ଗୁଗୁଲର ଆବେଦନ ୟୁରୋପୀୟ ସଂଘ କୋର୍ଟରେ ଖାରଜ, ଜରିମାନାରେ ଦେବାକୁ ହେବ ୪.୧୦ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ,୨।୭: ଗୁଗୁଲକୁ ୟୁରୋପରେ ବଡ଼ ଧରଣର ଆଇନଗତ ଝଟକା। ୟୁରୋପୀୟ ସଂଘ (ଇୟୁ)ର ସବୁଠାରୁ ବଡ଼ କୋର୍ଟ ଆଣ୍ଡ୍ରଏଡ୍ ସହ ଜଡିତ ଆଣ୍ଟିଟ୍ରଷ୍ଟ ମାମଲାରେ ଗୁଗୁଲର ଅପିଲ ଖାରଜ କରିଛି। ଏହା ସହିତ କମ୍ପାନୀ ଉପରେ ଲାଗିଥିବା ୪.୧ ବିଲିୟନ ୟୁରୋ (ପ୍ରାୟ ୪.୧୦ ଲକ୍ଷ କୋଟି ଟଙ୍କାର) ଜରିମାନାକୁ ବଜାୟ ରଖିଛନ୍ତି। ଏହି ମାମଲା ୮ ବର୍ଷ ହେଲା ଚାଲିଥିଲା। ଏହି ଜରିମାନା ପ୍ରଥମ ଥର ୨୦୧୮ ରେ ୟୁରୋପୀୟ କମିଶନ୍ ଲଗାଇଥିଲେ। କମିଶନର ଅଭିଯୋଗ ଥିଲା ଯେ, ଗୁଗୁଲ ପକ୍ଷରୁ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ବ୍ୟବହାର କରି ନିଜ ସର୍ଚ୍ଚ ଓ କ୍ରୋମ୍ ବ୍ରାଉଜରକୁ ପ୍ରୋତ୍ସାହନ ଦିଆଯାଉଛି। ଅନ୍ୟପକ୍ଷେ କମ୍ପାନୀ ପାଇଁ କମ୍ପିଟିସନ୍ କରିବା ମଧ୍ୟ କଷ୍ଟକର ପାଲଟିଛି।
ସେତେବେଳେ କମ୍ପାନୀ ଉପରେ ୪.୩୪ ବିଲିୟନ ୟୁରୋର ଜରିମାନା ଲଗାଯାଇଥିଲା। ପରେ ୨୦୨୨ ରେ ଏକ ନିମ୍ନ ଅଦାଲତ ଏହାକୁ ହ୍ରାସ କରି ୪.୧ ବିଲିୟନ ୟୁରୋ କରିଥିଲେ, କିନ୍ତୁ ଜରିମାନା ଶେଷ ହୋଇନଥିଲା। ଏବେ ଇୟୁର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତ୍ତିକୁ ଠିକ୍ ବୋଲି ମାନିଛନ୍ତି। କୋର୍ଟ କହିଛନ୍ତି, ଗୁଗୁଲ ଓ ଏହାର ପାରେଣ୍ଟ କମ୍ପାନୀ ଆଲଫାବେଟ୍ର ଅପିଲ ଖାରଜ କରାଯାଉଛି। କୋର୍ଟଙ୍କ କହିବା ଅନୁସାରେ, ଆଣ୍ଡ୍ରଏଡ୍ ସହ ଜହିତ ଚୁକ୍ତି ପାଇଁ ଗୁଗୁଲ ନିଜର ପ୍ରଭୂତ୍ବର ଭୁଲ ଫାଇଦା ଉଠାଉଛି ଓ ବଜାରରେ କମ୍ପିଟିସନ୍କୁ ପ୍ରଭାବିତ କରୁଛି
ଗୁଗୁଲ ଉପରେ କ’ଣ ରହିଛି ଅଭିଯୋଗ ?
ୟୁରୋପୀୟ ୟୁନିଅନ୍ର କହିବା ଅନୁସାରେ, ଗୁଗୁଲ ସ୍ମାର୍ଟଫୋନ୍ ତିଆରି କରୁଥିବା କମ୍ପାନୀ ଏଭଳି ସର୍ତ୍ତ ରଖୁଥିଲା, ଯାହା ଅନୁସାରେ ଗୁଗୁଲ ପ୍ଲେ ଷ୍ଟୋରର ଲାଇସେନ୍ସ ନେବା ପାଇଁ ଗୁଗୁଲ ସର୍ଚ୍ଚ ଓ କ୍ରୋମ୍କୁ ପ୍ରଥମେ ଇନଷ୍ଟଲ କରିବା ଜରୁରୀ। କମିଶନର କହିବା ଅନୁସାରେ, ଏହାଦ୍ବାରା ଅନ୍ୟ ସର୍ଚ୍ଚ ଇଞ୍ଜିନ ଓ ବ୍ରାଉଜର ସମକକ୍ଷ ହେବାର ସୁଯୋଗ ମିଳିନଥାଏ। ଆଣ୍ଡ୍ରଏଡ୍ ବଜାରରେ ଗୁଗୁଲର ସ୍ଥିତି ଆହୁରି ମଜବୁତ ହୋଇଯାଇଛି। ଗୁଗୁଲ ଏହି ନିଷ୍ପତ୍ତି ଉପରେ ନିରାଶ ପ୍ରକାଶ କରିଛି। କମ୍ପାନୀର କହିବା ଅନୁସାରେ, ଆଣ୍ଡ୍ରଏଡ୍ ଏକ ଓପନ ଓ ଫ୍ରି ପ୍ଲାଟଫର୍ମ, ଯାହାଦ୍ବାରା ମୋବାଇଲ ଇଣ୍ଡଷ୍ଟ୍ରୀରେ କମ୍ପିଟିସନ୍ ବଢିବା ଓ ହଜାର ହଜାର କମ୍ପାନୀକୁ କାରବାର କରିବାର ସୁଯୋଗ ଦେଇଛି। ୟୁରୋପିଆନ୍ ୟୁନିୟନ୍ ଲଗାତାର ବଡ଼ ଟେକ୍ କମ୍ପାନୀ ଉପରେ କଡା ନଜର ରଖିଛି। ତାଙ୍କ ମତରେ ବଜାରରେ ନିରପେକ୍ଷ କମ୍ପିଟିସନ୍ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ଜରୁରୀ।