କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ

Jul 04, 2026 - 20:05
କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ

କେନ୍ଦୁଝର,୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କାନଝରୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଶୁକ୍ରବାର ସନ୍ଧ୍ୟା ସାଢେ ୬ଟାରେ ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। କେନ୍ଦୁଝର ସଦର ଏବଂ ଘଟଗାଁ ବ୍ଲକ ସୀମାନ୍ତରେ ଅବସ୍ଥିତ କାନଝରୀ ନଦୀବନ୍ଧ ପ୍ରକଳ୍ପର ଜଳଭଣ୍ଡାରକୁ ମୁଖ୍ୟତଃ କାଣିଝର, ବୁଢୀନଦୀ ଓ ହନୁମତିଆ ନାଳରୁ ବନ୍ୟାଜଳ ପ୍ରବେଶ କରିଥାଏ ।

ଗୁରୁବାର ରାତିରୁ ଉପର ମୁଣ୍ଡରେ ଲଗାଣ ବର୍ଷା ହେବାରୁ ନଦୀ ନାଳରେ ବନ୍ୟାଜଳ ଆସି କାନଝରୀ ଜଳଭଣ୍ଡାରରେ ପ୍ରବେଶ କରି ଜଳସ୍ତର ବୃଦ୍ଧି ପାଇଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମରେ ୭ଟି ଗେଟ୍‌ ଥିବା ବେଳେ ଶୁକ୍ରବାର ସାରେ ୫ନମ୍ବର ଗେଟ୍‌ ଖୋଲାଯାଇ ବନ୍ୟା ଜଳ ନଦୀରେ ଛାଡି ଦିଆଯାଇଛି ।

ଗେଟ୍‌ ଖୋଲାଯିବା ସମୟରେ କେନ୍ଦୁଝର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ଲିପିକା ଡି କାଶ୍ୟପ, କାନଝରୀ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଚତୁର୍ଭୁଜ ନାଏକ, କନିଷ୍ଠ ଯନ୍ତ୍ରୀ ହିରାଲାଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବର୍ଷା ଜଳ ନିଷ୍କାସନ ପୂର୍ବରୁ ଡ୍ୟାମର ତଳମୁଣ୍ଡ ଉଭୟ ପାର୍ଶ୍ୱର ଗାଁଗୁଡିକର ଜନସାଧାରଣଙ୍କୁ ମାଇକ୍‌ ଓ ସାଇରନ ଦ୍ୱାରା ସୂଚନା ଦିଆଯାଇଥିଲା।

ବର୍ତ୍ତମାନ କାନଝରୀ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫.୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟ ଏବଂ ୨ଟି କେନାଲ ଯୋଗେ ପ୍ରତି ସେକେଣ୍ଡରେ ୭୩.୯୫ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ ୨୯୨୪ ହେକ୍ଟର ମିଟର ଜଳ ଗଚ୍ଛିତ ଥିବାବେଳେ ମୋଟ ଜଳଧାରଣ କ୍ଷମତାର ୮୪.୭୧ ପ୍ରତିଶତ ବୋଲି କେନ୍ଦୁଝର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ଲିପିକା ଡି କାଶ୍ୟପ ସୂଚନା ଦେଇଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷା, ବନ୍ୟାଜଳ ଓ ଡ୍ୟାମର ଜଳସ୍ତର ଉପରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

The post କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ appeared first on Dharitri Odia News.