06 AUGUST 2026

Welcome!

Unlock your personalized experience.
Sign Up

Odisha Lightning Alert: ଆକାଶରୁ ଖସୁଛି ବଜ୍ର, ୩ ଦିନରେ ବଜ୍ରାଘାତରେ ୧୦ ମୃତ, ଆଲର୍ଟ କରିବାକୁ ପଞ୍ଚାୟତରେ ବାଜିବ ସାଇରନ୍

Aug 06, 2026 - 08:02
Odisha Lightning Alert: ଆକାଶରୁ ଖସୁଛି ବଜ୍ର, ୩ ଦିନରେ ବଜ୍ରାଘାତରେ ୧୦ ମୃତ, ଆଲର୍ଟ କରିବାକୁ ପଞ୍ଚାୟତରେ ବାଜିବ ସାଇରନ୍

ଭୁବନେଶ୍ୱର, ୦୬/୦୮: ଲଗାଣ ବର୍ଷା ଓ ବନ୍ୟାରେ ୧୯ ଜିଲ୍ଲା ପ୍ରଭାବିତ ହେଲା । ୮ ଲକ୍ଷରୁ ଅଧିକ ଲୋକେ ବନ୍ୟା ଦାଉ ସହିଲେ । ଏତେ ବଡ଼ ବିପତ୍ତିରେ ୬ଜଣଙ୍କ ଜୀବନ ଗଲା । କିନ୍ତୁ, ଗତ ୩ ଦିନରେ ବଜ୍ରପାତ ନେଲାଣି ୧୦ଜଣଙ୍କ ପ୍ରାଣ । ବର୍ଷକୁ ହାରାହାରି ୩ଶହ ଲୋକ ଅକାଳରେ ଟଳି ପଡ଼ୁଛନ୍ତି ବଜ୍ର ମାଡ଼ରେ ।

ବନ୍ୟା, ବାତ୍ୟା ଭଳି ମହାବିପତ୍ତିକୁ ସରକାର ଦୃଢ଼ତାର ସହ ମୁକାବିଲା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଜିରୋ କାଜୁଆଲିଟି ମିଶନ ସାରା ବିଶ୍ୱ ପାଇଁ ମଡେଲ୍ । କିନ୍ତୁ, ବଜ୍ରପାତ ମୃତ୍ୟୁ ଏବେ ବି ରାଜ୍ୟ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଗତ ୨ ତାରିଖରୁ ୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଜଣ ବଜ୍ରପାତରେ ଜୀବନ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିମାନଙ୍କ ଭିତରୁ ୭ଜଣ ଚାଷୀ। ସେମାନେ ବିଲରେ ତଳି ଓ ରୁଆ କାମ କରୁଥିଲେ । ପ୍ରାୟତଃ ଯୁବ ଚାଷୀ ଥିଲେ । ବୟସ ୨୫ରୁ ୪୦ ବର୍ଷ ଭିତରେ । ଗୋରୁ ଚରାଉଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମୋବାଇଲ ବ୍ୟବହାର କରୁଥିବା ସମୟରେ ପ୍ରାଣ ହରାଇଛନ୍ତି । ସେହିପରି ବିଦ୍ୟାଳୟ ପରିସରରେ ଗଛ ମୂଳେ ଚେୟାରରେ ବସିଥିବାବେଳେ ଜଣେ ଖେଳ ଶିକ୍ଷକ ବଜ୍ରପାତରେ ଟଳି ପଡ଼ିଥିବା ଖବର ଆସିଛି ।

ଏବେ ପ୍ରଶ୍ନ ଉଠୁଛି, ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଓ ସରକାରୀ ସଚେତନା ସତ୍ତେ୍ୱ କେମିତି ଏତେ ଜୀବନ ଯାଉଛି ବଜ୍ରପାତରେ?ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃ ର୍ପକ୍ଷ (ଓସ୍‌ଡିମା) ରାଜ୍ୟ ପ୍ରୋଜେକ୍ଟ ମ୍ୟାନେଜର ମେଘନାଦ ବେହେରା କହିଛନ୍ତି, ବଜ୍ରପାତ ମୃତ୍ୟୁ ରୋକିବା ପାଇଁ କାନ୍ଥରେ ଚିତ୍ର ଆଙ୍କିବାଠାରୁ ନେଇ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଉଛି । ପାଲା, ଦାସକାଠିଆ, ନାଟକ ମାଧ୍ୟମରେ ସଚେତନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନାକୁ ମୋବାଇଲ ମେସେଜରେ ପଠାଯାଉଛି । ଅଧ ଘଣ୍ଟା ପୂର୍ବରୁ ଏଭଳି ମୋବାଇଲ୍ ମେସେଜ ପହଞ୍ଚୁଛି । ହେଲେ ବିଲରେ କାମ କରୁଥିବା ଅନେକ ଚାଷୀ ସୂଚନା ପାଇପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଗାମୀଦିନରେ ଇଲେଟ୍ରିକ ଫିଲ୍ଡ ମିଟର ବ୍ୟବସ୍ଥା ଲଗାଯିବ । ଏଥିରେ ସାଇରନ ବାଜିବା ବ୍ୟବସ୍ଥା ରହିବ ।

ପାଣିପାଗ ବିଭାଗରୁ ବିଜୁଳି, ଘଡ଼ଘଡ଼ି, ବର୍ଷା, ପବନ, କାଳବୈଶାଖୀ ନେଇ ସତର୍କ ସୂଚନା ଆସିବା ମାତ୍ରେ ଏହି ମେସିନରୁ ଆପେ ସାଇରନ ବାଜିବ । ଏହା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ସତର୍କ କରାଇବ । ଦେଢ଼ କିଲୋମିଟରରୁ ୫ କିମି ପର୍ଯ୍ୟନ୍ତ ଦୂରକୁ ଶୁଭିଲା ଭଳି ସାଇରନ କାର୍ଯ୍ୟ କରିବ । ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃ ର୍ପକ୍ଷ (ଏନଡିଏମ୍ଏ) ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାମ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛି । ସମସ୍ତ ପଞ୍ଚାୟତରେ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା ଅଛି । ମାତ୍ର ଏହା ବ୍ୟୟବହୁଳ ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ବଜ୍ରପାତ ପ୍ରବଣ ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର ଏବଂ କଟକ ଜିଲ୍ଲାରେ ଏହି ସାଇରନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଯୋଗାଇ ଦେବେ ।

ପ୍ରଥମ କରି ଓଡ଼ିଶାରୁ ହିଁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏହାର ଏକମାତ୍ର ଉଦ୍ଦେଶ୍ୟ- ବିଲରେ କାମ କରୁଥିବା ଚାଷୀ, ଗଛ ମୂଳେ ଆଶ୍ରୟ ନେଇଥିବା ଲୋକେ, ପାଣିରେ ପଶିଥିବା ବ୍ୟକ୍ତି ଯେମିତି ବଜ୍ରପାତ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯିବେ । ବଜ୍ରପାତ ମୃତ୍ୟୁ ରୋକିବା ଦିଗରେ ଗତ କିଛି ବର୍ଷ ଧରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ବ୍ୟାପକ କାର୍ଯ୍ୟକ୍ରମ ଜାରି ରଖିଛି । ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି, ପ୍ରାକ୍ ମୌସୁମୀ (ମାର୍ଚ୍ଚରୁ ମେ) ଓ ମୌସୁମୀ ସମୟରେ (ଜୁନ୍‌ରୁ ସେପ୍ଟେମ୍ବର) ହିଁ ବଜ୍ରପାତ ବିପଦ ରହିଥାଏ । ମୌସୁମୀ ପୂର୍ବରୁ ମେ’ ମାସରେ ଓ ମୌସୁମୀ ସମୟରେ ଜୁଲାଇ ଓ ଅଗଷ୍ଟରେ ବେଶି ବଜ୍ରପାତ ମୃତ୍ୟୁ ଘଟିଥାଏ । ଏହି ମୃତ୍ୟୁ ହ୍ରାସର ଏକମାତ୍ର ବାଟ ସତର୍କତା ଓ ସଚେତନତା । ବଜ୍ରପାତ ନେଇ ପୂରା ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ସୂଚନା ଦେବା ସହଜ ନୁହେଁ । କାରଣ ବାୟୁମଣ୍ଡଳରେ ଯେତିକି ବଜ୍ର ସୃଷ୍ଟି ହୁଏ, ସେଥିରୁ କେବଳ ୧୫% ଭୂମିକୁ ଖସିଥାଏ । ସ୍ଥାନ, କାଳ, ପାତ୍ରକୁ ନେଇ ସରକାରଙ୍କୁ ପଦକ୍ଷେପ ନେବାକୁ ହେବ । ଓଡ଼ିଶାରେ ଚାଷୀ, ଗାଈଗୋରୁ ଚରାଉଥିବା ଲୋକେ, ଗଛ ମୂଳେ ଆଶ୍ରୟ ନେଇଥିବା ଲୋକେ ହିଁ ବଜ୍ରପାତରେ ବେଶି ଜୀବନ ହରାଇଥାଆନ୍ତି । କେଉଁ ସମୟରେ ଅଧିକ ବଜ୍ରପାତ ବିପଦ ରହିଛି? କେଉଁଠି ମୃତ୍ୟୁର ଆଶଙ୍କା ବେଶି? ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ କରିବାକୁ ହେବ ।

ଅଧିକ ପଢ଼ନ୍ତୁ  :-  Heavy rain Alert: ଆଜିଠୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ, ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ​​​​​​​

ବର୍ଷା ସମୟରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଭିତରେ ବଜ୍ରପାତ ବିପଦ ଅଧିକ ଥାଏ । ତେଣୁ ଅପରାହ୍ନ ବଦଳରେ ଚାଷୀମାନେ ସକାଳ ସାଢ଼େ ୫ଟାରୁ ୧୨ଟା ଭିତରେ ଯେମିତି ଚାଷ କାମ କରିବେ, ସେ ନେଇ ସରକାର ସଚେତନ କରିବାକୁ ହେବ । ଅପରାହ୍ନ ୩ଟାରୁ ୭ଟା ଭିତରେ ଚାଷୀ, ଗାଈ ଚରାଳି ଖୋଲା ଆକାଶ ତଳେ, ଗଛ ମୂଳ, ପାଣିଠାରୁ ଦୂରାଇ ରହିବାକୁ ହେବ । ନଚେତ୍ ବଜ୍ରପାତ ମୃତ୍ୟୁ ରୋକିବା ସହଜ ନୁହେଁ । ବିଶେଷ କରି ଅତ୍ୟଧିକ ଗରମ, ଗୁଳୁଗୁଳି ସମୟରେ ଆକାଶରେ ସୃଷ୍ଟି ହେଉଥିବା ବାଦଲରେ ବେଶି ବଜ୍ରପାତ ହୋଇଥାଏ । ଏସବୁକୁ ନେଇ ସରକାର ସଚେତନ କରିବାକୁ ପ୍ରଫେସର ମିଶ୍ର ପରାମର୍ଶ ଦେଇଛନ୍ତି । ୨୦୨୩-୨୪ ଓ ୨୦୨୪-୨୫ରେ ରାଜ୍ୟରେ ବଜ୍ରପାତରେ ପ୍ରାୟ ୬୦୦ ଲୋକଙ୍କ ଜୀବନ ଯାଇଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି । ମୟୂରଭଞ୍ଜରେ ସର୍ବାଧିକ ୧୧୯ ଜୀବନ ହରାଇଛନ୍ତି । ୨୦୧୯-୨୦ରୁ ୨୦୨୩-୨୪ରୁ ରାଜ୍ୟରେ ୧୬୨୫ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।