ପ୍ରେମ ପ୍ରତାରଣା ଅଭିଯୋଗରେ SI ଗିରଫ, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକେଇ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା। ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ସବ୍ଇନ୍ସପେକ୍ଟର। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ଅଭିଯୋଗ ଅନୁସାରେ, ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ SI ପ୍ରଭାତ କୁମାର ନାୟକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ମନ୍ଦିରରେ ବିବାହ କରିଥିଲେ ମଧ୍ୟ ତାଙ୍କୁ ପ୍ରତାରଣା କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଏହାସହ ଲକ୍ଷାଧିକ ଟଙ୍କା ଠକେଇ ଏବଂ ସର୍ଭିସ୍ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ନେଇ ମଧ୍ୟ ଯୁବତୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ ଥାନା ପୋଲିସ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି। ତେବେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ SI ପ୍ରଭାତ କୁମାର ନାୟକ ଖଣ୍ଡନ କରିଛନ୍ତି। ସେ ଯୁବତୀଙ୍କୁ ବିବାହ କରିଥିବା ଦାବି କରିଛନ୍ତି। ତେଣୁ ମାମଲାରେ ଉଭୟ ପକ୍ଷର ଭିନ୍ନ ଦାବି ସାମ୍ନାକୁ ଆସିଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ବାରିପଦାରେ ଚର୍ଚ୍ଚା ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

