ଘୃଣା ଓ ହିଂସାର ଜାଲରେ ଛନ୍ଦି ହୋଇଛନ୍ତି ବିଜେପି-ଆରଏସ୍‌ଏସ୍‌: ରାହୁଲଙ୍କ ପାଲଟା ଜବାବ

Nov 17, 2026 - 16:25
ଘୃଣା ଓ ହିଂସାର ଜାଲରେ ଛନ୍ଦି ହୋଇଛନ୍ତି ବିଜେପି-ଆରଏସ୍‌ଏସ୍‌: ରାହୁଲଙ୍କ ପାଲଟା ଜବାବ

ନୂଆଦିଲ୍ଲୀ: ପରିବାର ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ଭଲପାଇବା ଓ ଆତ୍ମୀୟତାକୁ ନେଇ ନିଜର ବ୍ୟକ୍ତିଗତ ଅନୁଭୂତି ବଖାଣିବା ପରେ ବିବାଦରେ ଫସିଥିବା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବେ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। ବିଜେପି ଓ ଆରଏସ୍‌ଏସ୍‌ ସମର୍ଥକଙ୍କ ମନରେ ଭୟ, କ୍ରୋଧ ଓ ଘୃଣାର ଏଭଳି ଜାଲ ବୁଣାଯାଇଛି, ଯାହା ସେମାନଙ୍କୁ ପ୍ରେମର ଅନୁଭବ ଓ ଅଭିବ୍ୟକ୍ତିରୁ ଦୂରେଇ ରଖୁଛି ବୋଲି ସେ କହିଛନ୍ତି। ଜଣେ ପ୍ରକୃତ ହିନ୍ଦୁ ଭାବେ ସେମାନଙ୍କୁ ଏହି ଜାଲରୁ ମୁକ୍ତ କରିବା ନିଜର କର୍ତ୍ତବ୍ୟ ବୋଲି ମଧ୍ୟ ରାହୁଲ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ବିଜେପି ଓ ଆରଏସ୍‌ଏସ୍‌ ସମର୍ଥକଙ୍କ ହୃଦୟରେ ଭୟ, କ୍ରୋଧ ଓ ଘୃଣାର ଜାଲ ବିଛାଯାଇଛି। ଏହା ସେମାନଙ୍କୁ ପ୍ରେମକୁ ଅନୁଭବ କରିବା ଏବଂ ପ୍ରକାଶ କରିବାରୁ ବଞ୍ଚିତ କରୁଛି। ଜଣେ ସଚ୍ଚା ହିନ୍ଦୁ ଭାବେ ସେମାନଙ୍କୁ ଏହି ଜାଲରୁ ମୁକ୍ତ କରିବା ମୋର କର୍ତ୍ତବ୍ୟ, ଯାହାଦ୍ୱାରା ସେମାନେ ମଧ୍ୟ ଜୀବନରେ ପ୍ରେମ ଓ ଆତ୍ମୀୟତାର ଅପୂର୍ବ ସୌନ୍ଦର୍ଯ୍ୟ ଏବଂ ଆନନ୍ଦ ଅନୁଭବ କରିପାରିବେ ବୋଲି ସେ ଲେଖିଛନ୍ତି। ଶେଷରେ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ ଉଲ୍ଲେଖ କରିଛନ୍ତି। ଏଥିସହ ଭଗବାନ ଶିବ ଓ ମା’ ପାର୍ବତୀ ନନ୍ଦୀ ଉପରେ ଏକାଠି ବସିଥିବା ଏକ ପ୍ରାଚୀନ ମନ୍ଦିରର ମୂର୍ତ୍ତିର ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ଏହି ମୂର୍ତ୍ତିରେ ଦିବ୍ୟ ଦମ୍ପତିଙ୍କ ମଧ୍ୟରେ ଥିବା ପ୍ରେମ, କରୁଣା ଓ ଆତ୍ମୀୟତା ପ୍ରତିଫଳିତ ହୋଇଛି। ସୂଚନାଯୋଗ୍ୟ, ସୋମବାର ନୂଆଦିଲ୍ଲୀରେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’ ଉନ୍ମୋଚନ ଅବସରରେ ରାହୁଲ ନିଜ ପିତାମାତାଙ୍କ ସମ୍ପର୍କ ବିଷୟରେ ଏକ ବ୍ୟକ୍ତିଗତ ଅନୁଭୂତି ବଖାଣିଥିଲେ। ସେ କହିଥିଲେ, ପ୍ରତ୍ୟେକ ଥର ଖାଇବା ସମୟରେ ବାପା ରାଜୀବ ଗାନ୍ଧୀ ବସିଥାନ୍ତି ଏବଂ ମା’ ସୋନିଆ ଗାନ୍ଧୀ ତାଙ୍କ କୋଳରେ ବସୁଥିଲେ। ପିଲାଦିନେ ଏହାକୁ ସେ ଏକ ସାଧାରଣ ପାରିବାରିକ ଅଭ୍ୟାସ ବୋଲି ଭାବୁଥିଲେ। ଏପରିକି ଥରେ ଜଣେ ସାଙ୍ଗକୁ ତାଙ୍କ ମା’ କାହିଁକି ତାଙ୍କ ବାପାଙ୍କ କୋଳରେ ବସୁନାହାନ୍ତି ବୋଲି ପଚାରିଥିବା କଥା ମଧ୍ୟ କହିଥିଲେ। ସେହିପରି ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଶି ମାତ୍ର ଥରେ ହିଁ ପିତାମାତାଙ୍କ ମଧ୍ୟରେ ଝଗଡ଼ା ଦେଖିଥିବା ରାହୁଲ କହିଥିଲେ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହ ରାଜୀବ ଗାନ୍ଧୀ କଥା ହେଉଥିବାବେଳେ ସୋନିଆ ତାଙ୍କୁ କିଛି କଥା ବାରମ୍ବାର କହିଥିଲେ। ତିନିରୁ ଚାରିଥର କହିବା ପରେ ରାଜୀବ ଚାପଗ୍ରସ୍ତ ହୋଇପଡ଼ିଥିଲେ। ଏହାକୁ ହିଁ ସେମାନଙ୍କ ମଧ୍ୟରେ ହୋଇଥିବା ଏକମାତ୍ର ଝଗଡ଼ା ବୋଲି ରାହୁଲ ବର୍ଣ୍ଣନା କରିଥିଲେ। ତେବେ ରାହୁଲଙ୍କ ‘ମା’ ବାପାଙ୍କ କୋଳରେ ବସୁଥିଲେ’ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ହୋଇଥିଲା। ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅନିର୍ବାଣ ଗାଙ୍ଗୁଲି ଏହାକୁ ‘ସରଳତାର ଆଢ଼ୁଆଳରେ ଲୁଚିଥିବା ନିର୍ଲଜ୍ଜତା’ ବୋଲି କହିଥିଲେ। ଜଣେ ୫୫ ବର୍ଷୀୟ ବ୍ୟକ୍ତି ପରିବାରର ଖାଇବା ଟେବୁଲ ଓ ସାର୍ବଜନୀନ ମଞ୍ଚ ମଧ୍ୟରେ ପାର୍ଥକ୍ୟ ବୁଝିପାରୁନାହାନ୍ତି ବୋଲି କଟାକ୍ଷ କରିବା ସହ ରାହୁଲ ଯଦି କେବେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଗୋପନୀୟ ଦସ୍ତାବିଜ କିପରି ସମ୍ଭାଳିବେ ବୋଲି ପ୍ରଶ୍ନ କରିଥିଲେ। ସେହିପରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଭାରତୀୟ ସଂସ୍କୃତିରେ ଅସ୍ୱାଭାବିକ ବୋଲି ମତ ଦେଇଥିବାବେଳେ ଅନ୍ୟ କେତେକ ଏହାକୁ ଲଜ୍ଜାଜନକ ଘଟଣା ବୋଲି କହିଥିଲେ। ଆମେରିକୀୟ-ଭାରତୀୟ ବୋଲି ନିଜକୁ ପରିଚୟ ଦେଉଥିବା ଟୋନି ଶର୍ମା ନାମକ ଜଣେ ବ୍ୟବହାରକାରୀ ପରିବାର ସହ ଖାଇବା ସମୟରେ ସ୍ତ୍ରୀ ସ୍ୱାମୀଙ୍କ କୋଳରେ ବସିବାକୁ କୌଣସି ଦେଶ ବା ସଂସ୍କୃତିରେ ସାଧାରଣ ପ୍ରଥା ବୋଲି ମାନ୍ୟତା ଦିଆଯାଏ ନାହିଁ ବୋଲି ଲେଖିଥିଲେ।
ଅନ୍ୟପକ୍ଷରେ ଅନେକ ବ୍ୟବହାରକାରୀ ରାହୁଲଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ। ଏହାକୁ ତାଙ୍କ ପିତାମାତାଙ୍କ ମଧ୍ୟରେ ଥିବା ଗଭୀର ପ୍ରେମ ଓ ସମ୍ପର୍କର ଏକ ସ୍ୱାଭାବିକ ଏବଂ ଆନ୍ତରିକ ବର୍ଣ୍ଣନା ବୋଲି କହିଥିଲେ। ଜଣେ ବ୍ୟବହାରକାରୀ ଏହି ପ୍ରେମକାହାଣୀ ଅନେକ ଯୁବ ଦମ୍ପତିଙ୍କୁ ପ୍ରେରଣା ଦେବ ବୋଲି ମତ ଦେଇଥିଲେ। ଆଉ ଜଣେ ବ୍ୟବହାରକାରୀ ଲେହର ସେଠୀ ପ୍ରଶ୍ନ କରିଥିଲେ, ପିତାମାତାଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ପ୍ରକାଶକୁ କିଛି ଲୋକ ଅସ୍ୱାଭାବିକ ଭାବେ କାହିଁକି ଦେଖୁଛନ୍ତି? ମହିଳାମାନେ କେବଳ ପରିବାରର ସେବା କରୁଥିବା ଦେଖିଥିବା ଲୋକଙ୍କ ପାଇଁ ପିତାମାତାଙ୍କ ମଧ୍ୟରେ ପ୍ରେମ ପ୍ରକାଶ ଅପରିଚିତ ହୋଇପାରେ ବୋଲି ସେ କଟାକ୍ଷ କରିଥିଲେ। ଏଭଳି ସମାଲୋଚନା ଓ ସମର୍ଥନ ମଧ୍ୟରେ ରାହୁଲ ନିଜ ପକ୍ଷ ରଖି ବିଜେପି-ଆରଏସ୍‌ଏସ୍‌ ସମର୍ଥକଙ୍କୁ ଘୃଣାରୁ ମୁକ୍ତ ହୋଇ ପ୍ରେମ, ଆତ୍ମୀୟତା ଓ ମାନବିକ ସମ୍ପର୍କର ଆନନ୍ଦ ଅନୁଭବ କରିବାକୁ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)