ଟଳିଲା ବଡ଼ ଅଘଟଣ , ମଝି ସମୁଦ୍ରରୁ ଉଦ୍ଧାର ପାଇଲେ ୨୭ ନାବିକ
ଜଗତସିଂପୁର : ମଝି ସମୁଦ୍ରରେ ଟଳିଲା ବଡ଼ ଅଘଟଣ । ସମୁଦ୍ରରେ ବୁଡ଼ିଯାଉଥିବା ଜାହାଜକୁ ଉଦ୍ଧାର କଲା ପାରାଦୀପ ବନ୍ଦର । ପାରାଦୀପ ଉପକୂଳ ନିକଟ ମଝି ସମୁଦ୍ରରେ ‘ଏମ୍ଭି ବିଶ୍ୱ ଉଦୟ’ (MV Vishva Uday) ନାମକ ଏକ ମାଲବାହୀ ଜାହାଜ ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା ବେଳେ, ଏଥିରେ ଥିବା ସମସ୍ତ ୨୭ ଜଣ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରୋପେଲର ଶାଫ୍ଟ ଭାଙ୍ଗି ମଝି ସମୁଦ୍ରରେ ଫସିଥିଲା ଏମଭି ବିଶ୍ୱ ଉଦୟ ଜାହାଜ ।
ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ମୋଜାମ୍ବିକ ଅଭିମୁଖେ ଯାଉଥିବା ବେଳେ ପାରାଦୀପ ଉପକୂଳ ନିକଟରେ ଜାହାଜଟିର ପ୍ରୋପେଲର ଶାଫ୍ଟ ଅଚଳ ହୋଇଯାଇଥିଲା। ଫଳରେ ମଝି ସମୁଦ୍ରରେ ଜାହାଜଟି ନିୟନ୍ତ୍ରଣ ହରାଇ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଥିଲା।ଭାରତୀୟ ସିପିଂ କର୍ପୋରେସନ (ଏସସିଆଇ) ଲିମିଟେଡ୍ ପକ୍ଷରୁ ଏକ ଜରୁରୀ ଯୋଗାଯୋଗ ପରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ସେତେବେଳକୁ ଜାହାଜ ଭିତରେ ପାଣି ପଶିବା ଆରମ୍ଭ କରିଥିଲା । ଜାହାଜଟି ଭାରସାମ୍ୟ ହରାଇବାକୁ ଯାଉଥିବା ବେଳେ ସେଥିରେ ଥିବା ୨୭ ସଦସ୍ୟ ବିପଦରେ ପଡିଥିଲେ ।
ଖବର ପାଇ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ୍ ଟେକନିକାଲ ଟିମ୍ ଗୁଡିକୁ ଏକତ୍ରୀତ କରି ଜାହାଜ ନିକଟକୁ ଯାତ୍ରା ଆରମ୍ଭ କରିଥିଲା । ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (ଡିଜିଏମଏ)ର ଅନୁମୋଦନ ସହିତ, ଦୁଇଟି ପିପିଏ ଟଗ୍, ଡଲଫିନ୍ ୨୫ ଏବଂ ଡଲଫିନ୍ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
