ନୂଆଦିଲ୍ଲୀ, ୪/୭ : ଦୁବାଇର ସବୁଠୁ କମ୍ ବୟସ୍କ ଏଆଇ ଫାଉଣ୍ଡର। ନାମ ଜୈନମ ଜୈନ, ବୟସ ମାତ୍ର ୧୪ ବର୍ଷ। ସେ କୁନି ବୟସରେ ହାସଲ କରିଛନ୍ତି ଅବିଶ୍ଵସନୀୟ ସଫଳତା। ନିଜସ୍ଵ ଉଦ୍ୟମରେ ଠିଆ କରିଛନ୍ତି ଏଆଇ କମ୍ପାନୀ। ବୁର୍ଜ ଖଲିଫାରେ ଅଛି ତାଙ୍କର ଅଫିସ୍। କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ। ଜୈନମଙ୍କ ଉପଲବ୍ଧି ବିଷୟରେ ଶୁଣିଲେ ଆପଣଙ୍କର ବି ଉଡ଼ିଯିବ ହୋସ୍।
ଭାରତୀୟ ବଂଶୋଦ୍ଭୋବ ଜୈନମ ଜୈନ ଦୁବାଇରେ ରୁହନ୍ତି। Mengo Engine ନାମରେ ସେ ଏକ ଏଆଇ କମ୍ପାନୀ ଖୋଲିଛନ୍ତି। ଏହି କମ୍ପାନୀ ଅନ୍ୟ କମ୍ପାନୀ ଗୁଡ଼ିକ ପାଇଁ ମାର୍କେଟିଂ, ଲିଡ୍ ମ୍ୟାନେଜମେଣ୍ଟ ଠାରୁ ନେଇ ନ୍ୟୁଜଲେଟର ଏବଂ ଗ୍ରାହକ ଯୋଗାଯୋଗ ସହଜ କରିବା ପାଇଁ କାମ କରୁଛି। ଏବେ ଏହି କମ୍ପାନୀ ଟେଷ୍ଟିଂ ପର୍ଯ୍ୟାୟରେ ଅଛି। ମେଙ୍ଗୋ ଇଞ୍ଜିନ୍ ଉପରେ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ସେ TEDxର ସ୍ପିକର ବି ଅଛନ୍ତି। ତାଙ୍କ ନାମରେ ଦୁଇଟି ପେଟେଣ୍ଟ ରହିଛି। ଏହା ସହ ସେ ଏକ ବହି ମଧ୍ୟ ଲେଖିଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି।
ଜୈନମଙ୍କୁ ପିଲାବେଳେ ତାଙ୍କ ପିତା ବିଜନେସ୍ ମିଟିଂକୁ ନେଇ ଯାଉଥିଲେ। ଏଥିରୁ ଧୀରେ ଧୀରେ ଜିଜ୍ଞାସା ବଢିଥିଲା। ପରେ ସେ ଲୋକଙ୍କ ସହ ଦେଖାସାକ୍ଷାତ ଓ ବିଭିନ୍ନ ଇଭେଣ୍ଟରୁ ଜ୍ଞାନ ଆହରଣ କରିଥିଲେ। ମାତ୍ର ୬ ବର୍ଷ ବୟସରେ ସେ ବ୍ୟବସାୟ ଶିଖିଗଲେ। ୧୦ ବର୍ଷ ହେଲା ବେଳକୁ ସେ ନିଜକୁ ନିଜେ ୫୦ ଦିନିଆ ଚ୍ୟାଲେଞ୍ଜ୍ ଦେଉଥିଲେ। ଏହାକୁ ପୂରଣ କରିବାକୁ ଶତଚେଷ୍ଟା କରୁଥିଲେ। ଯେମିତିକି ୫୦ଟି ବହି ପଢିବା, ୫୦ଟି ନେଟୱାର୍କିଂ ଇଭେଣ୍ଟରେ ଯୋଗଦେବା ଏବଂ ଉଦ୍ୟୋଗୀମାନଙ୍କୁ ଭେଟିବା ଏବଂ ସେମାନଙ୍କ ଠାରୁ କିଛି ଶିଖିବା ଭଳି ଚ୍ୟାଲେଞ୍ଜ୍ ଦେଉଥିଲେ। ବେଳେବେଳେ ସେ ୬ ହଜାର କିଲୋମିଟର ଯାତ୍ରା କରୁଥିଲେ।
ଜୈନମ୍ ସ୍କୁଲ୍ ଶିକ୍ଷା ଭିତରେ ସୀମିତ ରହିବାକୁ ଚାହୁଁନଥିଲେ। ସେ ୧୩ ବର୍ଷ ବୟସରେ ମାତ୍ର ୧୦୫ ଦିନ ଭିତରେ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କଲେ। ତାଙ୍କର ଶିଖିବା ଶୈଳୀ ଟିକେ ଅଲଗା। ତାଙ୍କ କାହାଣୀ ଶୁନିଲେ ଲାଗୁଛି, ଶିକ୍ଷା କେବଳ ଶ୍ରେଣୀଗୃହ ଯାଏଁ ସୀମିତ ରୁହେ ନାହିଁ। ଲୋକମାନଙ୍କ ସହ ମିଳାମିଶା ଏବଂ ବାସ୍ତବ ଅନୁଭବରୁ ସଫଳତା ମିଳେ।
ଆହୁରି ପଢନ୍ତୁ- ବାଥ୍ରୁମରେ ଗାତ ଖୋଳି, ସ୍ୱାମୀକୁ ପୋତି ଢଳେଇ ପକେଇଲା ସ୍ତ୍ରୀ; ଦେଢ଼ ମାସ ପରେ ମିଳିଲା ଗଳିତ ଶବ