30 JULY 2026

Welcome!

Unlock your personalized experience.
Sign Up

Cyber Crime: ଆମ ପୁଲିସର ସାଇବର ତଦନ୍ତ ଏମିତି... ଦଲାଲ, ଆକାଉଣ୍ଟଧାରୀକୁ ଧରି ଖୁସ୍‌, ଖସି ଯାଉଛନ୍ତି ମାଷ୍ଟରମାଇଣ୍ଡ୍‌

Jul 30, 2026 - 11:22
Cyber Crime: ଆମ ପୁଲିସର ସାଇବର ତଦନ୍ତ ଏମିତି... ଦଲାଲ, ଆକାଉଣ୍ଟଧାରୀକୁ ଧରି ଖୁସ୍‌, ଖସି ଯାଉଛନ୍ତି ମାଷ୍ଟରମାଇଣ୍ଡ୍‌

ଭୁବନେଶ୍ୱର,୩୦/୦୭: ସାଇବର ଅପରାଧୀଙ୍କ ବହୁସ୍ତରୀୟ ବଳୟକୁ ଭେଦିବାରେ ରାଜ୍ୟ ପୁଲିସ ସବୁବେଳେ ବିଫଳ । କେବଳ ପ୍ରଥମ ସ୍ତରୀୟ ଦଲାଲ ଓ ବେନାମୀ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କାବୁ କରି ପୁଲିସ ଖୁସ୍ । କମିଶନ ଖାଉଥିବା ଦଲାଲ କି ବେନାମୀ ଆକାଉଣ୍ଟଧାରୀଙ୍କଠାରୁ ଠକେଇ ଟଙ୍କା ଉଦ୍ଧାର ବି କରାଯାଇ ପାରୁନି । ସାଇବରର ଅଦୃଶ୍ୟ ଜଗତରେ ପଶି ରିଙ୍ଗ ମାଷ୍ଟରକୁ ଧରିବାରେ ପୁଲିସ ନାଚାର ହୋଇପଡୁିଛି । ମଲ୍‌ଟି ଲେୟର ମାଷ୍ଟରମାଇଣ୍ଡ ଖସି ଯାଉଛନ୍ତି ।

ବିଭାଗୀୟ ସମନ୍ୱୟର ଅଭାବ ହିଁ ପୁଲିସର ତଦନ୍ତରେ ବାଧା ସାଜୁଛି । କେତେବେଳେ ପୁଲିସକୁ ବେନମୀ ବ୍ୟାଙ୍କ ଆକାଉଣ୍ଟ, ଭୂତ କମ୍ପାନୀର ଠିକ୍ ତଥ୍ୟ ମିଳୁନି । କେତେବେଳେ ଅନ୍ୟ ରାଜ୍ୟ ପୁଲିସ ସହ ଠିକଣା ଢ଼ଙ୍ଗରେ ତଥ୍ୟ ନେଣଦେଣ ହୋଇପାରୁନି । ଏମିତିକି ଜାତୀୟ ସାଇବର ଅପରାଧ ରିପୋର୍ଟିଂ  ପୋର୍ଟାଲରୁ ଜଣେ ସାଇବର ଅପରାଧୀର ଇତିହାସ ଉଣ୍ଡାଳିବାରେ ବି ବିଳମ୍ବ ହେଉଛି । ସାଇବର ଅପରାଧଜନିତ ମାମଲାର ସଫଳ ତଦନ୍ତ ପାଇଁ ଓଡି଼ଶାରେ ଖୁବ୍ଶୀଘ୍ର ଖୋଲିବ ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର(ଏସ୍‌ସିସିସିସି-ଏସ୍୪ସି) । ଏହି ରାଜ୍ୟସ୍ତରୀୟ ନୋଡାଲ ଏଜେନ୍ସି ଅନ୍ତଃରାଜ୍ୟ ସାଇବର ପୁଲିସ ସହ ସମନ୍ୱୟ ରଖି ସାଇବର ଅପରାଧୀଙ୍କ ଅଦୃଶ୍ୟ ଗଡ଼କୁ ଭାଙ୍ଗିବ । ବୈଷୟିକ ଜ୍ଞାନକୌଶଳ(ଆଇଟି) ଟିମ୍, ଟେଲିକମ୍, ବ୍ୟାଙ୍କିଙ୍ଗ ପ୍ରକ୍ରିୟା ସହ ଆଇନ୍ ଓ ଏନ୍‌ଫେର୍ସମେଣ୍ଟ ଭିତରେ ସଂଯୋଜନା ରକ୍ଷା କରିବ । ସାଇବର ମାମଲାର ତ୍ୱରିତ୍ ତଦନ୍ତ ଏବଂ ଦଣ୍ଡବିଧାନ ପାଇଁ ମଧ୍ୟ କାମ କରିବ ।

ଅଧିକ ପଢ଼ନ୍ତୁ :- Unique Marriage: ବଢ଼ି ପାଣିରେ ବାହା ହେବାକୁ ଗଲା ବର, ବୋଟ୍ରେ ପାର୍ କରାଇଲେ ଓଡ୍ରାଫ୍ ଟିମ୍

କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ପୁଲିସ ବାହିନୀ ମୁଖ୍ୟ ଅଧୀନରେ ଏକ ଉତ୍ସର୍ଗୀକୃତ ପୁଲିସ ୟୁନିଟ୍ ଭାବରେ ଏସ୍୪ସି ପ୍ରତିଷ୍ଠା କରାଯିବ । ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଏହାର ଦାୟିତ୍ୱ ସମ୍ଭାଳିବେ । ଏସ୍୪ସିର ମୁଖ୍ୟ ସିଧାସଳଖ ପୁଲିସ ମୁଖ୍ୟାଳୟକୁ ରିପୋର୍ଟ କରିବେ । ମାମଲା ତଦନ୍ତ, ସାଇବର ଅପରେସନ୍ ଓ ଅପରାଧୀଙ୍କୁ ମୁକାବିଲା ପାଇଁ ଏସ୍୪ସି ଦୁଇରୁ ତିନୋଟି ଶାଖାକୁ ନେଇ ଗଢ଼ାଯିବ । ସାଇବର ସେଲ୍ ସହ ସମସ୍ତ ସାଇବର ଥାନାରେ ମାମଲାର ପରିଚାଳନା ସହ ପ୍ରଶାସନିକ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେବ ।

ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀଙ୍କ କହିବା ମୁତାବକ, ସଂଗଠିତ ସାଇବର ଅପରାଧକୁ ମାତ୍ ଦେବା ସହଜ ହେବ । କାହିଁକି ନା, କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ ଓଡ଼ିଶା(ସିଇଆର୍‌ଟି -ଓ) ପୂର୍ବଭଳି କାମ କରିପାରୁନି । ପଙ୍ଗୁ ହୋଇଗଲାଣି । କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ଠାରୁ ତଥ୍ୟ ମିଳିବାରେ ବିଳମ୍ବ ହେଉଛି । ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ସହ ସାଇବର ପୁଲିସର ସମନ୍ୱୟ ହୋଇପାରୁନି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ବିହାର, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୧୦ଟି ରାଜ୍ୟରେ ଏସ୍୪ସି ପ୍ରତିଷ୍ଠା କରାଯାଇଛି । ଗୃହ ବିଭାଗ ଯୁଗ୍ମ ସଚିବ ମିନାକ୍ଷୀ ବେହେରା ଗତମାସରେ ଏନେଇ ଡିଜିପିଙ୍କୁ ଚିଠି ଲେଖି ଏସ୍୪ସି ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।