30 JULY 2026

Welcome!

Unlock your personalized experience.
Sign Up

ଘୂର୍ଣ୍ଣିଝଡ଼ ପରେ ଲଗାଣବର୍ଷା , ଛାରଖାର ହୋଇଗଲା ଚକରକେନ୍ଦ ଗାଁ

Jul 30, 2026 - 14:32
ଘୂର୍ଣ୍ଣିଝଡ଼ ପରେ ଲଗାଣବର୍ଷା , ଛାରଖାର ହୋଇଗଲା ଚକରକେନ୍ଦ ଗାଁ

ବରଗଡ଼ ୩୦/୦୭: ଘୂର୍ଣ୍ଣିଝଡ଼ ଏବଂ ଲଗାଣବର୍ଷା ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଚକରକେନ୍ଦ ଗାଁରେ ପ୍ରଳୟ ରଚିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ସମଗ୍ର ଗାଁର ଭୌଗୋଳିକ ଚିତ୍ର ବଦଳିଯାଇଛି । ୨୦୦ରୁ ଊଦ୍ଧ୍ୱର୍ ବଡ଼ବଡ଼ ଗଛ ଧରାଶାୟୀ ହୋଇଥିବାବେଳେ ୫୦୦ରୁ ଊଦ୍ଧ୍ୱର୍ ଘର ଭାଙ୍ଗିଛି ।

ସରପଞ୍ଚ ବୀରେନ୍ଦ୍ର ରଥ କହିଛନ୍ତି, ଘୂର୍ଣ୍ଣିଝଡ଼ ଓ ଲଗାଣ ବର୍ଷା ଯୋଗୁଁ ମାତ୍ର କେଇଘଣ୍ଟା ଭିତରେ ଗାଁ ଛାରଖାର ହୋଇଯାଇଛି । ନଡ଼ାଛପର, ଖପର, ଟିଣ ଚାଦର, ଆଜବେଷ୍ଟସ ଉଡ଼ାଇ ନେଇଛି । ଏହାପରେ ମୂଷଳ ଧାରରେ ବର୍ଷା ଆରମ୍ଭ ହୋଇଥିଲା । ଏଥିରେ ବାକି ସବୁ ଧୋଇଯାଇଛି । ଘରଦ୍ୱାର, ଗୁହାଳ ବ୍ୟାପକ କ୍ଷତି ହୋଇଛି । ଅନେକ ପକ୍କାଘର ବି ବାଦ୍ ପଡ଼ିନି ।

ଗ୍ରାମର ସ୍କୁଲ ଘରର ଛାତ ନଷ୍ଟ ହୋଇଛି । କଲେଜର ପାଚେରି ଭୁଶୁଡ଼ି ପଡ଼ିଛି । ମନ୍ଦିରରେ ପାଣି ପଶି ବ୍ୟାପକ କ୍ଷତିସାଧନ କରିଛି । ମାର୍କେଟୟାର୍ଡ କାନ୍ଥ ପଡ଼ିଯାଇଛି । ସେଡ୍‌ଗୁଡ଼ିକର ଟିଣ ଛାତ ଉଡ଼ିଯାଇଛି । କଲ୍ୟାଣ ମଣ୍ଡପ ରୋଷେଇ ଘର ଛାତ, ଭାଗବତଘର, କ୍ଲବ ଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଗାଁ ଉପକଣ୍ଠରେ ଥିବା ଦୁଇଟି ରାଇସ୍ ମିଲର ଟିଣ ଛାତ ବି ଉଡ଼ାଇନେଇଛି । କେବଳ ଏତିକି ନୁହେଁ, ଭୟଙ୍କର ବର୍ଷାରେ ଚାଷବାସ ଉଜୁଡ଼ିଯାଇଛି । ପହ୍ଲା ସବୁ ନଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ...ବନ୍ୟା ରିପୋର୍ଟ : ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ଲୋକ ପ୍ରଭାବିତ, ୩ ମୃତ... ଲକ୍ଷେ ୭୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗଛ ପଡ଼ିଥିବା ଯୋଗୁଁ ଗାଁର ପ୍ରାୟ ସବୁ ରାସ୍ତାଘାଟ ସମେତ ଜାତୀୟ ରାଜପଥରୁ ଯୋଡୁଥିବା ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗ୍ରାମର ସିଂହଭାଗ ଲୋକଙ୍କ ଘରେ ରନ୍ଧା ହୋଇପାରିନାହିଁ । ୧୫୦ ପରିବାର କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଛନ୍ତି । ସମସ୍ତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସରପଞ୍ଚ କହିଛନ୍ତି । ବରଗଡ଼ ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରୁଛନ୍ତି । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ପ୍ରଶାସନିକ ଅଧିକାରୀ ସ୍ଥିତି ସମୀକ୍ଷା କରିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।