05 JULY 2026

Welcome!

Unlock your personalized experience.
Sign Up

ପ୍ରବଳ ବର୍ଷାରେ ଆକ୍ତାମାକ୍ତା ମୁମ୍ବାଇ: ବିମାନ ବାତିଲ୍, ବିଳମ୍ବରେ ଗଡ଼ୁଛି ଟ୍ରେନ୍

Jul 05, 2026 - 09:33
ପ୍ରବଳ ବର୍ଷାରେ ଆକ୍ତାମାକ୍ତା ମୁମ୍ବାଇ: ବିମାନ ବାତିଲ୍, ବିଳମ୍ବରେ ଗଡ଼ୁଛି ଟ୍ରେନ୍

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଦେଶର ବାଣିଜ୍ୟିକ ସହର ମୁମ୍ବାଇ । ଦୈନନ୍ଦିନ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଆଗାମୀ ୪୮ଘଣ୍ଟା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବାନ୍ଦ୍ରା, ଭିଲେପାର୍ଲେ, ଚେମ୍ବୁର, ଘାଟକୋପରର ସ୍ଥିତି ଗମ୍ଭୀର ରହିଛି । ସହରର ଯେଉଁଠି ଆଖି ପଡୁଛି ସେଠି କେବଳ ପାଣି ହିଁ ପାଣି । ଟ୍ରାକ୍ ରେ ପାଣି ଜମିବା କାରଣରୁ ଟ୍ରେନ୍ ଗୁଡ଼ିକ ବିଳମ୍ବରେ ଗଡୁଛି । ସେପଟେ ଭିଜିବିଲିଟି କମ ପାଇଁ ମୁମ୍ବାଇରୁ ଉଡୁଥିବା କିଛି ବିମାନକୁ ବାତିଲ କରାଯାଇଛି । ସମୁଦ୍ରରେ ଜୁଆର ଉଠୁଥିବାରୁ ମତ୍ସ୍ୟଜୀବୀ ଓ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।

ବିପଦସଙ୍କୁଳ ରାସ୍ତା କିମ୍ବା ବିଶାଳ ଗଛ ନିକଟ ଦେଇ ଯାତ୍ରା ନକରିବାକୁ ସତର୍କ କରାଯାଇଛି । ମୁମ୍ବାଇରେ ଗଛ ଓ କାନ୍ଥ ଭାଙ୍ଗିବା କାରଣରୁ ୬ଜଣଙ୍କ ଜୀବନହାନି ପରେ ସ୍ଥାନୀୟ ପ୍ରଶାସନ ସର୍ତକତା ଅବଲମ୍ବନ କରିଛି। ଜଳବନ୍ଦୀ ଅଞ୍ଚଳରୁ ୧୮୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଦେଶର ଅନେକ ରାଜ୍ୟରେ ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି। ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ଏହି ରାଜ୍ୟଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଗୁଜରାଟର ଜୁନାଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉତ୍ତର ପ୍ରଦେଶର କାନପୁରରେ ବର୍ଷା ୧୫ ବର୍ଷର ରେକର୍ଡ ଭାଙ୍ଗିଛି ।