ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…
କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତାରେ ସେମିତି କିଛି ଅସ୍ବାଭାବିକ ଥିବା ଅନୁଭବ ହୋଇ ନ ଥିଲା। କୌଣସି ପ୍ରକାର ପାରିବାରିକ ଅସନ୍ତୋଷକୁ ମଧ୍ୟ ସ୍ବାମୀ ଖଣ୍ଡନ କରିଛନ୍ତି। କହିଲେ ମହିଳା ଥାନାରୁ ସେ ବଦଳି ହେବାକୁ ଚାହୁଁ ନ ଥିଲେ। ନନ୍ଦନକାନନ ବଦଳି ବେଳେ ସିପିଙ୍କ ସହ କଥା ହୋଇ ମନା କରିଥିଲେ। ପରବର୍ତ୍ତୀ ବଦଳି ପାଇଁ ମନସ୍ଥିର କରି ରହିବାକୁ କୁହାଯାଇଥିଲା। ସେହି କଥା ପାଇଁ ମନା କରି ନ ପାରି ଚାଉଳିଆଗଞ୍ଜରେ ଜଏନ କରିଥିଲେ। ତେବେ କାଲି ରାତି ୧୧ଟା ୪୬ରେ କଲ୍ କରିବାରୁ ରିସିଭ୍ କରି ନ ଥିଲେ।
ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତି ନିଜ ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବିୟୁଟି ମହାନ୍ତି ପୂର୍ବରୁ କଟକର ମର୍କତନଗର ମହିଳା ଥାନା ସମେତ ବିଭିନ୍ନ ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଅକାଳ ବିୟୋଗ ପୋଲିସ ବିଭାଗରେ ଶୋକର ଛାୟା ଖେଳାଇ ଦେଇଛି। ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily
The post ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି… appeared first on Dharitri Odia News.