03 JULY 2026

Welcome!

Unlock your personalized experience.
Sign Up

ଡାକ୍ତରଙ୍କ ଅନଶନର ପାଇଁ ସାଧାରଣ ଲୋକ କଲବଲ, ବ୍ୟବଚ୍ଛେଦ ପାଇଁ ୬୫ କିମି ପଠାଗଲା ମୃତଦେହ

Jul 03, 2026 - 12:20
ଡାକ୍ତରଙ୍କ ଅନଶନର ପାଇଁ ସାଧାରଣ ଲୋକ କଲବଲ, ବ୍ୟବଚ୍ଛେଦ ପାଇଁ  ୬୫ କିମି ପଠାଗଲା ମୃତଦେହ

ଘୁ.ଉଦୟଗିରି,୦୩/୦୭: କନ୍ଧମାଳ ଜିଲ୍ଲାରେ ଡାକ୍ତରଙ୍କ ଅନଶନର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ଘୁ.ଉଦୟଗିରି ବ୍ଲକ ଗଦଗୁଡ଼ା ପଞ୍ଚାୟତର ନେଡିନାଯୁ ଗ୍ରାମର ପୁସାରା ପ୍ରଧାନ (୬୦) ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ସମ୍ଭବ ନହେବାରୁ ପରିବାର ଲୋକଙ୍କୁ ପ୍ରାୟ ୬୫ କିଲୋମିଟର ଦୂର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ନେବାକୁ ପଡ଼ିଛି । ବୁଧବାର ସନ୍ଧ୍ୟାରେ ପୁସାରା ପ୍ରଧାନ ତାଙ୍କ ନାତୁଣୀ ସହ ବନ୍ଧକୁ ଯାଇଥିବାବେଳେ ପାଣିରେ ବୁଡ଼ିଯାଇଥିଲେ । ପରିବାର ଲୋକେ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ :-  Skin Infection: ତୁର୍କା ଗାଁର ପିଲାଙ୍କୁ କବଳିତ କଲାଣି ଚର୍ମରୋଗ,୨୦ରୁ ଅଧିକ ଶିଶୁ ଆକ୍ରାନ୍ତ, ସଚେତନତା ଅଭାବରୁ ବ୍ୟାପିବାରେ ଲାଗିଛି...

ଅଭିଯୋଗ ଅନୁସାରେ, ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ଫଳରେ ମୃତଦେହ ରାତିସାରା ହସ୍ପିଟାଲରେ ରହିଥିଲା । ଗୁରୁବାର ସକାଳେ ଝିପିଝିପି ବର୍ଷା ମଧ୍ୟରେ ପରିବାର ଲୋକେ ଓ ଗ୍ରାମବାସୀ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀକୁ ମୃତଦେହ ପଠାଯାଇଥିଲା । ମୃତକଙ୍କ ସ୍ତ୍ରୀ ପୂର୍ବରୁ ପରଲୋକ ହୋଇଥିବାବେଳେ ତାଙ୍କର ତିନି ପୁଅ ଓ ଜଣେ ଝିଅ ଅଛନ୍ତି । ଆର୍ଥିକ ଭାବେ ଦୁର୍ବଳ ପରିବାର ପାଇଁ ଅତିରିକ୍ତ ଯାତ୍ରା ଓ ଖର୍ଚ୍ଚ ଏକ ବଡ଼ ବୋଝ ପାଲଟିଛି । ପୁଲିସ କହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏହି ଘଟଣା ଗ୍ରାମାଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା ଓ ମୃତ୍ୟୁ ପରବର୍ତ୍ତୀ ସରକାରୀ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଶବକୁ ଫୁଲବାଣୀ ପଠାଇବା ସମୟରେ ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ସଞ୍ଜୀବ ପ୍ରସାଦ ନାୟକ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।