ଟ୍ରକ ପଛରେ ପିକଅପ୍ର ଧକ୍କା; ଚାଲିଗଲା ଦୁଇ ଜୀବନ
ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ ଥାନା ଅଧୀନ ଅଗସ୍ତିନୂଆ ଗାଁ ନିକଟ ଜାତୀୟ ରାଜପଥରେ ଘଟିଛି।
ସୂଚନା ଅନୁଯାୟୀ, ଏପି-୦୨-ଟିଡି-୨୨୭୬ ନମ୍ବର ବିଶିଷ୍ଟ ଏକ ଟ୍ରକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡି-୦୨-ଡିବି-୪୦୨୧ ନମ୍ବର ବିଶିଷ୍ଟ ଏକ ମ୍ୟାକ୍ସ ପିକଅପ୍ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଟ୍ରକର ପଛପଟକୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍ର ସମ୍ମୁଖ ଭାଗ ଟ୍ରକର ପଛପଟେ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା। ଫଳରେ ପିକଅପ୍ର ଚାଳକ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଗାଡ଼ି ଭିତରେ ଫସି ରହିଯାଇଥିଲେ।ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ପିକଅପ୍ର ସାମ୍ନା ଭାଗ କାଟି ଦୁହିଁଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ବର୍ତ୍ତମାନ ଗୋଟିଏ ମୃତଦେହ ଛତ୍ରପୁର ମେଡିକାଲରେ ଓ ଅନ୍ୟଟି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ରହିଛି। ଏପର୍ଯ୍ୟନ୍ତ ମୃତ ଉଭୟ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ।
ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ସ୍ଥାନୀୟ ଲୋକଙ୍କ ମତରେ, ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ସମୟମତେ ସେଠାରୁ ହଟାଯାଇଥାନ୍ତା, ତେବେ ହୁଏତ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା।