରେ ଉତ୍ସବ ପାଳିଥିବାବେଳେ ସମସ୍ତେ ବିଳମ୍ବିତ ରାତିରେ ଖୁସି ମନାଇ ଶୋଇଥିଲେ । ଆଉ ଶୁକ୍ରବାର ସକାଳୁ ଉଠିବା ପରେ ଅମିତ ନିଜ ଘରର କବାଟ ଖୋଲିନଥିଲେ । ଦେଖିବା ବେଳକୁ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା । ଅମିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଅମିତ ୬ ବର୍ଷ ରେଳବାଇରେ କାମ କରୁଛନ୍ତି । ସେ ଜଣେ ସାହସୀ ଯୁବକ । କିନ୍ତୁ କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପରିବାର ଲୋକେ ମଧ୍ୟ କହିଛନ୍ତି କି, ସେ କାହିଁକି ଏମିତି କଲା ଆମେ ଜାଣିପାରୁନୁ । ତେବେ ପୁଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ତେବେ ବିବାହ ଦିନ ଅନ୍ତିମ ସଂସ୍କାର ହୋଇଥିବା ଖବର ଯେକେହି ବି ଶୁଣୁଛି ଦୁଃଖ ପ୍ରକାଶ କରୁଛି । ଏହାସହ ପଢ଼ନ୍ତୁ : କେବେ ଡେବ୍ୟୁ କରିବେ ବୈଭବ ? କପିଲ୍ ଦେବ ଦେଲେ ବଡ଼ ସୂଚନା