18 JUNE 2026

Welcome!

Unlock your personalized experience.
Sign Up

ଗ୍ରାଫ୍ଟିଂ ବ୍ରିଞ୍ଜାଲକୁ ଛୁଇଁପାରିବନି ରୋଗ ପୋକ, ସବୁ ଜଳବାୟୁରେ ଦୁଇଗୁଣ ଫଳିବ...

Jun 18, 2026 - 15:05
ଗ୍ରାଫ୍ଟିଂ ବ୍ରିଞ୍ଜାଲକୁ ଛୁଇଁପାରିବନି ରୋଗ ପୋକ, ସବୁ ଜଳବାୟୁରେ ଦୁଇଗୁଣ ଫଳିବ...

ଭୁବନେଶ୍ୱର ୧୮/୦୬: ଅନ୍ୟ ବାଇଗଣ ଭଳି ଏ ବାଇଗଣକୁ କୌଣସି ରୋଗ ହେବନି, କି ପୋକ ବି ଛୁଇଁବନି । ଯେତିକି ଫଳିବା କଥା, ତାର ଦୁଇଗୁଣ ଉତ୍ପାଦନ ହେବ । ସବୁ ଜଳବାୟୁରେ ଚାଷ ହୋଇପାରିବ । କ୍ଷତି ନୁହେଁ, ବରଂ ଲାଭ ଦେବ । ଓଡ଼ିଶାର ବାଇଗଣ ଚାଷୀଙ୍କ ପାଇଁ ବରଦାନ ସଦୃଶ ଏହିଭଳି ନୂଆ ପ୍ରଜାତିର ବାଇଗଣ ଚାରା ସୃଷ୍ଟି ହୋଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଓ ସର୍ବଭାରତୀୟ ସମନ୍ୱିତ ପନିପରିବା ଚାଷ ପ୍ରକଳ୍ପ ଅଧୀନରେ ଏହି ଗବେଷଣା ନିକଟରେ ଶେଷ ହୋଇଛି । ଏପରିକି ବଜାରକୁ ଚାରା ବି ଦିଆଗଲାଣି ।

ଓୟୁଏଟି ପନିପରିବା ବିଭାଗର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ସୁନୀଲ ଦାସଙ୍କ ନେତୃତ୍ୱରେ ଗତ ୨ବର୍ଷ ତଳୁ ଗ୍ରାଫ୍ଟିଂ ବ୍ରିଞ୍ଜାଲ ଉପରେ ଗବେଷଣା ଆରମ୍ଭ ହୋଇଥିଲା । ବରମୁଣ୍ଡା ରିସର୍ଚ୍ଚ ଷ୍ଟେସନରେ ଏହି ଗବେଷଣା ହୋଇଥିବା ବେଳେ ଏଥିରେ ପ୍ରଥମେ ଗାଁ ଓ ଜଙ୍ଗଲିଆ ଅଞ୍ଚଳରେ ହେଉଥିବା ପାରମ୍ପରିକ ଦେଶୀ ବାଇଗଣ ବା ଭେଜି ବା କଣ୍ଟା ବାଇଗଣ ମଞ୍ଜି ନିଆଯାଇଥିଲା । ତା’ସହ ଦୈନନ୍ଦିନ ବଜାରରେ ଉପଲବ୍ଧ ଭିଏନ୍ଆର୍-୨୧୨ ଓ ବ୍ଲୁ-ଷ୍ଟାର ଭଳି ବାଇଗଣର ମଞ୍ଜି ନିଆଯାଇଥିଲା । ଗୋଟିଏ ସମୟରେ ପୃଥକ ସ୍ଥାନରେ ମଞ୍ଜି ପୋତାଯାଇଥିଲା । କିଛିଦିନ ପରେ ସେଥିରୁ ଗଛ ହେବାପରେ ଉଭୟଙ୍କୁ ନେଇ କଲମୀକରଣ କରାଯାଇ, ପୁଣି ତାକୁ ମାଟିରେ ପୋତାଯାଇଥିଲା । ଯେଉଁ ଗଛ ବଢ଼ିଥିଲା ସେଥିରେ କଳା ବାଇଗଣ ଫଳିଥିଲା । ଯାହା ୧୫୦ରୁ ୨୦୦ ଗ୍ରାମ୍ ପର୍ଯ୍ୟନ୍ତ ବଢିପାରିଥିଲା । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଲା ଯେ ଏହି ଗଛକୁ ନା ଝାଉଁଳା ଓ କୃମିଜନିତ ରୋଗ ହେବ ନା ବାଇଗଣକୁ ପୋକ କାଟିବ । ଏଣୁ ଏହା ରୋଗ-ପୋକ ସହଣୀ ବାଇଗଣ ବୋଲି ପ୍ରମାଣିତ ହୋଇଛି । ସାଧାରଣ ଭାବରେ ଚାଷ ହେଉଥିବା ବାଇଗଣ ଗଛରେ ଯେତିକି ଫଳ ଫଳିଥାଏ, ଗ୍ରାପ୍ଟିଂ ବ୍ରିଞ୍ଜାଲ ଗଛରେ ତାର ଦୁଇଗୁଣ ଫଳ ଫଳିବ । କେବଳ ସେତିକି ନୁହେଁ, ଅନ୍ୟ ଗଛରେ ୪ରୁ ୫ମାସ ଫଳ ଫଳୁଥିବା ବେଳେ ଏ ଗଛ ବର୍ଷେ ପର୍ଯ୍ୟନ୍ତ ଫଳ ଦେବ । ବର୍ଷକରେ ହାରାହାରି ୧୨ରୁ ୧୫ କିଲୋ ବାଇଗଣ ଉତ୍ପାଦନ ହେବ ।

ଅଧିକ ପଢ଼ନ୍ତୁ :-  Stand up Comedy: ଓଡ଼ିଶାରେ ବଢୁଛି ଷ୍ଟାଣ୍ଡଅପ୍ କମେଡି ଆଦର, ଓ୍ବିକ୍ଏଣ୍ଡ୍ରେ କ୍ୟାଫେରେ ଜମୁଛି ଭିଡ଼, ଯୁବପିଢିଙ୍କ ପାଇଁ ପାଲଟିଛି ରୋଜଗାର ପନ୍ଥା

ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବା କଥା, ଭେଜି ବାଇଗଣକୁ କେବେ ରୋଗ ହୁଏନି । ସେଇଟା ହିଁ ମୁଖ୍ୟ ଆଧାର । ୧୦ବର୍ଷ ତଳେ ଭେଜି ବାଇଗଣର ଚାରାକୁ ନିଆଯାଇ ଓୟୁଏଟି ପକ୍ଷରୁ ‘ଉତ୍କଳ ଅନୁଶ୍ରୀ’ ନାମକ ଏକ ବାଇଗଣ ସୃଷ୍ଟି ହୋଇଥିଲା । ଯାହା ରୋଗପୋକ ସହଣୀ ଥିଲା । ହେଲେ ତାହା ପୁରୁଣା ହୋଇଗଲାଣି । ବର୍ତ୍ତମାନ ଜଳବାୟୁ ଯେଉଁଭଳି ଭାବେ ପରିବର୍ତ୍ତନ ହେଉଛି, ସେଥିରେ ଏହି ଗ୍ରାଫ୍ଟି ବ୍ରିଞ୍ଜାଲ ଚାଷୀଙ୍କ ପାଇଁ ଏକ ବରଦାନ ହେବ । ଆମେ ଏନେଇ ରିପୋର୍ଟ ପ୍ରସ୍ତୁତ କରିସାରିଛୁ, ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ । ଏଥିସହ ଚାଷୀଙ୍କୁ ତାଲିମ ମିଳିବ । ପ୍ରକାଶ ଥାଉକି, ସମଗ୍ର ଦେଶରେ ପଶ୍ଚିମବଙ୍ଗ ପରେ ଓଡ଼ିଶା ବାଇଗଣ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ବାର୍ଷିକ ୨୨୦୦ ହଜାର ମେଟ୍ରିକ୍ ଟନ୍ ବାଇଗଣ ଉତ୍ପାଦନ ହୋଇଥାଏ ।