18 JUNE 2026

Welcome!

Unlock your personalized experience.
Sign Up

India Benefit : ଅଶୋଧିତ ତୈଳ ଦର ହ୍ରାସ, କମିବ ପେଟ୍ରୋଲ-ଡିଜେଲ୍... ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଭାରତକୁ ମିଳିବ ଏହି ସବୁ ଲାଭ

Jun 18, 2026 - 15:05
India Benefit  : ଅଶୋଧିତ ତୈଳ ଦର ହ୍ରାସ, କମିବ ପେଟ୍ରୋଲ-ଡିଜେଲ୍... ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଭାରତକୁ ମିଳିବ ଏହି ସବୁ ଲାଭ

ନୂଆଦିଲ୍ଲୀ, ୧୮/୦୬ : ଇରାନ-ଆମେରିକା ମଧ୍ୟରେ ସାଢେ ୩ ମାସ ଧରି ଚାଲିଥିବା ଯୁଦ୍ଧରେ ଯବନିକା ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ତୁରନ୍ତ ହୋର୍ମୁଜ ପ୍ରଣାଳୀ ଖେଲିବା ନେଇ ଏମଓୟୁ ହୋଇଛି। ହୋର୍ମୁଜରେ ଆମେରିକା ନାକାବନ୍ଦୀ ହଟାଇଛି। ତୈଳ-ଗ୍ୟାସ୍ ଜାହାଜ ଯାତାୟାତ ଆରମ୍ଭ ହୋଇଛି। ଇରାନ-ୟୁଏସ୍ ପିସ୍ ଡିଲ୍‌ ର ପ୍ରଭାବ ଅନ୍ତରାଷ୍ଟ୍ରୀୟ ବଜାରରେ ପଡିଛି। ଅଶୋଧିତ ତୈଳ ଦର ୮୦ ଡଲାର ତଳେ ରହିଛି। ଯାହାକି ଭାରତ ପାଇଁ ଖୁବ୍ ଲାଭଦାୟକ ହେବ। ସାଧାରଣ ଲୋକଙ୍କ ଠାରୁ ନେଇ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏହାର ଲାଭ ମିଳିବ। 

କ୍ରୁଡ୍ ଅଏଲ୍ ଦର ହ୍ରାସ

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ହ୍ରାସ ହୋଇଛି। ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧.୧୩% ହ୍ରାସ ହୋଇ ୭୮.୬୫ ଡଲାରରେ ପହଞ୍ଚିଛି। ଏହା ସହ ଜୁଲାଇ ଫ୍ୟୁଚର୍ସରେ ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ (WTI) ଅଶୋଧିତ ତୈଳ ମୂଲ୍ୟ ୨.୨୦% ହ୍ରାସ ପାଇଛି। ଯାହା ବର୍ତ୍ତମାନ ପ୍ରତି ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି। ଏତଦ୍ ବ୍ୟତୀତ ମର୍ବାନ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଏହାର ଦର ବ୍ୟାରେଲ ପିଛା ୭୫ ଡଲାର ରହିଛି। ତେବେ ବୈଶ୍ଵିକ ବଜାରରେ ତୈଳ ଦର ହ୍ରାସ ଯୋଗୁଁ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ଦେଶ ଭାରତକୁ ଫାଇଦା ମିଳିବ। 

ଶସ୍ତା ହେବ ପେଟ୍ରୋଲ-ଡିଜେଲ୍

ମଧ୍ୟପ୍ରାଚ୍ୟ ଯୁଦ୍ଧ ଶେଷ ହେବା ଯୋଗୁଁ ହୋର୍ମୁଜ୍ ଷ୍ଟ୍ରେଟ୍ ଖୋଲିବ। ଏହାଦ୍ଵାରା ତୈଳ ସଙ୍କଟ ଦୂର ହେବ। ପାକିସ୍ତାନ, ବାଂଲାଦେଶ, ସାଉଥ କୋରିଆ ଠାରୁ ନେଇ ଭାରତ, ବ୍ରିଟେନ ଏବଂ ଆମେରିକା ଯାଏଁ ଇନ୍ଧନ ସଙ୍କଟ ଦୂର ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ  ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ପେଟ୍ରୋଲ-ଡିଜେଲ ଦର କମିଯିବ। ଯାହାକି ସାଧାରଣ ଗ୍ରାହକଙ୍କୁ ଖୁବ୍ ଆଶ୍ଵସ୍ତି ଦେବ। ସେପଟେ ପରିବହନ ଖର୍ଚ୍ଚ କମିଲେ ଅନ୍ୟ ପନିପରିବା ଓ ଅନ୍ୟ ଖାଦ୍ୟପଦାର୍ଥ ଦର ମଧ୍ୟ କମିବ। ଯାହାର ବୋଝ ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡୁଥିଲା। 

ଟଙ୍କା ଉପରୁ ଚାପ କମିବ

ଭାରତ ଦୁନିଆର ସବୁଠୁ ବଡ଼ ତୈଳ ଆମଦାନୀକାରୀ ଦେଶ। ଏହା ପ୍ରାୟ ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ। ଅଶୋଧିତ ତୈଳ ଦର ବଢିବା ଯୋଗୁଁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିଲା। ଏବେ ତେଲ ଦର ଶସ୍ତା ହେଲେ ଏହି ଖର୍ଚ୍ଚ କମିବ। ଇଣ୍ଡିଆନ କରେନ୍ସି ଉପରୁ ଚାପ କମିବ। ଏହି ସବୁ କାରକ ମିଶି ସେୟାର ବଜାରକୁ ପ୍ରଭାବିତ କରିବେ। ଏଭିଏସନ, ପେଣ୍ଟ, ଟାୟାର, ସିମେଣ୍ଟ, ଲଜିଷ୍ଟିକ୍ସ ଏବଂ କେମିକାଲ କମ୍ପାନୀଙ୍କ ଖର୍ଚ୍ଚ କମିବ, ଲାଭ ବଢିବ। 

ଆହୁରି ପଢନ୍ତୁ- ଆମେରିକା-ଇରାନ ମଧ୍ୟରେ ପିସ୍ ଡିଲ୍ ଫାଇନାଲ୍, ଜାଣନ୍ତୁ ୧୪ ସୂତ୍ରୀ ବୁଝାମଣାପତ୍ରରେ କ'ଣ ରହିଛି...

ରାଜଧାନୀକୁ ଛୁଇଁଛି ବର୍ଷା ବିହୀନ ମୌସୁମୀ, ସୁ ସୁ ପବନ ବହୁଛି କିନ୍ତୁ ସବୁ ଫୁସ ! ମେଘ ଖଣ୍ଡକୁ ଜଗୁଛି ଅଦୃଶ୍ୟ ବଳୟ ?