ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା
ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ସୁଚାରୁରୂପେ ଆୟୋଜନ କରିବା ନେଇ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଚଳିତ ବର୍ଷ ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ।
ବୈଠକରେ ପାଟଣା ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କମଳାକାନ୍ତ ଦାଶ, ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶୁଭେନ୍ଦୁ ସାଗର କୁମାର ନାଏକ ଏବଂ ଜିପିଡିଓ ସନ୍ତୋଷ କୁମାର ଶବର ପ୍ରମୁଖ ମଞ୍ଚାସୀନ ଥିଲେ।
ଏହାବ୍ୟତୀତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲା ସମ୍ପାଦକ କମଳାକାନ୍ତ ପତି, ଭାଷ୍ୟକାର ପାର୍ଥସାରଥୀ ବେଜ, ବିଜେଡି ବ୍ଲକ୍ ସଭାପତି ମାଧବାନନ୍ଦ ପୃଷ୍ଟି, ପାଟଣା ସୁରକ୍ଷା ମଞ୍ଚର ଆବାହକ ବିଜୟ ରତ୍ନ ପତି, କ୍ରୀଡାବିତ୍ ପ୍ରମୋଦ କୁମାର ଭଞ୍ଜ, କୁଡ଼ୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ଯୁଗୋଳକିଶୋର ଦାଶ, ଅଗ୍ନିଶମ ଅଧିକାରୀ ଗୌର ହେମ୍ବ୍ରମ, ଡବ୍ଲ୍ୟୁଇଓ ସିପ୍ରାରାଣୀ ମହାନ୍ତଙ୍କ ସମେତ ବ୍ଲକ୍ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ, କ୍ରୀଡା ଶିକ୍ଷକ ଏବଂ ବ୍ଲକ୍ରେ କାର୍ଯ୍ୟରତ ପ୍ରିଣ୍ଟ, ସାଟେଲାଇଟ୍ ଓ ଡିଜିଟାଲ ମିଡିଆର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମାଟ୍ରିକ୍ ପରୀକ୍ଷାର ବ୍ଲକ୍ ଟପ୍ପର, ଆଦର୍ଶ ଶିକ୍ଷକ, କୃତୀ ସାମ୍ବାଦିକ (ଖବରଦାତା) ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।