ବଢୁଛି ପାରଦ

Jul 07, 2026 - 16:26
ବଢୁଛି ପାରଦ

 

ୟୁରୋପରେ ଜାରି ରହିଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବିଶ୍ୱ ପାଣିପାଗ ସଂଗଠନ ଡବ୍ଲୁଏମଓ ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭିନ୍ନ ଦେଶର ତାପମାତ୍ରା ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଛି । ଜର୍ମାନୀରେ କ୍ରମାଗତ ତିନି ଦିନ ଧରି ନୂଆ ତାପମାତ୍ରା ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଜୁନ୍ ୨୮ ରେ ପୋଲାଣ୍ଡ ସୀମାନ୍ତବର୍ତ୍ତୀ କୋସଚେନ୍ ସହରରେ ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦେଶର ୨୫୨ଟି ପାଣିପାଗ କେନ୍ଦ୍ରରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ଚିହ୍ନଟ ହେବା ସହ ପୂର୍ବ ସାକ୍ସୋନିରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ୨୯.୪ ଡିଗ୍ରୀରେ ପହଞ୍ଚି ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ସେହିପରି ହଙ୍ଗେରୀର ବୁଦାପେଷ୍ଟ ନିକଟରେ ଜୁନ୍ ୨୮ ରେ ଜୁନ୍ ମାସର ସର୍ବୋଚ୍ଚ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ପୋଲାଣ୍ଡରେ ୪୦.୫ଡିଗ୍ରୀ ଏବଂ ଚେକ୍ ଗଣରାଜ୍ୟରେ ମଧ୍ୟ ନୂଆ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ଅଷ୍ଟ୍ରିଆର ଭିଏନା ସହରରେ ଜୁନ୍ ମାସର ସର୍ବୋଚ୍ଚ ୪୦.୦ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ସେଠାରେ 'ରେଡ୍ ଆଲର୍ଟ' ଜାରି ରହିଛି। ଅପରପକ୍ଷରେ, ୟୁନାଇଟେଡ୍ କିଙ୍ଗଡମ୍  ମଧ୍ୟ କ୍ରମାଗତ ତିନି ଦିନ ଧରି ଜୁନ୍ ମାସର ତାପମାତ୍ରା ରେକର୍ଡ ଭାଙ୍ଗିଛି, ଯେଉଁଠାରେ ଜୁନ୍ ୨୫ ରେ ଦକ୍ଷିଣ ଇଂଲଣ୍ଡରେ ୩୭.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଏବଂ ପାଣିପାଗ ଚେତାବନୀ ଇତିହାସରେ ପ୍ରଥମ ଥର ପାଇଁ କ୍ରମାଗତ ତିନି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର 'ରେଡ୍ ୱାର୍ଣ୍ଣିଂ' ଜାରି ହୋଇଛି । ନେଦରଲ୍ୟାଣ୍ଡରେ ମଧ୍ୟ ପାଣିପାଗ ସେବା ପକ୍ଷରୁ ଆଠଟି ପ୍ରଦେଶ ପାଇଁ ଅଭୂତପୂର୍ବ 'ରେଡ୍ ଆଲର୍ଟ' ଜାରି କରାଯିବା ସହ ଜୁନ୍ ମାସର ନୂଆ ଜାତୀୟ ରେକର୍ଡ ୩୯.୪ ଡିଗ୍ରୀ ତାପମାତ୍ରା ପଞ୍ଜିକୃତ ହୋଇଛି। ଏହା ବ୍ୟତୀତ, ଡେନମାର୍କରେ ୧୯୭୫ ର ରେକର୍ଡ ଭାଙ୍ଗି ଦୁଇଟି ସ୍ଥାନରେ ସର୍ବକାଳୀନ ସର୍ବୋଚ୍ଚ ୩୭.୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସୁଇଜରଲ୍ୟାଣ୍ଡର ଉତ୍ତର ସହର ବାସେଲ୍ରେ ମଧ୍ୟ ଜୁନ୍ ମାସର ଏକ ନୂଆ ରେକର୍ଡ ଭାବେ ୩୯ଡିଗ୍ରୀ ତାପମାତ୍ରା ଚିହ୍ନଟ କରାଯାଇଛି । ୟୁରୋପରେ ଜାରି ରହିଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଫ୍ରାନ୍ସ ଓ ସ୍ପେନରେ ପାଣିପାଗର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଥିବା ସୂଚନା ରହିଛି । ମେଟିଓ-ଫ୍ରାନ୍ସ ଅନୁଯାୟୀ, ଜୁନ୍ ୨୪ ତାରିଖ ଦିନ ୩୦.୦ ଡିଗ୍ରୀ ସେଲସିୟସର ଜାତୀୟ ହାରାହାରି ତାପମାତ୍ରା ସହ ଫ୍ରାନ୍ସ ଇତିହାସର ସବୁଠାରୁ ଗରମ ଦିନ ରେକର୍ଡ କରାଯାଇଛି । ଯାହା ପୂର୍ବଦିନର ରେକର୍ଡ ସମେତ ଜୁଲାଇ ୨୦୧୯ ଏବଂ ଅଗଷ୍ଟ ୨୦୦୩ ର ସମସ୍ତ ସ୍ତରକୁ ଟପିଯାଇଛି। ଏପରିକି ପଶ୍ଚିମ ଫ୍ରାନ୍ସର ପୁଲୁଆ ସହରରେ ପାରଦ ୪୩.୮ ଡିଗ୍ରୀକୁ ଛୁଇଁଥିବା ବେଳେ ରାତିର ହାରାହାରି ସର୍ବନିମ୍ନ ତାପମାତ୍ରା ମଧ୍ୟ ୨୨ଡିଗ୍ରୀ ର ଏକ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛି । ଏହି ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଦେଶର ପ୍ରାୟ ଅଧିକାଂଶ ଭାଗ ଅର୍ଥାତ୍ ରେକର୍ଡ ସଂଖ୍ୟକ ୫୮ଟି ବିଭାଗ (ଡିପାର୍ଟମେଣ୍ଟ) ପାଇଁ ସର୍ବୋଚ୍ଚ ସ୍ତରର 'ରେଡ୍ ଆଲର୍ଟ' ଜାରି କରାଯାଇଛି ଏବଂ ବଢୁଥିବା ମରୁଡ଼ି ମଧ୍ୟରେ ଜଙ୍ଗଲ ନିଆଁର ଭୟାବହ ଆଶଙ୍ଗା ନେଇ ପ୍ରଶାସନ ସତର୍କ ସୂଚନା ଦେଇଛି । ଏଥିସହିତ ଏହି ଜୀବନନାଶକ ଗରମ ସହ ଜଡ଼ିତ ବିପଦ କାରଣରୁ ଫ୍ରାନ୍ସରେ ପ୍ରାୟ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ, ସ୍ପେନର ପାଣିପାଗ ସଂସ୍ଥାର ସୂଚନା ଅନୁସାରେ, ସେଠାରେ ମଧ୍ୟ ଜୁନ୍ ୨୩ ଏବଂ ୨୪ ତାରିଖ ଇତିହାସର ସବୁଠାରୁ ଗରମ ଜୁନ୍ ଦିନ ଭାବେ ପଞ୍ଜିକୃତ ହୋଇଛି । ଯେଉଁଠାରେ ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ବହୁ ଉପରକୁ ଚାଲିଯାଇଛି ଏବଂ ବିଲବାଓ ସହରରେ ସର୍ବାଧିକ ୪୨.୭ଡିଗ୍ରୀ ତାପମାତ୍ରା ସହ ଜୁନ୍ ମାସର ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ ସୃଷ୍ଟି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।