ଦିଗପହଣ୍ଡିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ପାଇଁ ବିଧାୟକଙ୍କ ଆହ୍ବାନ
ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ବିଡ଼ିଓ ଉମେଶ ଚନ୍ଦ୍ର ସେଠୀ, ସିଡିପିଓ ଗିତାଞ୍ଜଳୀ ବେହେରା, ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟଙ୍କ ସମେତ ସରପଞ୍ଚ ବିଜୟ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ, ଲିଙ୍ଗରାଜ ଦୋରା, ବି . ସନ୍ଧ୍ଯାରାଣୀ ସୁବୁଦ୍ଧି, ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ, ସମିତି ସଭ୍ୟ ଶୈଳ ବେହେରା, ଜିଲା ପରିଷଦ ସଦସ୍ୟା ଏମ୍. ଅନୁସୁୟା ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ବ୍ଳକର ସମସ୍ତ ପଞ୍ଚାୟତ ଏବଂ ଗ୍ରାମାଞ୍ଚଳରେ ପହଞ୍ଚି ବିକାଶ ପ୍ରକ୍ରିୟାରେ କିପରି ଅଗ୍ରସର ହୋଇପାରିଛି ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ, ମଧୁବାବୁ ପେନସନ, ସୁଭଦ୍ରା ଯୋଜନା, ମୁଖ୍ଯମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦିର ଉନ୍ନତିକରଣ କାର୍ଯ୍ୟ ଗୁଡିକ ଡିଜିଟାଲ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଲକ୍ଷ୍ଯପତି ଦିଦି, ମୁଖ୍ୟମନ୍ତ୍ରୀଙ୍କ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ, ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ବଣ୍ଟନ, ଗ୍ରାମକଣ୍ଟ ପଟ୍ଟା, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଆର୍ଥିକ ସହାୟତା ରାଶି, ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ ଏସ୍ ଏମ୍ ଇ ଯୋଜନାରେ କିଛି ଉଦ୍ୟୋଗୀ , ସ୍ବୟଂ ରୋଜଗାରୀ , ଯୁବ ଉଦ୍ଯମୀ ଏବଂ ମହିଳା ଉଦ୍ୟୋଗୀ ହିତାଧିକାରୀଙ୍କୁ ବିଧାୟକ ମାନପତ୍ର ଓ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି , ବିଭିନ୍ନ ବିଭାଗୀୟ ଅଧିକାରୀ , ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ବ୍ଳକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।