ଗଙ୍ଗୁଆରେ ରାଜ୍ୟର ପ୍ରଥମ ବ୍ୟାରେଜ୍ ‘ମଲିଆ ବନ୍ଧ’, ୧୯୮୨ ମସିହାରେ ପ୍ରଳୟଙ୍କାରୀ ବନ୍ୟାରେ ଭୁଶୁଡ଼ି ପଡିଛି...
ଭୁବନେଶ୍ୱର,୨୭/୬(ବିଜୟ ମିଶ୍ର): ଆମ ସମୃଦ୍ଧ ଉତ୍କଳୀୟଙ୍କୁ ଶହ ଶହ ବର୍ଷ ତଳେ ଜଳସେଚନ ପାଇଁ ନଦୀରେ ବ୍ୟାରେଜ୍, ଜଳଭଣ୍ଡାର ନିର୍ମାଣ କରିବାର କୌଶଳ ଜଣାଥିଲା । ଏହାର ଏକ ନିଦର୍ଶନ ରାଜଧାନୀ ମଧ୍ୟ ଦେଇ ପ୍ରବାହିତ ଗନ୍ଧବତୀ(ଗଙ୍ଗୁଆ) ନଦୀରେ ଦେଖିବାକୁ ମିଳୁଥିଲା । ସଂରକ୍ଷଣ ଅଭାବରୁ ପ୍ରାୟ ୬୦୦ ବର୍ଷ ତଳର ଏକ ଜଳସେଚନ ପ୍ରକଳ୍ପଟି ନଷ୍ଟ ହୋଇଯାଇଛି । ନିର୍ମାଣସ୍ଥଳରେ ଦଳ, ଘାସ ଆବରଣରେ ବ୍ୟାରେଜର ଭଗ୍ନ ଢାଞ୍ଚା ଆଉ ଦେଖିବାକୁ ମିଳୁନାହିଁ ।
ରାଜଧାନୀ ଉପକଣ୍ଠ କପିଳେଶ୍ୱର ଓ କୁକୁଡ଼ାଘାଇ ପାଟଣା ରାଜସ୍ୱ ଗ୍ରାମର ସୀମାରେ ଗଙ୍ଗୁଆ ନଦୀ ଗର୍ଭରେ ନିର୍ମାଣ ହୋଇଥିଲା ଏହି ବ୍ୟାରେଜ୍ । ଏହାର ନାମ ଥିଲା ‘ମଲିଆ ବନ୍ଧ’ । ଏହି ବ୍ୟାରେଜ୍ଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡ଼ା ପଥରରେ ନିର୍ମିତ ହୋଇଥିଲା । ନଦୀ ଗର୍ଭରେ ବଡ଼ ବଡ଼ ମାଙ୍କଡ଼ା ପଥର ସ୍ଲାବ୍ ପକାଯାଇ ଏହି ବ୍ୟାରେଜ୍ । ଏହାର ଓସାର ଥିଲା ପ୍ରାୟ ୬୦ ଫୁଟ ଓ ଉଚ୍ଚତା ପ୍ରାୟ ୧୨ଫୁଟ । ମଝିରେ ଥିଲା ୧୪ଟି ବଡ଼ ବଡ଼ ପୁକାର(ସ୍ପିଲ୍ ୱେ) । ଗଙ୍ଗୁଆ ନଦୀରେ ନିର୍ଦ୍ଦିଷ୍ଟ ଉଚ୍ଚତାରେ ପାଣି ରଖି ବାକି ତକ ଏହି ପୁକାର ପଟେ ତଳମୁଣ୍ଡକୁ ଗଡ଼ି ଯାଉଥିଲା । ପୁକାର ଉପରେ ଲୋକ ଯିବା ଆସିବା ପାଇଁ ମୋଟା ଓ ଚଉଡ଼ା ମାଙ୍କଡ଼ା ପଥରରେ ଏକ ପୋଲ ନିର୍ମାଣ ହୋଇଥିଲା । ସେପଟେ ନୂଆଗାଁ, ନାଥପୁର, ଜୟୀପୁର, କୁକୁଡ଼ାଘାଇ ପାଟଣା, ଇଟିପୁର, ବିକିପୁର, କଲ୍ୟାଣପୁର, ବସନ୍ତପୁର ଆଦି ଗ୍ରାମର ଲୋକେ ପୁରୁଣା ଭୁବନେଶ୍ୱରକୁ ଯିବା ଆସିବା କରୁଥିଲେ । ବ୍ୟାରେଜର ନିର୍ମାଣ କୌଶଳ ଆଧୁନିକ ବ୍ୟାରେଜଠାରୁ କୌଣସି ଗୁଣରେ କମ୍ ନଥିଲା । ବ୍ୟାରେଜ ପାଣି ଅଟକାଇବା ଫଳରେ କପିଳେଶ୍ୱର, ସୁନ୍ଦରପଦାଠୁ ପଧାନସାହି ପର୍ୟ୍ୟନ୍ତ ଶସ୍ୟକ୍ଷେତ୍ରର ପ୍ରାୟ ୧୦୦୦ ହେକ୍ଟର ଜମି ଜଳସେଚିତ ହୋଇପାରୁଥିଲା ।
୧୯୮୨ ମସିହାରେ ଓଡ଼ିଶାରେ ହୋଇଥିଲା ପ୍ରଳୟଙ୍କାରୀ ବନ୍ୟା । କୁଆଖାଇ ବନ୍ଧ ଭାଙ୍ଗିଯିବା ଫଳରେ ଗଙ୍ଗୁଆ ନଦୀ ଭୀଷଣ ଭାବେ ଫୁଲି ଉଠିଥିଲା । ପ୍ରବଳ ସୁଅରେ ବ୍ୟାରେଜଟି ଭୁଶୁଡ଼ି ଯାଇଥିଲା । ବନ୍ୟା ରଘୁନାଥପୁର, ପଟିଆ, ମଞ୍ଚେଶ୍ୱର, କଳାରାହଙ୍ଗ ଆଦି ଗ୍ରାମରେ ବ୍ୟାପକ କ୍ଷତି ଘଟାଇଥିଲା । ସେତେବେଳେ ଭୁବନେଶ୍ୱରର ବିଧାୟକ ଥିଲେ ରାମକୃଷ୍ଣ ପତି । ବନ୍ୟା ପରେ ଅର୍ଥାତ୍ ୧୯୮୩ରେ ବନ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ସେ ଗଙ୍ଗୁଆ ଗର୍ଭରେ ନିର୍ମାଣ କଲେ ପଟିଆ ବନ୍ଧ । ପ୍ରାୟ ୧୬ କିମି ଦୂର ଉପରମୁଣ୍ଡରେ ଏହି ବନ୍ଧ ନିର୍ମାଣ ପରେ ଗଙ୍ଗୁଆର ତଳମୁଣ୍ଡକୁ ଜଳପ୍ରବାହ କମିଗଲା । ମଲିଆ ବନ୍ଧ ବ୍ୟାରେଜ୍ ଭାଙ୍ଗି ଯାଇଥିବାରୁ ତଳମୁଣ୍ଡ ଶସ୍ୟକ୍ଷେତ୍ରରେ ପାଣି ମାଡ଼ିଲା ନାହିଁ । ତେଣୁ କପିଳେଶ୍ୱର ସମେତ ନୂଆଗାଁ, ନାଥପୁର, କୁକୁଡ଼ାଘାଇ ପାଟଣା ଆଦି ଗ୍ରାମର ଚାଷୀମାନେ ଏକାଠି ହୋଇ ଭଙ୍ଗା ବ୍ୟାରେଜ ଉପରେ ମାଟି ପକାଇ ଏକ ଅସ୍ଥାୟୀ ବନ୍ଧ କରିଦେଲେ । ସେ ମାଟି ତଳେ ବ୍ୟାରେଜ୍ଟି ଅଦୃଶ୍ୟ ହୋଇଗଲା । ବର୍ତ୍ତମାନ ସେଠାରେ ଘାସ, ଦଳ ମାଡ଼ି ଗଲାଣି ।
ଅଧିକ ପଢ଼ନ୍ତୁ :-Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ଆକ୍ସନ୍; ଚାକିରିରୁ ବିଦା ହେଲେ ଓଏଏସ୍ ପ୍ରେମିକ ଭୀମସେନ୍, ମିଳିବନି କୌଣସି ସରକାରୀ ଚାକିରି
ଇତିହାସ ପୃଷ୍ଠାରେ ଏହି ବ୍ୟାରେଜ୍ର କଥା କେହି ଉଲ୍ଲେଖ କରିନାହାନ୍ତି । ହେଲେ ଶ୍ରୀକପିଳେଶ୍ୱରଙ୍କ ମଲିଆ ସେବାୟତ ନାମରେ ଏହି ବନ୍ଧର ନାମ ଥିବାରୁ ଏହାର ପ୍ରାଚୀନତା ସେଥିରୁ ଅନୁମାନ କରିହୁଏ । ୧୪୪୦-୪୨ ମସିହାରେ ଓଡ଼ିଆ ସମ୍ରାଟ କପିଳେନ୍ଦ୍ରଦେବ କପିଳେଶ୍ୱର ଗ୍ରାମ ଓ କପିଳେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ । ସୁନ୍ଦରପଦା-କପିଳପ୍ରସାଦରେ ଗଡ଼ ଓ ଦଧିବାମନ ଜିଉ ମନ୍ଦିର ପ୍ରତିଷ୍ଠା କରି ଜନବସତି ବସାଇଥିଲେ । ସେବାୟତଙ୍କ ପାଇଁ ଆଖପାଖ ଅଞ୍ଚଳରେ ବିପୁଳ ପରିମାଣର ଜମି ଖଞ୍ଜା କରିଥିଲେ । ଚାଷୀଙ୍କ ଅନୁରୋଧକ୍ରମେ ‘ହଜ’ ଜଳାଶୟ ଖୋଳିଥିଲେ । ଏପଟେ ଗଙ୍ଗୁଆ ନଦୀରେ ବ୍ୟାରେଜ ନିର୍ମାଣ କରିଥିବାର ଅନୁମାନ କରାଯାଉଛି ।
ମଲିଆ ବନ୍ଧର ସ୍ମୃତିକୁ ମନେ ପକାଇ କପିଳେଶ୍ୱର ଗ୍ରାମର ବରିଷ୍ଠ ସେବାୟତ ହରିହର ମଲିଆ କହିଛନ୍ତି, ମଲିଆ ବନ୍ଧ ବହୁ ପ୍ରାଚୀନ । ଆମ ପିଲାଦିନେ ଏହି ବ୍ୟାରେଜ ଉପରେ ଥିବା ପୋଲରେ ପାରି ହୋଇ ସେପଟେ ମେଳଣ ଦେଖିବାକୁ ଯାଉ । ଏଠାରେ ପାଣି ଅଟକାଇ ଚାଷୀମାନେ ନିଜ କ୍ଷେତକୁ ଜଳପ୍ଲାବିତ କରୁଥିଲେ । ଏତେ ପ୍ରାଚୀନ ବ୍ୟାରେଜ ରାଜ୍ୟର କିମ୍ବା ଦେଶର କୌଣସି ସ୍ଥାନରେ ମିଳିବା ବିରଳ । ତେଣୁ ମଲିଆ ବନ୍ଧକୁ ରାଜ୍ୟର ପ୍ରଥମ ବ୍ୟାରେଜ ଭାବେ ବିବେଚିତ କରାଯାଇପାରେ ।