ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ
ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ରବିବାର ତାଙ୍କ ୧୦୧ତମ ଜନ୍ମଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ତାଙ୍କ ପୁତ୍ର ବିଘ୍ନେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ କବି ବୃନ୍ଦାବନ ପଣ୍ଡା ସଂଯୋଜନା ଓ ଚାଷୀ ନେତା ଶମ୍ଭୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଆଇନଜୀବୀ ନୋଟାରି ପବ୍ଲିକ ତଥା ସମାଜବିଜ୍ଞାନୀ ଭଗବାନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ବର୍ତ୍ତମାନର ରାଜନୀତି ରେ ନୀତି ଓ ନୈତିକତାର ସ୍ଥାନ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ।
ବର୍ତ୍ତମାନ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରି ଉଗ୍ର ସାମ୍ରାଜ୍ୟବାଦ ପ୍ରତିଷ୍ଠା ପାଇଁ ହିନ୍ଦୁତ୍ୱ ନାଁରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନ ଉଦ୍ୟମ ଚଳାଇଛି ବୋଲି ସେ କଟାକ୍ଷ କରିଥିଲେ।ତେଣୁ ଭାରତବର୍ଷରେ ସାମ୍ୟ, ସହଁତି ଓ ସମାଜବାଦ ପ୍ରତିଷ୍ଠା ପାଇଁ ଯୁବସମାଜ ଆଗେଇ ଆସିବା ଉଚିତ ବୋଲି ସେ ଆହ୍ବାନ ଜଣାଇଥିଲେ।
ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ସିପିଆଇ ଜିଲା ସମ୍ପାଦକ ଶ୍ରୀହର୍ଷ ରଥ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ସିପିଆଇ (ଏମଏଲ) ନ୍ୟୁ ଡେମୋକ୍ରେସିର ରାଜ୍ୟ ସାଧାରଣ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ସିପିଆଇ(ଏମ)ର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ, ଏନ.ଭାନୁମତୀ ରେଡ୍ଡୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ସିପିଆଇ ଜୋନାଲ ସମ୍ପାଦକ କୈଳାସ ପାତ୍ର, ସାହିତି୍ୟକ ଡ଼. ଲକ୍ଷ୍ମୀନାରାୟଣ ଦାସ,ଆଇନଜୀବୀ କୁରେଶୁ ପଣ୍ଡା, ଅଶେଷ ନାଥ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଶ୍ୱନାଥଙ୍କ ଆଦର୍ଶ ଗୁଣାବଳୀର ସ୍ମୃତିଚାରଣ କରିଥିଲେ।ଏହି ଅବସରରେ କମିଟି ପକ୍ଷରୁ ୧୯ ଜଣ ବୟୋଜ୍ୟେଷ୍ଠ ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।