Rajesh Khanna House : ରାଜେଶ ଖାନ୍ନାଙ୍କ 'ଆଶୀର୍ବାଦ' ବଙ୍ଗଳା , ଏହାକୁ 'ଭୂତକୋଠି' କହିବା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ?
ମୁମ୍ୱାଇ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଦିବଙ୍ଗତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପ୍ରସିଦ୍ଧ ବଙ୍ଗଳା 'ଆଶୀର୍ବାଦ'କୁ ନେଇ ବମ୍ବେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। କୋର୍ଟ ଗଣମାଧ୍ୟମ ସଂସ୍ଥା ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଉକ୍ତ ସମ୍ପତ୍ତିକୁ ଅଭିଶପ୍ତ, ଭୂତକୋଠି କିମ୍ବା ଅଶୁଭ ବୋଲି ଦର୍ଶାଇବା ଉପରେ ଲଗେଇଲେ ରୋକ୍। କୋର୍ଟ ତାଙ୍କର ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଏହିପରି ଦାବି ପ୍ରଥମ ଦୃଷ୍ଟିରୁ ମାନହାନିକାରକ ଏବଂ ଏହା ଘର ମାଲିକଙ୍କ ମହତ୍ତ୍ୱପୂର୍ଣ୍ଣ ଜୀବନ ଜିଇଁବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।
କାହା ପାଖରେ ଅଛି ରାଜେଶ ଖାନ୍ନାଙ୍କ 'ଆଶୀର୍ବାଦ' ?
ପ୍ରକୃତ କଥା ହେଲା, ଏବେ ଏହି ଘର ବ୍ୟବସାୟୀ ଶଶି ଶେଟ୍ଟୀଙ୍କ ମାଲିକାନାରେ ଅଛି। ରାଜେଶ ଖାନ୍ନାଙ୍କ ଦେହାନ୍ତ ପରେ ସେ ଅକ୍ଷୟ କୁମାରଙ୍କ ଠାରୁ ଏହି ସମ୍ପତ୍ତି ( ପ୍ରାୟ ୯୦ କୋଟି ଟଙ୍କାରେ) କିଣି ଥିଲେ। ଏହା ପରେ ସେ ଏହି ବଙ୍ଗଳାକୁ ଭାଙ୍ଗି ଦେଇ ଥିଲେ ଏବଂ ନିଜ ପରିବାର ପାଇଁ ଏକ ନୂଆ ଚାରି ମହଲା କୋଠା ନିର୍ମାଣ କରି ଥିଲେ। ଏହାପରେ ସେ ଏହି ଘରର ନାମ 'ଆଶୀର୍ବାଦ' ରଖି ଥିଲେ।
India.com ସମେତ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଅନେକ ଆର୍ଟିକିଲ୍ ଓ ଭିଡିଓ ସାମ୍ନାକୁ ଆସି ଥିଲା, ଯେଉଁଥିରେ ଏହି ଘରକୁ ଭାରତର 'ସବୁଠାରୁ ଭୂତକୋଠି' ତାଲିକାରେ ସାମିଲ କରାଯାଇ ଥିଲା। ନିଜ ଘର ବିଷୟରେ ପ୍ରସାରିତ ହେଉଥିବା ଏହିଭଳି ବିଭ୍ରାନ୍ତିକର ଖବରରେ ଅସନ୍ତୁଷ୍ଟ ହୋଇ ବର୍ତ୍ତମାନର ମାଲିକ ଶଶି ଶେଟ୍ଟୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ।
ହାଇକୋର୍ଟ କହିଛନ୍ତି ଯେ , ଶଶି ଶେଟ୍ଟୀଙ୍କ ଅଭିଯୋଗ ପୂରା ଯୁକ୍ତିଯୁକ୍ତ। କେବଳ ଉତ୍ତେଜନା ସୃଷ୍ଟି କରିବା ପାଇଁ ବିନା କୌଣସି ଆଧାରରେ ଘରକୁ ଭୂତକୋଠି କିମ୍ବା ଅଭିଶପ୍ତ କହିବା ସମ୍ପୂର୍ଣ୍ଣ ଭୁଲ୍। ଯେହେତୁ ଅଭିଯୁକ୍ତ ପକ୍ଷ (ମିଡିଆ ପ୍ଲାଟଫର୍ମ)ରୁ କେହି ବି କୋର୍ଟରେ ନିଜର ପକ୍ଷ ରଖିବାକୁ ଆସି ନଥିଲେ, ତେଣୁ କୋର୍ଟ ୨୧ ଅଗଷ୍ଟ ୨୦୨୬ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହିଭଳି ଖବର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି।
'ଆଶୀର୍ବାଦ' ବଙ୍ଗଳାର ଇତିହାସ -
ରାଜେନ୍ଦ୍ର କୁମାରଙ୍କ ଠାରୁ ଆରମ୍ଭ : ୧୯୫୦ ଦଶକରେ ଅଭିନେତା ରାଜେନ୍ଦ୍ର କୁମାର ଏହାକୁ ପ୍ରାୟ ୬୫,୦୦୦ ଟଙ୍କାରେ କିଣି ଥିଲେ। ଏହି ଘରେ ରହିବା ସମୟରେ ସେ ଲଗାତାର ଅନେକ ହିଟ୍ ଫିଲ୍ମ ଦେଇ ଥିଲେ ଏବଂ ତାଙ୍କୁ 'ଜୁବିଲି କୁମାର' ବୋଲି କୁହାଯାଉ ଥିଲା।
ରାଜେଶ ଖାନ୍ନାଙ୍କ ସମୟ : ପରବର୍ତ୍ତୀ ସମୟରେ ରାଜେଶ ଖାନ୍ନା ଏହାକୁ ୩.୫ ଲକ୍ଷ ଟଙ୍କାରେ କିଣି ନେଇ ଥିଲେ। ଏହି ବଙ୍ଗଳାରେ ରହିବା ସମୟରେ ରାଜେଶ ଖାନ୍ନା ହିନ୍ଦୀ ସିନେମାର ପ୍ରଥମ ' ସୁପରଷ୍ଟାର ' ହୋଇ ଥିଲେ ଏବଂ ତାଙ୍କ ସମୟକୁ ଭାରତୀୟ ସିନେମା ଇତିହାସର ସବୁଠାରୁ ସଫଳ ସମୟ ବୋଲି ବିବେଚନା କରାଯାଏ।
ରାଜେଶ ଖାନ୍ନାଙ୍କ ଇଚ୍ଛା : ୨୦୧୨ ମସିହାରେ ରାଜେଶ ଖାନ୍ନାଙ୍କ ନିଧନ ପରେ ତାଙ୍କ ପରିବାର ଏହାକୁ ଶଶି ଶେଟ୍ଟୀଙ୍କୁ ବିକ୍ରି କରି ଦେଇ ଥିଲେ। ରାଜେଶ ଖାନ୍ନାଙ୍କ ଇଚ୍ଛା ଏହାକୁ ଏକ ମ୍ୟୁଜିୟମ କରିବାର ଥିଲା, କିନ୍ତୁ ବିକ୍ରି ହେବା ପରେ ନୂଆ ମାଲିକ ୨୦୧୬ ମସିହାରେ ଏହାକୁ ଭାଙ୍ଗି ନୂଆ ଘର ନିର୍ମାଣ କରି ଦେଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ - Nargis Dutt last days : ମୋ ମାଆ କୋମାରେ ଥିଲେ , ବାପା କହିଲେ ଯାଇ ସୁଟିଂ ସାରି ଦିଅ ! ନର୍ଗିସ ଦତ୍ତଙ୍କ ଶେଷ ଦିନକୁ ମନେପକାଇଲେ ସଞ୍ଜୟ ଦତ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।