ଦିନିକିଆ ବିଶ୍ୱକପ୍ ୨୦୨୭: ଫେବ୍ରୁଆରୀରୁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ୍, ଖେଳିବେ ୧୦ ଟିମ୍
ଦୁବାଇ, ୦୬/୦୮: ଆସନ୍ତା ବର୍ଷ ଆୟୋଜିତ ହେବ ଦିନିକିଆ ବିଶ୍ୱକପ୍ । ଏହା ପୂର୍ବରୁ ଆଇସିସି ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରୁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୨୩ ତାରିଖରେ ଶେଷ ହେବ । ମୋଟ୍ ୧୦ଟି ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଦଳ ବିଶ୍ୱକପ୍କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବ । ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲ କରିଥିବା ଦଳ ବିଶ୍ୱକପ୍ର ପ୍ରଥମ ରାଉଣ୍ଡ ଖେଳିବେ । ଏହି ରାଉଣ୍ଡର ନାମ ରଖା ଯାଇଛି ସୁପର ସିରିଜ । ସୁପର ସିରିଜର ଚାମ୍ପିଅନ ଦଳ ବିଶ୍ୱକପ୍ର ମୁଖ୍ୟ ଡ୍ର’ରେ ପ୍ରବେଶ କରିବେ ।
ଅଧିକ ପଢ଼ନ୍ତୁ :- MS Dhoni: ଏମଏସ ଧୋନିଙ୍କ ନୂଆ ଇନିଂସ... ପୁରୁଣା ହବିକୁ କଲେ କି 'କ୍ୟାରିୟର' ? ଭିଡିଓ ଭାଇରାଲ୍
ଏଥର ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଫର୍ମାଟ୍ ଅନୁଯାୟୀ ମୋଟ୍ ୧୪ଟି ଦେଶ ବିଶ୍ୱକପ୍ରେ ଭାଗ ନେବେ । ମାନ୍ୟତା ତାଲିକାର ୧ରୁ ୧୦ ମଧ୍ୟରେ ରହିଥିବା ଦଳ ସିଧା ସଳଖ ବିଶ୍ୱକପ୍ ଟିକେଟ୍ ହାସଲ କରିବେ । ବାକି ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରୁ ବିଶ୍ୱକପ୍ରେ ପ୍ରବେଶ କରିବେ ।
ବିଶ୍ୱକପ୍ର ୧୪ତମ ସଂସ୍କରଣକୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟା ମିଳିତ ଭାବେ ଆୟୋଜନ କରୁଛନ୍ତି । ମୋଟ୍ ୧୪ଟି ଦଳକୁ ନେଇ ବିଶ୍ୱକପ୍ ଆୟୋଜନ କରାଯିବ । ଏଥର ବିଶ୍ୱକପ୍ରେ ମେଟ୍ ୫୭ଟି ମ୍ୟାଚ ରହିଛି । ୩ଆୟୋଜକ ଦେଶର ୮ଟି ସହରରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ । ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଓ ନାମିବିୟାର ଗୋଟିଏ ଷ୍ଟାଡ଼ିୟମ୍ରେ ଖେଳାଯିବ ସମସ୍ତ ମ୍ୟାଚ ।
୧୦ଟି ଦଳକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ । ଚାମ୍ପିଅନ ଦଳ ସିଧା ସଳଖ ମୁଖ୍ୟ ଡ୍ର’କୁ ଉନ୍ନୀତ ହେବେ । ମୁଖ୍ୟ ଡ୍ର’ରେ ଦଳ ସଂଖ୍ୟା ୧୧ରେ ପହଞ୍ଚିବ । ଏହାପରେ ୩ଟି ପର୍ଯ୍ୟାୟରେ ବିଶ୍ୱକପ୍ ଖେଳାଯିବ । ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲ କରିଥିବା ୩ଟି ଦଳ ମଧ୍ୟରେ ଏକ ସୁପର ସିରିଜ ଖେଳାଯିବ । ବିଜୟୀ ଦଳ ମୁଖ୍ୟ ଡ୍ର’ରେ ପ୍ରବେଶ କରିବେ । ମାନ୍ୟତାର ୧ରୁ ୧୧ ମଧ୍ୟରେ ରହିଥିବା ଦଳଗୁଡ଼ିକ ସହ ସୁପରସିରିଜ ବିଜେତା ଯୋଗ ଦେବେ । ୧୨ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପ୍ରେ ୬ଟି ଲେଖାଏଁ ଦଳ ରହିବେ ।
ରାଉଣ୍ଡ ରବିନ ଫର୍ମାଟରେ ଗ୍ରୁପ୍ ପର୍ଯ୍ୟାୟ ଖେଳାଯିବ । ଉଭୟ ଗ୍ରୁପ୍ରୁ ଶ୍ରେଷ୍ଠ ୩ଟି ଲେଖାଏଁ ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ । ଏମାନଙ୍କ ସହ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଥିବା ଦଳ ମଧ୍ୟ ପରବର୍ତ୍ତୀ ରାଉଣ୍ଡ୍ରେ ପ୍ରବେଶ କରିବ । ଫଳରେ ମୋଟ୍ ୭ଟି ଦଳକୁ ନେଇ ସୁପର ସେଭେନ ରାଉଣ୍ଡ ଖେଳାଯିବ । ଏହି ରାଉଣ୍ଡ୍ରେ ମୋଟ୍ ୨୧ଟି ମ୍ୟାଚ ରହିଛି । ଶେଷରେ ଶ୍ରେଷ୍ଠ ୪ଟି ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।